ତିହିଡି, ୧୬/୧୦(ଯଦୁମଣି ପାଣିଗ୍ରାହୀ): ତିହିଡି ଡ୍ୟାନ୍ସ ଗ୍ରୁପର କଳାକାର ମାନଙ୍କର ମୋବାଇଲ ଓ ଟଙ୍କା ନେଇ ଫେରାର ହୋଇଯାଇଥିବା ସେହି ଡ୍ୟାନ୍ସ ଗ୍ରୁପର ଜଣେ ଡ୍ୟାନ୍ସର ତଥା ବାଲେଶ୍ୱର ଗୋପାଳପୁର ଥାନା ଇଲାକା କଲ୍ୟାଣୀ ଗାଁର ଜୟନ୍ତ କୁମାର ଦତ୍ତଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି । ତା’ ନିକଟରୁ ୭ଟି ମୋବାଇଲ ଓ ୨ଟି ବ୍ୟାଗ ଜବତ କରାଯାଇଛି । ଡ୍ୟାନ୍ସ ଗ୍ରୁପର ମାଲିକ ସ୍ଥାନୀୟ ଆରସା ଗାଁର ବରୁଣ ନାୟକଙ୍କ ଏତଲା ମୂଳେ ତିହିଡି ଥାନାରେ ଏକ ମାମଲା ନଂ-୪୬୬/୨୪ ରୁଜୁ କରାଯିବା ସହିତ ଅଭିଯୁକ୍ତ ଜୟନ୍ତ କୁମାର ଦତ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ପ୍ରକାଶ ଯେ, ତିହିଡି ଡ୍ୟାନ୍ସ ଗ୍ରୁପ ଗତ ୧୨ ତାରିଖରେ ଦୋଳସାହି ଅଞ୍ଚଳରେ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରୁଥିଲେ । ତେବେ ଜୟନ୍ତ ନୃତ୍ୟ ପରିବେଷଣ କରୁଥିବା ବେଳେ ନିର୍ମିତ ମଞ୍ଚଟି ଭାଙ୍ଗି ପଡିବା ସହିତ ଜୟନ୍ତ ତଳେ ପଡି ଆହତ ହୋଇଥିଲେ । ତେବେ ଗ୍ରୁପର ମାଲିକ କିମ୍ବା କୌଣସି କଳକାର ତାଙ୍କର ଦେଖାଶୁଣା କରିନଥିଲେ କି ରାତିରେ ଖାଇବାକୁ ବି ଡାକି ନଥିଲେ । ଏଥିରେ ଜୟନ୍ତ ଉତକ୍ଷିପ୍ତ ହୋଇଥିଲେ । କାର୍ଯ୍ୟକ୍ରମ ଶେଷ ହେବା ପରେ ସମସ୍ତ କଳାକାର ତିହିଡିସ୍ଥିତ ବରୁଣଙ୍କ ଅଫିସ ଘରେ ଶୋଇଯିବା ପରେ ଅଭିଯୁକ୍ତ ଜୟନ୍ତ ଗ୍ରୁପର କଳାକାର ମାନଙ୍କ ୭ଟି ମୋବାଇଲ, ନଗଦ ୮ ହଜାର ଟଙ୍କା ଓ ୨ଟି ବ୍ୟାଗ ନେଇ ସେଠାରୁ ଖସି ପଳାଇଥିଲା । ଏଥିନେଇ ଡ୍ୟାନ୍ସ ଗ୍ରୁପର ମାଲିକ ବରୁଣ ତିହିଡି ଥାନାରେ ଅଭିଯୋଗ କରିଥିଲେ । ତେବେ ୧୫ ତାରିଖ ଦିନ ଅଭିଯୁକ୍ତ ଜୟନ୍ତ ବରୁଣଙ୍କ ତିହିଡିସ୍ଥିତ ଅଫିସ ନିକଟରେ ବୁଲୁଥିବା ବେଳେ କୌଣସି ସୂତ୍ରରୁ ଖବରପାଇ ପୋଲିସ ତାକୁ ଧରିବାରେ ସକ୍ଷମ ହୋଇଥିଲେ ।