Odisha news

ତିହିଡି ତହସିଲଦାରଙ୍କ ଜାଗା ଚିହ୍ନଟକୁ ଅବରୋଧକାରୀଙ୍କ ଅବମାନନା

0

ତିହିଡି,୨୨/୦୭(ଯଦୁମଣି ପାଣିଗ୍ରାହୀ): ତିହିଡି ତହସିଲଦାରଙ୍କ ନିଦେ୍ର୍ଦଶକ୍ରମେ ଅବରୋଧ ହଟାଇବାକୁ ମାପଚୁପ କରାଗଲା । ସରକାରୀ ଜାଗା ଚିହ୍ନଟ କରାଯାଇ ଖୁଣ୍ଟବି ପୋତାଗଲା । ହେଲେ ପରଦିନ ଅବରୋଧକାରୀ ମାନେ ଉକ୍ତ ଖୁଣ୍ଟ ଗୁଡିକୁ ଓପାଡି ଫଙ୍ଗି ଦେବା ଭଳି ଘଟଣା ସଂପ୍ରତି ଚର୍ଚ୍ଚାର ବିଷୟ ହୋଇଛି । ପ୍ରକାଶ ଯେ, ତିହିଡି ତହସିଲ ଅନ୍ତର୍ଗତ ଉପରଦୁମୁକା ମୌଜାର ଖାତା ନଂ-୪୭୦ ଓ ଖସଡା ନଂ-୧୦୬୬/୨୫୮୦ରେ ଥିବା ଏ୦.୩୮ଡେସିମିଲ ସରକାରୀ ରାସ୍ତା(କେନାଲ ଆଡି)କୁ ଉପରଦୁମୁକା ଗାଁର ଦୁଇଜଣ ବ୍ୟକ୍ତି ବଳପୂର୍ବକ ଅବରୋଧ କରି ବାଉଁଶ ବାଡ ବାନ୍ଧି ଦେଇଥିଲେ । ଫଳରେ ଗାଁର ବହୁ ଲୋକ ଯିବାଆସିବା କରିବା ତ ଦୂରର କଥା ଘରୁ ବାହାରି ପାରୁ ନଥିଲେ । ଏଥିନେଇ ଗାଁର ଚକ୍ରଧର ସାହୁଙ୍କ ସମେତ ଗ୍ରାମବାସୀ ମାନେ ତିହିଡି ତହସିଲଦାରଙ୍କ ଠାରେ ଅଭିଯୋଗ କରିଥିଲେ । ଏହି ଆଧାରରେ ତହସିଲ ପକ୍ଷରୁ ଏକ ଡିମାରକେଶନ ମାମଲା ନଂ-୭୩/୨୪ ରୁଜୁ କରାଯିବା ପରେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟଙ୍କ ନିଦେ୍ର୍ଦଶକ୍ରମେ ଗତ ୨୦ ତାରିଖରେ ସରକାରୀ ଅମିନ ଓ ପୀରହାଟ ପୋଲିସଙ୍କ ଉପସ୍ଥିତିରେ ଉକ୍ତ ସରକାରୀ ଜାଗାକୁ ମାପଚୁପ କରାଯିବା ସହ ଜାଗା ଚିହ୍ନଟ କରାଯାଇ ଖୁଣ୍ଟ ପୋତା ଯାଇଥିଲା । ତେବେ ଅବରୋଧକାରୀ ମାନେ ଠିକ୍ ତା’ ପରଦିନ ନାନାଦି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଆମେ ସରକାରୀ ଆଇନକାନୁନକୁ ମାନିବୁ ନାହିଁ, ଆମର କିଏ କ’ଣ କରିବ ଦେଖିବୁ ଆଦି କହି ଉକ୍ତ ଖୁଣ୍ଟଗୁଡିକୁ ଓପାଡି ଫିଙ୍ଗି ଦେଇଥିଲେ । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ତହସିଲଦାର ତୁରନ୍ତ ଉକ୍ତ ସରକାରୀ ରାସ୍ତାକୁ ଅବରୋଧ ମୁକ୍ତ କରିବା ସହ ଆଇନକୁ ଅବମାନନା କରିଥିବା ଅବରୋଧକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦୃଢ ଦାବି କରିଛନ୍ତି ।

Leave A Reply