Odisha news

ଗ୍ୟାସ ଲିକ୍ରୁ ଅଗ୍ନିକାଣ୍ଡ, ୨ ଦୋକାନ ଗୃହ ଜଳିଗଲା

0

ତିହିଡି, ୨୧/୦୯(ଯଦୁମଣି ପାଣିଗ୍ରାହୀ): ତିହିଡି ତହସିଲ ଅନ୍ତର୍ଗତ କାଁପଡା ପଞ୍ଚାୟତର କାଁପଡା ଛକରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟି ୨ଟି ଦୋକାନ ଗୃହ ସମ୍ପୂର୍ଣ୍ଣ ପୋଡି ଯିବା ସହିତ ଦୋକାନରେ ଥିବା ସାମଗ୍ରୀ ଗୁଡିକ ପୋଡି ପାଉଁଶ ହୋଇଯାଇଛି  । ଗ୍ୟାସ ଲିକରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି  । ପ୍ରକାଶ ଯେ, କାଁପଡା ଛକରେ ଥିବା ପ୍ରଫୁଲ୍ଲ ଦାସଙ୍କ ଘରକୁ ଭଡା ସୂତ୍ରରେ ନେଇ ରାଜୁ ଦାସ ନାମକ ଜଣେ ବ୍ୟକ୍ତି ସପରିବାର ରହୁଥିବା ବେଳେ  ସେଠାରେ ଏକ ଜଳଖିଆ ଦୋକାନ କରିଥିଲେ  ।  ଆଜି ସକାଳେ ସେ ଗ୍ୟାସ ଲଗାଇ ଜଳଖିଆ ପ୍ରସ୍ତୁତ କରୁଥିବା ବେଳେ ହଠାତ ଟାଙ୍କିରୁ ଗ୍ୟାସ ଲିକ ହୋଇ ନିଆଁ ଧରି ନେଇଥିଲା  । ଏଥିରେ ତାଙ୍କ ଦୋକାନଟି ପୋଡିଯିବା ସହ ଦୋକାନର ସମସ୍ତ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା  । ପରେ ଏହି ନିଆଁ ପାଖରେ ଥିବା ଯଶୋବନ୍ତ ଦାସଙ୍କ ଦୋକାନକୁ ବି ବ୍ୟାପି ଯାଇଥିଲା  । ଫଳରେ ତାଙ୍କ ଦୋକାନଟି ପୋଡିଯିବା ସହ ଦୋକାନରେ ଥିବା ଆଳୁ ପିଆଜ, ଅଣ୍ଡା ଆଦି ସାମଗ୍ରୀ ପୋଡିଯିବା ସହ ଉଭୟ ଦୋକାନରେ ଥିବା ଆସବାବ ପତ୍ର ଓ ନଗଦ ଟଙ୍କା ଆଦି ପୋଡି ପାଉଁଶ ହୋଇଯାଇଥିଲା  । ଖବରପାଇ ତିହିଡିରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ  । ଅନ୍ୟପକ୍ଷେ ଯଶୋବନ୍ତ ଦାସଙ୍କ ପାଖରେ ଥିବା ଅଜିତ ଦାସଙ୍କ ଦୋକାନ ବି ଏହି ଅଗ୍ନିକାଣ୍ଡରେ ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି  । ତିହିଡି ତହସିଲ ପକ୍ଷରୁ ଘଟଣାସ୍ଥଳ ପରିଦର୍ଶନ କରାଯାଇ କ୍ଷୟକ୍ଷତିର ଆକଳନ କରାଯାଇଛି  ।

Har Ghar Tiranga

Leave A Reply