ତିହିଡି, ୨୩/୦୪(ଯଦୁମଣି ପାଣିଗ୍ରାହୀ): ଭଦ୍ରକ-ଚାନ୍ଦବାଲି ରାସ୍ତାର ଫତେପୁର ଛକ ନିକଟରେ ଛିଡା ହୋଇଥିବା ଏକ ହାଇୱାକୁ ଗତକାଲି ରାତିରେ ଏକ ବାଇକ ପଛପଟି ପିଟିବା ଫଳରେ ବାଇକରେ ବସିଥିବା ଜଣେ ଯୁବକଙ୍କର ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ମୃତ ଯୁବକ ହେଉଛନ୍ତି ପ୍ରଫୁଲ୍ଲ ବେହେରାଙ୍କ ପୁଅ ସତ୍ୟବ୍ରତ ବେହେରା (୨୮) ଓ ତାଙ୍କ ଘର ହେଉଛି ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ବୋଲି ଜଣାଯାଇଛି । ସେହିପରି ଆହତ ଯୁବକ ହେଉଛନ୍ତି ଶଙ୍ଖାଳି ପାଣ୍ଡବଙ୍କ ପୁଅ ଗଣେଶ ପାଣ୍ଡବ(୩୪) ଓ ତାଙ୍କ ଘର ପୀରହାଟ ଥାନା ଅନ୍ତର୍ଗତ ହରିସିଂପୁର ଗାଁରେ ବୋଲି ଜଣାଯାଇଛି । ଗଣେଶ ୧୦୨ ଆମ୍ଭୁଲାନ୍ସର ଡ୍ରାଇଭର ଭାବେ କାମ କରୁଥିବା ବେଳେ ସତ୍ୟବ୍ରତ ୧୦୮ ଗାଡିର ଫାର୍ମାସିଷ୍ଟ ଭାବେ କାମ କରନ୍ତି । ଗତକାଲି ରାତି ପ୍ରାୟ ୧୦-୩୦ ସମୟରେ ଉଭୟ ଏକ ବାଇକ ଯୋଗେ ତିହିଡିରୁ ପୀରହାଟ ଅଭିମୁଖେ ଯାଉଥିବା ବେଳେ ଫତେପୁର ଛକ ନିକଟରେ ପୂର୍ବରୁ ଛିଡା ହୋଇଥିବା ଏକ ହାଇୱାକୁ ପଛପଟୁ ପିଟି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ଉଭୟ ଛିଟିକି ପଡି ଗୁରୁତର ହୋଇଥିଲେ । ଉଭୟଙ୍କୁ ଚିକିତ୍ସା ଲାଗି ତିହିଡି ମେଡିକାଲକୁ ଅଣାଯାଇଥିଲା । ତେବେ ସେଠାରେ ସତ୍ୟବ୍ରତଙ୍କ ମୃତୁ୍ୟ ଘଟିଥିବା ବେଳେ ଗୁରୁତର ଗଣେଶଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସତ୍ୟବ୍ରତଙ୍କ ମୃତୁ୍ୟରେ ଆମ୍ଭୁଲାନ୍ସ ମହାସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯିବା ସହ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରାଯାଇଛି ।