ତିହିଡ଼ି, ୨୨/୦୩(ଯଦୁମଣି ପାଣିଗ୍ରାହୀ) : ବର୍ଷ ବର୍ଷ ଧରି ତିହିଡି ବଜାରର ଉଭୟ ପାଶ୍ୱର୍ରେ ସରକାରୀ ନୟନଯୋରି କିସମର ଜମିକୁ ବେଆଇନ ଭାବେ ଜବରଦଖଲ କରି ବ୍ୟବସାୟ ଚଳାଇଥିବା ଜବରଦଖଲକାରୀଙ୍କୁ ପ୍ରଶାସନ ଶନିବାର ଦିନ ହଟାଇବା ସହିତ ବଜାରକୁ ଅବରୋଧ ମୁକ୍ତ କରିବାରେ ସକ୍ଷମ ହୋଇଛି । ଯାହାକୁ ନେଇ ସାଧାରଣ ଲୋକେ ଆଶ୍ୱସ୍ତ ଅନୁଭବ କରିଛନ୍ତି । ଏହି ଜବରଦଖଲ ଉଚ୍ଛେଦ ନିମନ୍ତେ ବହୁ ପୂର୍ବରୁ ପ୍ରଶାସନ ପକ୍ଷରୁ ବାରମ୍ବାର ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ସଫଳ ହୋଇପାରି ନଥିଲା । ଏପରିକି ଗତ କିଛି ମାସ ପୂର୍ବରୁ ବି ପ୍ରଶାସନ ପକ୍ଷରୁ ଏଥିପାଇଁ ପ୍ରୟାସ ଆରମ୍ଭ କରାଯାଇଥିଲେ ମଧ୍ୟ ତାହା ବି ଫସରଫାଟି ଯାଇଥିଲା । ତେବେ ଚଳିତମାସ ୩ ତାରିଖରେ ପୁଣିଥରେ ପ୍ରଶାସନ ପକ୍ଷରୁ ଜବରଦଖଲକାରୀଙ୍କୁ ୧୦ ତାରିଖ ସୁଦ୍ଧା ଅବରୋଧ ହଟାଇବାକୁ ସୂଚନା ଦିଆଯାଇଥିଲେ ମଧ୍ୟ ତାହାକୁ କେହି କର୍ଣ୍ଣପାତ କରି ନଥିଲେ । ଶେଷରେ ପୁଣିଥରେ ଗତ ୧୮ ତାରିଖ ଦିନ ଭଦ୍ରକ ଉପ ଜିଲ୍ଲାପାଳଙ୍କ ନିଦେ୍ର୍ଦଶ କ୍ରମେ ୩ ଦିନ ମଧ୍ୟରେ ଅବରୋଧ ହଟାଇବାକୁ ୧୨୩ ଜଣଙ୍କୁ ସୂଚନା ପ୍ରଦାନ କରାଯାଇଥିଲା । ତାହାକୁ ବି ଅନେକ ବ୍ୟବସାୟୀ କର୍ଣ୍ଣପାତ କରି ନଥିଲେ । ଶେଷରେ ଆଜି ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ପୋଲିସ ଅଧିକାରୀ ଓ ଶତାଧିକ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଜେସିବି ସହାୟତାରେ ତିହିଡି ଥାନା ଠାରୁ ପୁଣି ବ୍ଲକ ଛକ ଯାଏଁ ଜବରଦଖଲ କାରୀଙ୍କୁ ହଟାଇ ତିହିଡି ବଜାରକୁ ଅବରୋଧ ମୁକ୍ତ କରିଛନ୍ତି । ଏଠାରେ ସୂଚନାଥାଉ କି ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ନିର୍ମାଣ ବେଳେ ଜବରଦଖଲ କାରୀଙ୍କୁ ଆବଶ୍ୟକ କ୍ଷତିପୂରଣ ପ୍ରଦାନ କରି ହଟାଯାଇଥିଲେ ମଧ୍ୟ ସେମାନେ ପୁନର୍ବାର ସରକାରୀ ଜାଗାକୁ ଜବରଦଖଲ କରି ବ୍ୟବସାୟ ଚଳାଇ ରଖିଥିଲେ । ଏମିତିକି ସେମାନଙ୍କୁ ଆରଏମସି ଦ୍ୱାରା ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ଗୃହ ଯୋଗାଇ ଦିଆଯାଇଥିଲେ ମଧ୍ୟ ସେମାନେ ଅବରୋଧ ହଟାଇ ନଥିଲେ । ଯାହାଫଳରେ ତିହିଡି ବଜାରରେ ଟ୍ରାଫିକ ସମସ୍ୟା ଅତି ଉକ୍ରଟ ରୂପ ଧାରଣ କରିବା ସହିତ ଯାତାୟାତରେ ଗୁରୁତର ଅସୁବିଧା ସୃଷ୍ଟି ହେଉଥିଲା । ସେହିପରି ବର୍ଷା ପାଣି ନିଷ୍କାସନ ହୋଇ ନ ପାରି ବଜାରରେ କୃତ୍ରିମ ବନ୍ୟା ସୃଷ୍ଟି ହେଉଥିଲା ।