Odisha news

ପ୍ରେସ ମିଟ୍ ମାଧ୍ୟମରେ ଗ୍ରାମବାସୀଙ୍କ ଅଭିଯୋଗକୁ ଖଣ୍ଡନ କଲେ ବ୍ଲକ ଅଧ୍ୟକ୍ଷା

0

ତିହିଡି,୦୭/୧୧(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅଧ୍ୟକ୍ଷା ଏବଂ ତାଙ୍କ ସ୍ୱାମୀ ବିଭିନ୍ନ ଦୁର୍ନୀତିରେ ସଂପୃକ୍ତ ଥିବା ନେଇ କାଁପଡା ପଞ୍ଚାୟତର ତଳକାଁପଡା ଗ୍ରାମର କେତେକ ବ୍ୟକ୍ତି ସାମ୍ବାଦିକ ସମ୍ମିଳନୀ ଜରିଆରେ ଅଭିଯୋଗ କରିବା ସହ ଏହାର ତଦନ୍ତ ଦାବି କରିଥିଲେ । ତେବେ ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ଆଜି ବ୍ଲକ ପରିସରରେ ଥିବା ନିଜ ସରକାରୀ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ରାଜନୈତିକ ଶତ୍ରୁତାରୁ ଉଦେ୍ଦଶ୍ୟ ମୂଳକ ଭାବେ ଏଭଳି ଅଭିଯୋଗ ଆଗତ କରାଯାଇଛି ବୋଲି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଦାସ ପ୍ରକାଶ କରିଛନ୍ତି । ଗ୍ରାମରେ ସରକାରୀ ଜାଗାରେ ନିୟମାନୁସାରେ ପୋଖରୀ ଖୋଳାଯାଇଛି । ଏହି କାର୍ଯ୍ୟରେ ୩ଶହ ଶ୍ରମିକ ନିୟୋଜିତ ହୋଇଥିଲେ ଏବଂ ସେମାନଙ୍କ ବ୍ୟାଙ୍କ ଏକାଉଣ୍ଟକୁ ମଜୁରୀ ଟଙ୍କା ପଠାଯାଇଛି । ଏଥିରେ କୌଣସି ଅନିୟମିତତା କରାଯାଇନାହିଁ । ସେହିପରି ତାଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ନେଇ ଆଗତ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ଓ ଅମୂଳକ ବୋଲି ସେ କହିଛନ୍ତି । ଆବଶ୍ୟକ ପଡିଲେ ସେ ସବୁ ପ୍ରକାର ତଦନ୍ତକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ତାଙ୍କ ସ୍ୱାମୀ ପ୍ରଫୁଲ୍ଲ ଦାସ ଦର୍ଶାଇଥିଲେ ଯେ, ସେ ଶ୍ରବଣବାଧିତ ହୋଇଥିବାରୁ ଗତ ୨୦୧୨ ଠାରୁ ଡାକ୍ତରଙ୍କ ପ୍ରମାଣପତ୍ର ମୂଳେ ଭତ୍ତା ପାଉଛନ୍ତି । ଏଥିରେ କୌଣସି ଜାଲିଆତି କରାଯାଇ ନଥିବା ସେ ଦର୍ଶାଇଛନ୍ତି ।

Leave A Reply