ତିହିଡି, ୨୨/୧୦(ଯଦୁମଣି ପାଣିଗ୍ରାହୀ): ଓଡିଶା ଲୋକସେବା ଆୟୋଗ ପରିଚାଳିତ ଓଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ତିହିଡି ଅଞ୍ଚଳର ଚକ୍ରଧର ମଲ୍ଲିକ । ଏହିି ବ୍ଲକର କାଁପଡା ପଞ୍ଚାୟତ ଅଧିନ ଦକ୍ଷିଣପାରି ଗାଁର ଆନନ୍ଦ ମଳିକଙ୍କ ପୁଅ ଚକ୍ରଧର ମଳିକ । ବୟସ ୩୬ । ଇଛା ଶକ୍ତି ଓ ଦୃଢ ମନୋବଳ ଆଜି ତାଙ୍କୁ ଏହି ସଫଳତା ଆଣି ଦେଇଛି । କଠିନ ପରିଶ୍ରମ, ପିତାମାତାଙ୍କ ଆଶୀର୍ବାଦ, ସହଧର୍ମିଣୀଙ୍କ ପ୍ରେରଣା ଓ ସହଯୋଗ ତାଙ୍କୁ ଏହି ସଫଳତା ଆଣି ଦେଇଥିବା ସେ କହିଛନ୍ତି । ବୟସ ଓ ସାଂସାରିକ ଜୀବନ ଯାପନ ତାଙ୍କ ଚଲା ପଥରେ କୌଣସି ପ୍ରଭାବ ପକାଇ ପାରିନାହିଁ । ପିଲାଦିନରୁ ଅଭାବ ଅନାଟନରେ ବଢିଥିଲେ । ୨୦୦୩ ମସିହାରେ ସ୍ଥାନୀୟ ବାସୁଳୀ ହାଇସ୍କୁଲରୁ ମେଟ୍ରିକ୍ ପାଶ କରି ଭଦ୍ରକ କଲେଜରେ ଯୁକ୍ତଦୁଇ ବିଜ୍ଞାନରେ ନାମ ଲେଖାଇଥିଲେ । ମାତ୍ର ପରିବାରର ଆର୍ଥିକ ଅବସ୍ଥା ତାଙ୍କର ଚଲାପଥକୁ ଦୋହଲାଇ ଦେଇଥିଲା । ପାଠ ପଢାରେ ଡୋରି ବାନ୍ଧି ୨୦୦୬ ମସିହାରେ ରାଜ୍ୟ ବାହାରକୁ ରୋଜଗାର କରିବା ଲାଗି ବାହାରି ଯାଇଥିଲେ । ୨୦୧୧ ମସିହା ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ କାମଧନ୍ଦା କରି ପରିବାରକୁ ସହଯୋଗ କରିଥିଲେ । କିଛି ଅର୍ଥ ସଞ୍ଚୟ କରି ପୂନର୍ବାର ତିହିଡି ଯୁକ୍ତଦୁଇ କଲେଜରୁ ପାଶ କରିଥିଲେ । ପରେ ୨୦୧୬ ମସିହାରେ କଟକ ରେଭେନ୍ସା କଲେଜରୁ ଯୁକ୍ତତିନି ପାଶ କରିଥିଲେ । ୨୦୧୭ ମସିହାରେ ବାଣୀବିହାରରେ ପିଜିରେ ନାମ ଲେଖାଇଥିଲେ । ମାତ୍ର ପଞ୍ଚାୟତ ନିର୍ବାଚନରେ ତାଙ୍କ ଧର୍ମପତ୍ନୀଙ୍କୁ ସରପଞ୍ଚପ୍ରାର୍ଥୀ କରାଯାଇଥିବାରୁ ସେ ଗାଁକୁ ଫେରି ଆସିଥିଲେ । ପଞ୍ଚାୟତବାସୀଙ୍କ ଆଶୀର୍ବାଦରେ ତାଙ୍କ ଧର୍ମପତ୍ନୀ ବିଜୟୀ ହୋଇଥିଲେ । ୫ ବର୍ଷ କାଳ ପଞ୍ଚାୟତବାସୀଙ୍କ ସେବାରେ ନିୟୋଜିତ ହୋଇ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ପ୍ରମୁଖ ସହଯୋଗ କରିଥିଲେ ହେଁ ପାଠ ପଢିବାର ମନୋବଳ ହରାଇନଥିଲେ । ପୁନଶ୍ଚ ୨୦୨୨ ମସିହାରେ ମଧୁସୂଦନ ଆଇନ୍ କଲେଜରେ ନାମ ଲେଖାଇଥିଲେ । ସେଠାରେ ଓଡିଶା ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥିଲେ ଏବଂ ବିନା କୋଚିଂରେ ପ୍ରଥମ ଥରରେ ସେ କୃତକାର୍ଯ୍ୟ ହୋଇଥିବା କହିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଯେଉଁ ସେବା କରିବାର ସୁଯୋଗ ମିଳିବ ଗରିବ ଲୋକଙ୍କ ପାଇଁ ସରକାରଙ୍କ ପ୍ରଦତ୍ତ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବା ଲାଗି ଆପ୍ରାଣ ଉଦ୍ୟମ କରିବେ ବୋଲି ଶ୍ରୀ ମଳିକ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଗାଁକୁ ଫେରିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କୁ ମଳିଛି ବିପୁଳ ସମ୍ବର୍ଦ୍ଧନା ।