Odisha news

ଗୋଚର ଜମିରୁ ମାଟି ଉଠାଣ ଘଟଣା, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

0

ତିହିଡି, ୨୩.୧୨(ଯଦୁମଣି ପାଣିଗ୍ରାହୀ): ଭଦ୍ରକ ଜିଲ୍ଲା ତିହିଡି ତହସିଲ ବାରସର ପଞ୍ଚାୟତ ଅଧିନ ମୁଟୁରୀଗଡ ଗାଁରେ ଗୋଚର ଜମିରୁ ମାଟି ଉଠାଣ ଘଟଣାରେ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବା ଲାଗି ଜିଲ୍ଲାପାଳଙ୍କୁ ଭେଟିଛନ୍ତି ଗ୍ରାମବାସୀ । ଗୋଚର ଜମିରେ ମେସିନ୍ ଲଗାଇ ପୋଖରୀ ସଦୃଶ ମାଟି ଖୋଳା ଯାଇଛି । ସବୁକିଛି ଜାଣି ମଧ୍ୟ ତହସିଲଦାର କେବଳ ମାଟି ଖୋଳା ବନ୍ଦ କରିବାରେ ସୀମିତ ରହିଥିବା ଆରୋପ କରାଯାଇଛି । ସୂଚନା ମୁତାବକ,ଏହି ଗାଁ ନିକଟରେ ପ୍ରବାହିତ ଗେଙ୍ଗୁଟି ନଦୀରେ ଗ୍ରାମ୍ୟ ଉନ୍ନୟନ ପକ୍ଷରୁ ଏକ ପୋଲ ନିର୍ମାଣ ହେଉଛି । ତେବେ ଗ୍ର୍ାମ ନିକଟସ୍ଥ ଗୋଚର ଜମିରୁ ସଂପୃକ୍ତ ଠିକାଦାରଙ୍କ ସମର୍ଥକମାନେ ମେସିନ୍ ଲଗାଇ ମାଟି ଉଠାଉଥିବା ଏବଂ ପୋଖରୀ ଖୋଳୁଥିବା ନେଇ ଗତ କିଛିଦିନ ତଳେ ତହସିଲଦାରଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏନେଇ ସଂପୃକ୍ତ ରାଜସ୍ୱ ନିରୀକ୍ଷକ ସର୍ଜମିନ ତଦନ୍ତ କରିବା ସହିତ ମାଟି ଉଠାଣ କାର୍ଯ୍ୟ ବନ୍ଦ କରିଥିଲେ ମଧ୍ୟ ଅଭିଯୁକ୍ତମାନେ ମାନିନଥିଲେ । ଏହି ଘଟଣାକୁ ନେଇ ଗ୍ରାମବାସୀ ପୂନଶ୍ଚ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତିନିଦିନ ତଳେ ତହସିଲଦାରଙ୍କ ତଦନ୍ତ ସମୟରେ ସ୍ଥାନୀୟ ଅଞ୍ଚଳର ବିଜେପି ନେତା ରାଜାରାମ ମହାକୁଡ ଓ ସରପଞ୍ଚ ଚକ୍ରଧର ଦାସଙ୍କ ସମେତ ୧୦ରୁ ୨୦ ଜଣ ବ୍ୟକ୍ତି ହଠାତ୍ ଦୌଡି ଆସି ଅଭିଯୋଗକାରୀଙ୍କ ମଧ୍ୟରୁ ଅନିଲ ନାୟକଙ୍କୁ ଧକ୍କା ମାରିବା ସହିତ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଏନେଇ ଥାନାରେ ଏକ ମାମଲା ୨୭୨/୨୪ ମଧ୍ୟ ରୁଜୁ ହୋଇଛି । ମେସିନ୍ ଲଗାଇ ବଳପୂର୍ବକ ମାଟି ଉଠାଇଥିବା ବ୍ୟକ୍ତିମାନଙ୍କ ବିରୋଧରେ ବିହିତ ପଦକ୍ଷେପ ନିଆଯିବା ସହିତ ଖୋଳିଥିବା ଗୋଚର ଜମିକୁ ପୋତିବାକୁ ଅନିଲ ନାୟକ, ଦୀପକ ମହାପାତ୍ର, ସନ୍ତୋଷ ରାଉତ, ଶିବପ୍ରସାଦ ମାଝୀ, ଆଲୋକ ରଞ୍ଜନ ମହାପାତ୍ର, ରପୁନା ମାଝୀ, ଆଲୋକ ପଣ୍ଡା, ପ୍ରଦୀପ ମହାପାତ୍ର ପ୍ରମୁଖ ଦାବି କରିଛନ୍ତି । ତେବେ ତହସିଦାଲରଙ୍କ ପକ୍ଷରୁ ସେମାନଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆନଗଲେ ରାଜରାସ୍ତାକୁ ଉହ୍ଲାଇବେ ବୋଲି ଚେତାବନି ଦେଇଛନ୍ତି ଗ୍ରାମବାସୀ ।

Leave A Reply