“ତନ୍ମୟ’ କୋଲକତାର ଏକ ପ୍ରାଇଭେଟ୍ କମ୍ପାନୀରେ କାମ କରେ । ସ୍ତ୍ରୀ “ନେହା’ ଓ ପୁଅ “ବବୁଲ’ ସହ ପ୍ରାୟ ଦଶବର୍ଷ ହେଲାଣି ସେ ସେହିଠାରେ ରୁହେ । ପିତା ଅବିନାଶ ଓ ମାତା ସୁଭଦ୍ରା ଗାଁରେ ରୁହନ୍ତି । ପୁଅ, ବୋହୂ ଓ ନାତିକୁ ଦେଖିବାକୁ ମନରେ ତାଙ୍କର କେତେ ଯେ ଆଗ୍ରହ… ସେ କଥା କାହା ଆଗେ ବା ପ୍ରକାଶ କରିବେ! ପୁଅ ବଡ଼ ହେଲା, ପାଠ ପଢ଼ି ଶିକ୍ଷିତ ହେଲା, ଚାକିରି କଲା । ବିବାହ ପରେ ପରେ ପତ୍ନୀ ସହ କୋଲକତାରେ ରହିଲା ଯେ ରହିଲା ଆଉ ଗାଁ ମାଟି ମନେ ପଡ଼ିଲାନି ଥରେ ହେଲେ ।
ପୁଅ ଜନ୍ମ ହୋଇ ଆଠ ବର୍ଷର ହେଲାଣି । ହେଲେ କଣ ହେବ! ତନ୍ମୟ ଗାଁକୁ ଯିବା କଥା କହିଲେ ଆଗ ପ୍ରସ୍ତାବଟି ନେହା ପାଖରେ କାଟ୍ ଖାଇଯିବ । ରୋକ୍ଠୋକ୍ ତନ୍ମୟକୁ ଶୁଣାଇଦିଏ, ମୋ ଜୀବନକାଳ ଭିତରେ ଥରୁଟିଏ ବି ମୋତେ ସେ ଗାଁକୁ ଯିବା କଥା କହିବ ନାହିଁ । ତନ୍ମୟକୁ ନେହ କଣ କିମିଆ କରିଛି କେଜାଣି ନେହା ଉଠ୍ କହିଲେ ସେ ଉଠୁଛି, ଆଉ ବସ୍ କହିଲେ ବସୁଛି । ପୁରୁଣା ଢଗଟିଏ ମନେ ପଡ଼ିଯାଏ ନେହା ଚରିତ୍ରକୁ ଦେଖି – “ପାଖରେ ଶୁଏ, କାନରେ କହେ, ତା କଥା କି ଅନ୍ୟଥା ହୁଏ” । ଅବଶ୍ୟ ସବୁ ନାରୀ ଚରିତ୍ର ସେପରି ନୁହଁନ୍ତି । ଅନେକ ସ୍ଥାନରେ ପରଝିଅମାନେ ଶାଶୁଘରକୁ ଆସି ସେ ଘରକୁ ସ୍ୱର୍ଗ ସମାନ ପରିଣତ କରିଦେବାର ଦୃଷ୍ଟାନ୍ତ ମଧ୍ୟ ବିରଳ ନୁହେଁ ।
ତନ୍ମୟ ଅବଶ୍ୟ କେବେ କେବେ ନିରୋଳରେ ବସି ବାପା ମାଆଙ୍କୁ ମନେ ପକାଏ । ହେଲେ କଣ ମିଳିବ ସେ ତୁଚ୍ଛା ମନେପକେଇବାରେ । ସ୍ତ୍ରୀ କଥା ମାନି ଯିଏ ପିତାମାତା ଭଳି ଦୁର୍ଲଭ ରତ୍ନଙ୍କୁ ଗୋଡ଼ରେ ଠେଲି ଦେଇପାରେ, ତା ଜୀବନରେ ସୁଖ, ଶାନ୍ତି କାହିଁ!!! ଗାଁ ଲୋକେ ଛି ଛାକର କରନ୍ତି, କୁହନ୍ତି ଏମିତି ପୁଅ, ଥିଲେ କେତେ ନ ଥିଲେ କେତେ!! ବାପା ମାଆ ମରିଗଲେ ବି ଏଇଟା ଶବଦାହ ତ ଦୂରର କଥା ଶୁଦ୍ଧିକି୍ରୟାରେ ମଧ୍ୟ ଯୋଗ ଦେବ କି ନ ଦେବ ସନେ୍ଦହ!!!
ଅବିନାଶ ଓ ସୁଭଦ୍ରା ଗାଁ ଲୋକଙ୍କ କଥା ଏ କାନରେ ପୂରାଇ ସେ କାନରେ କାଢ଼ିଦିଅନ୍ତି । ଦୁହେଁ ନୀରବରେ ପୁଅ ବୋହୂ ଓ ନାତିର ମଙ୍ଗଳ ମନାସି ପ୍ରାର୍ଥନା କରନ୍ତି ।
ଦିନେ ହଠାତ୍ ଖରାବେଳେ ଅବିନାଶଙ୍କ ଘର ସମ୍ମୁଖରେ କାର୍ଟିଏ ଠିଆ ହେଲା । କାର୍ ଭିତରୁ ପୁଅ, ବୋହୂ ଓ ନାତି ଟୋକା ଆଟାଚି, ବେଡ଼ିଙ୍ଗ୍, ବ୍ୟାଗ୍ମାନ ଧରି ଓହ୍ଲାଇ ପଡ଼ିଲେ । ସାଇ ପଡ଼ିଶା ଲୋକେ ଜମା ହୋଇଗଲେ । ଥଟ୍ଟା ପରିହାସ କରି ଅନେକ କଥା କହିଲେ । ଚେତାବନୀ ଦେଲେ, “କରୋନା ସମୟରେ ଗାଁକୁ ପୁଣି କୋଲକତାରୁ ଆସିବାକୁ ସାହସ କଲ କିପରି!! ଯେଉଁ ବାଟେ ବାଟେ ଆସିଛ ବାବୁ ସେହି ବାଟେ ବାଟେ ଫେରିଯାଅ” । ତନ୍ମୟ ହାତଯୋଡ଼ି ସମସ୍ତଙ୍କୁ କ୍ଷମାମାଗି କହିଲା, “କମ୍ପାନୀ ମ୍ୟାନେଜର “କରୋନା’ ଯୋଗୁ ହେଉଥିବା କ୍ଷତିକୁ ସମ୍ଭାଳି ନ ପାରି କମ୍ପାନୀରୁ ହଠାତ୍ ବାହାର କରିଦେଲେ । ଘର ମାଲିକ ଭଡ଼ାଘରୁ ଉଠିଯିବାକୁ କହିଲେ । ନିରୁପାୟ ହୋଇ ଏଠାକୁ ଚାଲିଆସିଲୁ । ଆଉ କିଛି ଚାରା ନଥିଲା ଆମର” ।
ଅବିନାଶ ମଧ୍ୟ ପୁଅ ପାଇଁ ସମସ୍ତଙ୍କୁ ହାତ ଯୋଡ଼ି କ୍ଷମା ମାଗିଲେ ଏବଂ ଘରର ଏକ ସ୍ୱତନ୍ତ୍ର କୋଠରୀରେ ସେମାନେ ଚଉଦ ଦିନ ପାଇଁ କୋଭିଡ୍-୧୯ର ସମସ୍ତ ନିୟମ ମାନି ରହିବେ ବୋଲି ପ୍ରତିଶ୍ରୁତି ଦେଲେ । ଜମା ହୋଇଥିବା ବ୍ୟକ୍ତିଙ୍କ ଭିତରୁ ଜଣେ ବଡ଼ ପାଟିରେ କହିଲେ, “ହଇଓ ଏଭଳି ସ୍ୱାର୍ଥପର, କୁଳାଙ୍ଗାର ପୁଅ ପାଇଁ ଆପଣଙ୍କ ହୃଦୟରେ ଏତେ ଦୟା କାହିଁକି??” ଅବିନାଶ ଛଳଛଳ ଆଖି, କୋହଭରା କଣ୍ଠରେ କହିଲେ, ମୁଁ ଯଦି ତାକୁ ଏ ଅସମୟରେ ଆଶ୍ରୟ ନ ଦେଇ ଫେରେଇଦେବି, ତେବେ ତା’ ମୋ ଭିତରେ ଫରକ କଣ ରହିବ!!! ଗାଁ ଲୋକେ ଅବାକ୍ ହୋଇ ଅନେଇ ରହିଥିଲେ ଅବିନାଶଙ୍କ ମୁହଁକୁ ।