ତିହିଡି, ୦୧/୧୨(ଯଦୁମଣି ପାଣିଗ୍ରାହୀ): ତିହିଡି ପୋଲିସ ଗତକାଲି ସନ୍ଧ୍ୟାରେ ଏକ ଚୋରା କୋଇଲା ବୋଝେଇ ପିକଅପ ବୋଲେରୋ ଭେନକୁ ଜବତ କରିବା ସହିତ ୨ ଜଣ କୋଇଲା ଚୋରକୁ ଗିରଫ କରିବାରେ ସକ୍ଷମ ହୋଇଛି । ଆଜି ଏଥିନେଇ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପୋଲିସ ଏହି ସୂଚନା ଦେଇଛି । ଜବତ ହୋଇଥିବା ଗାଡିରେ ୪୮ଟି ବସ୍ତାରେ ପ୍ରାୟ ୨୪ କୁଇଣ୍ଟାଲ ଚୋରା କୋଇଲା ଥିବା ବେଳେ ୧୨ଟି ପଥର ଓ ଏକ କଟୁରୀ ଥିବା ପୋଲିସ ସୂତ୍ରରୁ ଜଣାପଡିଛି । ପ୍ରକାଶ ଯେ, ଗତ ୩୦ ତାରିଖ ସନ୍ଧ୍ୟାରେ ଏକ ଚୋରା କୋଇଲା ବୋଝେଇ ପିକଅପ୍ ବୋଲେରୋ ଭେନ ପୀରହାଟ ଆଡୁ ତିହିଡି ଅଭିମୁଖେ ଆସୁଥିବାର ଆଇଆଇସି ପ୍ରସନ୍ନ କୁମାର ନାୟକ କୌଣସି ସୂତ୍ରରୁ ଖବର ପାଇଥିଲେ । ସେ ତୁରନ୍ତ ଏ ସମ୍ପର୍କରେ ଅନ୍ୟ ପୋଲିସ ଅଧିକାରୀଙ୍କୁ ଏଥିନେଇ ସୂଚନା ଦେବା ସହ ତିହିଡି ଥାନା ଆଗରେ ପୋଲିସ ଷ୍ଟପ ରଖି ଗାଡିଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ପରେ ପୀରହାଟ ଆଡୁ ଏକ କୋଇଲା ବୋଝେଇ ଧଳା ରଙ୍ଗର ପିକଅପ ବୋଲେରୋ ଭେନ୍ (ନଂ-ଓଡି୨୨ୱାଇ-୫୩୦୪) ଖୁବ ଦ୍ରୁତଗତିରେ ଆସିଥିଲା । ଉକ୍ତ ଗାଡିଟି ପୋଲିସ ଷ୍ଟପକୁ ଧକ୍କାମାରି ଆଗକୁ ମାଡି ଚାଲିଥିଲା । ପରେ ତିହିଡି ପୋଲିସ ଗାଡି ତାକୁ ପିଛା କରିଥିଲା । ପରେ ପିକଅପ ଭେନଟି ତିହିଡି ପୁରୁଣାହାଟ ଛକରୁ ବାରୋ ରାସ୍ତାରେ ଆଗକୁ ମାଡି ଚାଲିଥିଲା । ବାରୋ ଅତିକ୍ରମ କରି ଚବିଶପଡା ଶାସନ ଦେଇ ଗାଡିଟି କାଁପଡା ଆଡକୁ ଯିବା ସମୟରେ ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡିଟିକୁ ଧରିବାକୁ ସକ୍ଷମ ହୋଇଥିବା ବେଳେ ଘଟଣାସ୍ଥଳରୁ ୨ କୋଇଲା ଚୋର ସନ୍ଥପୁରା ଗାଁର ଜୀବନଜ୍ୟୋତି ବଳ ଓ କାଁପଡା ଦକ୍ଷିଣପାରି ଗାଁର ଜିତେନ୍ଦ୍ର ମଳିକଙ୍କୁ କାବୁ କରିଥିଲା । ପୋଲିସ ଏଥିନେଇ ଏକ ମାମଲା ନଂ-୫୩୪/୨୪ ରୁଜୁ କରିବା ସହ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଆଜି ଅପରାହ୍ଣରେ ଏହି ମର୍ମରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଧାମନଗର ଏସଡିପିଓ ତ୍ରିଲୋଚନ ସେଠୀ ଓ ତିହିଡି ଆଇଆଇସି ପ୍ରସନ୍ନ କୁମାର ନାୟକ ଓ ଅନ୍ୟ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।