ତିହିଡି, ୨୪.୧୧: ଗତ ବାତ୍ୟା “ଦାନା”ରେ ଧାନ ଫସଲ କ୍ଷତି ତାଲିକାରୁ ବଞ୍ଚିତ ଚାଷୀଙ୍କ ପକ୍ଷରୁ ଗଣଧାରଣା ଚେତାବନି ଦିଆଯାଇଛି । ଭଦ୍ରକ ତିହିଡି ତହସିଲ ମୁକୁନ୍ଦପୁର ପଞ୍ଚାୟତ ଅଧିନ ଗୁଡ଼ୁପାଳ, ଲିଙ୍ଗାଡ଼ି ଓ ଆରସାଡିହ ଗ୍ରାମର ଶତାଧିକ ଚାଷୀ ଆଜି ତହସିଲଦାରଙ୍କ ଭେଟି ଦାବିପତ୍ର ପ୍ରଦାନ କରିବା ସହିତ ଏକ ସପ୍ତାହ ମଧ୍ୟରେ ସାମିଲ କରାନଗଲେ ତହସିଲ କାର୍ଯ୍ୟାଳୟ ପରିସରରେ ଗଣଧାରଣା ଦେବାକୁ କହିଛନ୍ତି । ଅଭିଯୋଗ ମୁତାବକ, ଏହି ୩ଟି ଗ୍ରାମ ବନ୍ୟାଞ୍ଚପ୍ଲାବିତ ଓ ଖାଲୁଆ ଅଞ୍ଚଳ ଅଟେ । ୧୯୯୯ ମସିହା ପରେ ପରେ ଯେତେ ଯାହା ବନ୍ୟା ହୋଇଥିଲା ସବୁଥିରେ ପ୍ରଶାସନ ପକ୍ଷରୁ ଫସଲ କ୍ଷୟକ୍ଷତିର ସହାୟତା ରାଶି ପ୍ରଦାନ କରାଯାଇଛି । ଗତ ବାତା “ଦାନା”ରେ ପ୍ରବଳ ବର୍ଷା ହେତୁ ଚାଷ ଜମିଗୁଡିକ ୩-୪ଦିନ ବୁଡିକୁ ରହିଥିଲା । ଫଳରେ ଧାନର ଥୋଡ ଥିଲେ ମଧ୍ୟ ଅଗାଡିଆ ହୋଇଯାଇଛି । ଉପରକୁ ଧାନ ଥିବା ଭଳି ଦେଖାଯାଉଥିଲେ ବି ବାସ୍ତବରେ ତାହା ଅଗାଡ଼ି ଅଟେ । ପ୍ରାୟ ୫୦ ପ୍ରତିଶତ ଧନ ଫସଲ ନଷ୍ଟ ହୋଇଥିବା ବେଳେ ନିକଟରେ ତହସିଲ ଓ କୃଷି ବିଭାଗ ପକ୍ଷରୁ ଯୁଗ୍ମ ଭାବେ କ୍ଷେତ୍ରୀୟ ତଦନ୍ତ କରାଯାଇଥିଲେ ମଧ୍ୟ ଧାନ ଫସଲ କ୍ଷୟକ୍ଷତି ରିପୋର୍ଟରେ ଏହି ତିନି ଗ୍ରାମ ବାଦ୍ ପଡିଥିବା ଗ୍ରାମବାସୀ ଜାଣିବାକୁ ପାଇଛନ୍ତି । ଯାହାକୁ ତିବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ତହସିଲଦାରଙ୍କ ଦାବିପତ୍ର ପ୍ରଦାନ କରିବା ସହିତ ଏପରି ଚେତାବନି ଦେଇଥିବା ଜଣାଯାଇଛି । ପୂନର୍ବାର ତଦନ୍ତ କରି ଏହି ଗ୍ରାମଗୁଡିକୁ ଧାନ ଫସଲ କ୍ଷତି ତାଲିକାରେ ସାମିଲ କରିବାକୁ ଗଣେଶ ପ୍ରସାଦ ନାୟକ, ପିତାମ୍ବର ସେଠୀ, ରଘୁନାଥ ନାୟକ, ସତ୍ୟବ୍ରତ କୁଣ୍ଡ, ବଳରାମ ସେଠୀ, ଶଶଧର ରାଉତ, ନିର୍ମଳ ଚନ୍ଦ୍ର ସାହୁ, ତୁଷାର କୁମାର ସ୍ୱାଇଁ, ମଙ୍ଗରାଜ ନାୟକ, ମୁକ୍ତିକାନ୍ତ ସାହୁ, ଗଙ୍ଗାଧର ନାୟକ ପ୍ରମୁଖ ଚାଷୀମାନେ ଦାବି କରିଛନ୍ତି । ତେବେ ଅଭିଯୋଗକୁ ଆଧାର କରି ସାନି ତଦନ୍ତ କରାଯିବ ବୋଲି ତହସିଲଦାର ଜୟଦ୍ରଥ ଆ·ର୍ଯ୍ୟ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।