ତିହିଡି,୧୮/୦୧(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅନ୍ତର୍ଗତ ପୀରହାଟ ଶାନ୍ତି ଶୈଳେନ୍ଦ୍ର ସରକାରୀ ହାଇସ୍କୁଲରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ଶିକ୍ଷାବିତ ସୁରେନ୍ଦ୍ର ସେନାପତି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥଲେ । ପରେ ଶିକ୍ଷକ ଯଦୁମଣି ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ପ୍ରଧାନଶିକ୍ଷକ ତାପସ ରଞ୍ଜନ ବେହେରା, ଶିକ୍ଷକ ଜୟନ୍ତ କୁମାର ମହାନ୍ତି, ରବିନ୍ଦ୍ର କୁମାର ପରିହାରୀ, ସ୍କୁଲ ପରିଚାଳନା କମିଟି ସଭାପତି ସୁକାନ୍ତ କୁମାର ବଳ ପ୍ରମୁଖ ଉପସ୍ଥିତ ରହି ଆମ ମାତୃଭାଷା ଓଡିଆ ହେଉଛି ଆମ ହୃଦୟର ଭାଷା । ଏହାର ସୁରକ୍ଷା ଓ ବିକାଶ ଦିଗରେ ଆମେ ସମସ୍ତେ ନିଷ୍ଠାର ସହିତ କାର୍ଯ୍ୟ କରିବା ଆବଶ୍ୟକ ବୋଲି କହିବା ସହ ଛାତ୍ରଛାତ୍ରୀ ମାନେ ନିଜ ମାତୃଭାଷାରେ ଦକ୍ଷ ଓ ପରିପକ୍ୱ ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ସ୍କୁଲର ସାହିତ୍ୟ ସୃଜନୀ କ୍ଲବ, କୌଶଳୀ କ୍ଲବ, କ୍ରୀଡାଙ୍ଗନା କ୍ଲବ ଓ ଜୀଜ୍ଞାସା କ୍ଲବ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ‘ମୋ କଥା ମୋ କାହାଣୀ’ ଶୀର୍ଷକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ଲେଖକଙ୍କ ଗଳ୍ପ, କବିତା ଓ ଉପନ୍ୟାସ ଉପରେ ନିଜସ୍ୱ ପୁସ୍ତିକା ମାନ ପ୍ରସ୍ତୁତ କରି ଏହାକୁ ସମୀକ୍ଷା କରିଥିଲେ । ସେହିପରି କିଛି ଛାତ୍ରଛାତ୍ରୀ ସ୍ୱରଚିତ କବିତା ଓ ଗଳ୍ପ ପାଠ କରିଥିବା ବେଳେ କିଛି ଛାତ୍ରୀ ନୃତ୍ୟ ମାଧ୍ୟମରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ସେହିପରି ଶିକ୍ଷୟିତ୍ରୀ ପ୍ରମୋଦିନୀ ବାରିକ ସଙ୍ଗୀତ ଗାନ କରିଥିବା ବେଳେ ଶିକ୍ଷକ ଜୟନ୍ତ ମହାନ୍ତି କବିତା ପାଠ କରିଥିଲେ । ଏହିି ଅବସରରେ ସ୍କୁଲର ପ୍ରାଚୀର ପତ୍ର ‘ସୃଷ୍ଟି ଓ ସ୍ୱାକ୍ଷର’ ଓ ‘ନବ ଉନ୍ମେଷ’କୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ପ୍ରାରମ୍ଭରେ ଛାତ୍ରୀ ମାନେ ‘ବନେ୍ଦ ଉକ୍ରଳ ଜନନୀ’ ପରିବେଷଣ କରିଥିଲେ । ଏହି ଉତ୍ସବକୁ ଶିକ୍ଷୟିତ୍ରୀ ରଶ୍ମିତା ଧନି, ପ୍ରଜ୍ଞାଶା ମିଶ୍ର, କ୍ଷୀରପ୍ରଭା ମହାନ୍ତି, ବନ୍ଦନା ପାଣିଗ୍ରାହୀଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ପରିଚାଳନା କରିଥିଲେ ।