Odisha news

ନ୍ୟାୟ ଦାବିରେ ପୀରହାଟ ଥାନା ଆଗରେ ଧାରଣାରେ ବସିିଲେ ପୀଡିତା ପରିବାର

0

ତିହିଡି,୩୧/୦୩(ଯଦୁମଣି ପାଣିଗ୍ରାହୀ) : ନ୍ୟାୟ ଦାବିରେ ତିହିଡି ବ୍ଲକ ପୀରାହାଟ ଥାନା ଆଗରେ ଧାରଣାରେ ବସିିଲେ ପୀଡିତା ପରିବାର । ପୋଲିସ ପକ୍ଷରୁ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କ ବିରୋଧରେ ଯେଉଁ ଦଫା ଲାଗିଲା ସମାନ ଦଫା ପୀଡିତାଙ୍କ ପରିବାର ବିରୋଧରେ ଲାଗିଛି । ଜାତିଆଣା ମନୋଭାବ ନେଇ ଗାଳି ଗୁଲଜ ଦଫା ଦରଜ ହେବାରୁ ବାଦ୍ ବି ପଡିଲା । ଆଉ ସବୁଠୁ ବଡ କଥା ହେଉଛି ବିନା ଦୋଷରେ ପୀଡିତାଙ୍କ ବାପାଙ୍କୁ ଗିରଫ୍ କରାଯାଇଛି । ଅପରପକ୍ଷ ୯ ଜଣ ଅଭିଯୁକ୍ତ ଥିବାବେଳେ ମାତ୍ର ଜଣକୁ ଗିରଫ୍ କରି ପୋଲିସ ହାତ ଟେକି ଦେଇଛି । ଯାହାକୁ ନେଇ ପୋଲିସ ବିରୋଧରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ପୀଡିତାଙ୍କ ପରିବାର ପକ୍ଷରୁ ଦେବକୀ ସେଠୀ, କନକଲତା ସେଠୀ, ମିନତୀ ସେଠୀ, ମମତା ସେଠୀ, ମାମା ସେଠୀ, ମାନସୀ ସେଠୀ, ତପସ୍ୱୀ ସେଠୀ, ଦିପିକା ସେଠୀ ପ୍ରମୁଖ ଥାନା ଆଗରେ ଧାରଣାରେ ବସି ପ୍ରତିବାଦ କରିଥିଲେ । ସୂଚନା ମୁତାବକ, ଏହି ଥାନାଧିନ ମାଲପୁର ଗାଁରେ ରଙ୍ଗ ଖେଳ ଦିନ ଘଟିଥିଲା ଏକ ବଡ ଧରଣର ଅଘଟଣ । ଅଭିଯୁକ୍ତମାନେ ରଙ୍ଗ ମାରିବାକୁ ଆସିଥିବା ବେଳେ ଭ୍ରମରବର ସେଠୀଙ୍କ ନାବାଳିକା ଝିଅ ବାରଣ କରିଥିଲେ । ହେଲେ ସେମାନେ ମାନିନଥିଲେ । ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ନାବାଳିକାକୁ ଟଣାଓଟରା କରିବା ସହ ମାଡ ମାରିଥିଲେ । ଫଳରେ ନାବାଳିକାର ତଳି ପେଟ, ଛାତି ଓ ପିଠିରେ ଗଭୀର ଆଘାତ ଲାଗିଥିଲା । ତାକୁ ପ୍ରଥମେ ତିହିଡି ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ତାଙ୍କ ବାପା ସେଥିରେ ପ୍ରତିବାଦ କରିବା ସହିତ ଥାନାରେ ଏତଲା ଦେବାରୁ ଅପରପକ୍ଷ ବାଡି, ଠେଙ୍ଗା ଓ ମାରଣାସ୍ତ୍ର ଧରି ଜାତିଗୋତ୍ର ଉଠାଇ ଗାଳି ଦେଲେ ଏବଂ ଶେଷରେ ମରଣାନ୍ତକ ଆକ୍ରମଣ କରିଥିଲେ । ଅଭିଯୁକ୍ତମାନଙ୍କ ସହ ଘଣ୍ଟେଶ୍ୱରର ଭଡାଟିଆ ଗୁଣ୍ଡା ମଧ୍ୟ ସାମିଲ ଥିଲେ । ନାବାଳିକାର ମାଆ ଦେବକୀ ସେଠୀଙ୍କ ଏତଲା କ୍ରମେ ଥାନାରେ ପଞ୍ଚୁଆ ଦାସ, ରବିନ୍ଦ୍ର ସେଠୀ, ମେଘୁ ଦାସ, ଶମ୍ଭୁ ଦାସ, ଲିପୁ ଦାସ, ମୁନୁ ଦାସ, ଦିପକ ଦାସ, ଭାଗି ଦାସ ଓ ଦୁଖ ଦାସ ପ୍ରମୁଖଙ୍କ ବିରୋଧରେ ଏକ ମାମଲା ୭୪/୨୪, ଦଫା ୨୪୧, ୩୫୪(ଏ), ୨୯୪, ୪୪୮, ୩୨୩, ୫୦୬, ୩୪ ଆଇପିସି ସମେତ ୧୨ ପସ୍କୋ ଏକ୍ଟ ରୁଜୁ କରାଯାଇଛି । ତନ୍ମଧ୍ୟରୁ ପୋଲିସ ମାତ୍ର ଦୁଖକୁ ଗିରଫ୍ କରିଛି । ଏବଂ କୌଣସି ଦୋଷ ନଥାଇ ନାବାଳିକାର ବାପା ଭ୍ରମରବାର ସେଠୀ ଗିରଫ୍ କରିଥିବା ଅଭିଯୋଗ ହୋଇଛି । ପ୍ରାୟ ଦୁଇ ଘଣ୍ଟା ବସିବା ପରେ ଆଇଆଇସି ଅଜୟ କୁମାର ମୁର୍ମୁ ଧାରଣାରତ ମହିଳାମାନଙ୍କ ବୁଝାସୁଝା କରାଇଥିଲେ । ତଦନ୍ତ ଜାରି ରହିଛି ଆବଶ୍ୟକ ମୁତାବକ ବିହିତ ପଦକ୍ଷେପ ନିଆଯିବ ବୋଲି ପ୍ରତି ଦେବାପରେ ମହିଳାମାନେ ସଂଧ୍ୟାରେ ଧାରଣାରୁ ଓହରିଥିବା ସୂଚନା ମିଳିଛି । ତେବେ ଆଗକୁ ଉଚିତ୍ ନ୍ୟାୟ ନମିଳିଲ ପୂନର୍ବାର ଥାନା ସମ୍ମୁଖରେ ଧାରଣ ଦେବା ସହିତ ପ୍ରତିବାଦ କରାଯିବ ବୋଲି ପୀଡିତା ପରିବାର ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave A Reply