Odisha news

କାମ ଦେଲାନି ପ୍ରତିଷେଧକ ଇଞ୍ଜେକ୍ସନ : ତିହିଡିର ଶତାଧିକ ଗାଈଗୋରୁ ଫାଟୁଆରେ ଆକ୍ରାନ୍ତ

0

ତିହିଡି : ତିହିଡି ବ୍ଲକର ବିଭିନ୍ନ ଅଞ୍ଚଳରେ ଶତାଧିକ ଗୋରୁ ଗାଈ ଫାଟୁଆ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ରୋଗ ପାଇଁ କିଛି ମାସ ପୂର୍ବେ ଦିଆଯାଇଥିବା ପ୍ରତିଷେଧକ ଇଞ୍ଜେକ୍ସନ ଫଳପ୍ରଦ ହୋଇ ନଥିବାରୁ ଏ ପ୍ରକାର ପରିସ୍ଥିତି ଉପୁଜିଛି । ଯାହାକୁ ନେଇ ଗୋପାଳକ ମାନେ ଚିନ୍ତାରେ ପଡି ଯାଇଛନ୍ତି । ବ୍ଲକର ବିଭିନ୍ନ ଅଞ୍ଚଳରେ ଲୋକମାନେ ଗାଈଗୋରୁ ପାଳନ କରିଛନ୍ତି । କେତେକ ମଧ୍ୟ ଗୋପାଳନକୁ ଜୀବିକା ଭାବେ ନେଇ ପରିବାର ପ୍ରତିପୋଷଣ କରୁଛନ୍ତି । ବିଶେଷକରି କରୋନା କାଳରେ ବାହାର ରାଜ୍ୟରେ କାମ କରୁଥିବା ଲୋକମାନେ ଗାଁ ଗଣ୍ଡାକୁ ଫେରି ଆସିଛନ୍ତି । ସେମାନେ ଆଉ ବାହାରକୁ ନ ଯାଇ ଆତ୍ମ ନିର୍ଭରଶୀଳ ହେବା ଲାଗି ଗୋପାଳନକୁ ଜୀବିକା ଭାବେ ଆପଣେଇ ନେଇଛନ୍ତି । ଗତ କିଛି ବର୍ଷ ତଳେ ବ୍ଲକରେ ପ୍ରାୟ ୫୦ ପ୍ରତିଶତ ଗୋରୁଗାଈଙ୍କ ସଂଖ୍ୟା କମି ଯାଇଥିଲା । ମାତ୍ର ଏହି ୨ବର୍ଷ ମଧ୍ୟରେ ଏହି ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି । ତେବେ ଗୋରୁଗାଈ ମାନଙ୍କୁ ରୋଗମୁକ୍ତ କରି ସୁରକ୍ଷିତ ରଖିବା ପାଇଁ ପ୍ରାଣୀ ବିଭାଗ ପକ୍ଷରୁ ପ୍ରତିଶେଧକ ଇଞ୍ଜେକ୍ସନ ମାନ ଦିଆଯାଉଛି । ଗତ ୨ ମାସ ତଳେ ବିଭାଗୀୟ ପଶୁଧନ ନିରୀକ୍ଷକ ମାନେ ଗାଁ ଗଣ୍ଡାକୁ ଯାଇ ଗାଈଗୋରୁଙ୍କୁ ଫାଟୁଆ ଇଞ୍ଜେକ୍ସନ ଦେଇଥିଲେ । ଗୋରୁଗାଈଙ୍କୁ ପ୍ରତିଷେଧକ କରାଇବା ପରେ ଗୋପାଳକ ମାନେ ନିଶ୍ଚିନ୍ତ ଥିଲେ । ମାତ୍ର ଏହି ଇଞ୍ଜକ୍ସନ ଫଳପ୍ରଦ ନ ହେବାରୁ ଫାଟୁଆ ରୋଗ ଦେଖା ଦେଇଛି । ଗତ ସପ୍ତାହକ ମଧ୍ୟରେ ବିଭିନ୍ନ ଅଞ୍ଚଳରେ ପ୍ରାୟ ୨ଶହରୁ ଉଦ୍ଧ୍ୱର୍ ଗୋରୁଗାଈ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଏହା ଏକ ମାରାତ୍ମକ ରୋଗ ହୋଇଥିବା ବେଳେ ଗାଈଗୋରୁ ଏଥିରେ ମୃତୁ୍ୟ ମୁଖରେ ପଡିବା ଯଥେଷ୍ଟ ସମ୍ଭାବନା ରହିଛି । ଏହାଛଡା ରୋଗ ପାଇଁ ମଧ୍ୟ ଗୋପାଳକ ମାନଙ୍କୁ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡୁଛି । ଏହି ପରିପ୍ରେକ୍ଷୀରେ ପ୍ରାଣୀ ବିଭାଗ ପକ୍ଷରୁ ଜରୁରିକାଳୀନ ଚିକିତ୍ସା କରାଯାଇ ଗୋରୁଗାଈଙ୍କୁ ରୋଗ ମୁକ୍ତ କରିବାକୁ ଗୋପାଳକ ମାନେ ଦାବି କରିଛନ୍ତି ।

Leave A Reply