ତିହିଡି,୨୦ ।୪(ସମିସ):ତିହିଡି ଥାନା ଅନ୍ତର୍ଗତ ତଳକାଁପଡା ଗାଁରେ ଗୋଷ୍ଠୀ ସଂଘର୍ଷ ଓ ବୋମାମାଡ ଘଟଣାରେ ଆଜି ତିହିଡି ପୋଲିସ ଉଭୟ ପକ୍ଷରୁ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏମାନେ ହେଲେ ଅରୁଣ ଦାସ, ବିଶ୍ୱନାଥ ମଳିକ, ଅଭୟ କୁମାର ଦାସ ଓ ପ୍ରତାପ ଦାସ । ପ୍ରକାଶ ଯେ, ଗତ ୧୬ ତାରିଖ ଦିନ ରାତିରେ ପୂର୍ବ ଶତ୍ରୁତାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେଗୋଷ୍ଠୀ ସଂଘର୍ଷ ଘଟଇଥିଲା । ପରେ ବୋମାମାଡ କରାଯାଇଥିଲା । ଏଥିରେ ୧୪ ଜଣ ଆହତ ହୋଇଥିଲେ । ଏମାନଙ୍କ ମଧ୍ୟରୁ ବିଜେଡିର ୮ ଜଣ ସମର୍ଥକ ଗୁରୁତର ହୋଇଥିଲେ । ପରେ ବିଜେଡି ସମର୍ଥକ ମୁକ୍ତିକାନ୍ତ ଦାସଙ୍କ ଏତଲା କ୍ରମେ ପୋଲିସ ମାମଲା ନଂ-୧୪୬/୨୫ ରୁଜୁ କରିଥିଲା । ସେହିପରି ବିଜେପି ସମର୍ଥକ ରେବତି ଦାସଙ୍କ ଏତଲା କ୍ରମେ ପୋଲି ଆଉ ଏକ ମାମଲା ନଂ-୧୪୭/୨୫ ରୁଜୁ କରିଥିଲା । ଅନ୍ୟପକ୍ଷେ ପୋଲିସ ପକ୍ଷରୁ ଏସଆଇ ଚିତ୍ତରଞ୍ଜନ ବାରିକଙ୍କ ଏତଲାକ୍ରମେ ଅନ୍ୟ ଏକ ମାମଲା ୧୪୫/୨୫ ମଧ୍ୟ ରୁଜୁ ହୋଇଥିଲା । ଏହି ୩ଟି ଯାକ ମାମଲାରେ ମୋଟ ୩୦ ଜଣଙ୍କୁ ଅଭିଯୁକ୍ତ ଦର୍ଶା ଯାଇଥିଲା । ତେବେ ଗିରଫ ଭୟରେ ସେମାନେ ସମସ୍ତେ ଫେରାର ଥିଲେ । ପୋଲିସ ଏମାନଙ୍କୁ ଗିରଫ କରିବାକୁ ପ୍ରୟାସ ଜାରି ରଖିଥିବା ବେଳେ ଏମାନଙ୍କ ମଧ୍ୟରୁ ଆଜି ଉପରୋକ୍ତ ୪ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଖୁବଶିଘ୍ର ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ କହିଛନ୍ତି ।