Odisha news

ଅତିଥି ଶିକ୍ଷକ ନିଯୁକ୍ତି ଦାବିରେ ପୁରୁଣା ସିଟି ଓ ବିଇଡି ମହାସଂଘର ଗଣଧାରଣା

0

ଭୁବନେଶ୍ୱର,୦୯ା୦୨: ରାଜ୍ୟରେ ଥିବା ଅଣନିଯୁକ୍ତିପ୍ରାପ୍ତ ପୁରୁଣା ସିଟି ଓ ବିଇଡି ଡିଗ୍ରୀଧାରୀଙ୍କୁ ଅତିଥି ଶିକ୍ଷକ ନିଯୁକ୍ତି ଦାବିରେ ମହାସଂଘ ପକ୍ଷରୁ ଲୋୟର ପିଏମ୍ଜି ଠାରେ ଗଣଧାରଣା ଗତ ୭ ତାରିଖରୁ ଆରମ୍ଭ ହୋଇଛି । ମହାସଂଘର ସଭାପତି ଗୋପବନ୍ଧୁ ମୁଦୁଲି ଓ ସଂପାଦକ କାହ୍ନୁଚରଣ ସାହୁଙ୍କ ନେତୃତ୍ୱରେ ଏହି ଗଣାଧାରଣା ଜାରି ରହିଛି । ତେବେ ଗତ ୭ ତାରିଖ ଦିନ ସରକାରଙ୍କ ଠାରୁ ଡାକରା ପାଇ ମହାସଂଘର କର୍ମକର୍ତ୍ତା ମାନେ ଧାରଣାସ୍ଥଳରୁ ଯାଇ ମୁଖ୍ୟମନ୍ତ୍ରୀଙ୍କର ଅତିରିକ୍ତ ସଚିବ ରୀତାରାଣୀ ମହାପାତ୍ରଙ୍କୁ ସାକ୍ଷାତ କରି ସିଟି ଓ ବିଇଡି ଡିଗ୍ରୀଧାରୀ ମାନେ ବିଭିନ୍ନ କାରଣରୁ କିପରି ନିଯୁକ୍ତିରୁ ବଞ୍ଚିତ ହୋଇ ଦୁଃଖକଷ୍ଟରେ ଜୀବନ ଅତିବାହିତ କରୁଛନ୍ତି ସେ ସଂପର୍କରେ ତାଙ୍କୁ ଅବଗତ କରାଇବା ସହ ସେମାନଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ଦେଇ ଅବଶିଷ୍ଟ ଜୀବନ ଟିକେ ଶାନ୍ତିରେ ବଞ୍ଚିବାକୁ ସୁଯୋଗ ଦେବାକୁ ଆକୁଳ ନିବେଦନ କରିଥିଲେ । ତେବେ ସଚିବ ଶ୍ରୀମତୀ ମହାପାତ୍ର ମହାସଂଘର ଦାବିକୁ ସହୃଦୟତାର ସହ ଗ୍ରହଣ କରିବା ସହ ଏଥିନେଇ ସକାରାତ୍ମକ ମତାମତ ପ୍ରଦାନ କରିଥିବାରୁ ସଂଘ ପକ୍ଷରୁ ତାଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଗତ ୧୯୯୦ରୁ ୨୦୦୧ ମଧ୍ୟରେ ରାଜ୍ୟରେ ହଜାର ହଜାର ଯୁବକ-ଯୁବତୀ ସିଟି ଓ ବିଇଡି ଡିଗ୍ରୀ ହାସଲ କରିଥିଲେ ମଧ୍ୟ ବିଭିନ୍ନ ସମୟରେ ସରକାରୀ ଅବହେଳାର ଶିକାର ହୋଇ ନିଯୁକ୍ତି ପାଇବାରୁ ବଞ୍ଚିତ ହୋଇଛନ୍ତି । ଯେଉଁଥିପାଇଁ ଏମାନେ ଦୀର୍ଘ ୨୫ ବର୍ଷରୁ ଉଦ୍ଧ୍ୱର୍ କାଳ ଧରି ଚାକିରି ଖଣ୍ଡେ ପାଇବାକୁ ଉଦ୍ୟମ କରି ଆସିଥିଲେ ମଧ୍ୟ ସରକାର କି ପ୍ରଶାସନ ଏମାନଙ୍କ କଥା ଶୁଣି ନାହାନ୍ତି । ଏହି ଡିଗ୍ରୀଧାରୀ ମାନେ ଏକ ସଂଘ ଗଠନ କରି ବିଭିନ୍ନ ସମୟରେ ସରକାରଙ୍କ ଠାରେ ହାରିଗୁହାରୀ କରିବା ସହ ଆନେ୍ଦାଳନାତ୍ମକ କାର୍ଯ୍ୟପନ୍ଥା ମଧ୍ୟ ଗ୍ରହଣ କରିଛନ୍ତି । ସରକାର ପ୍ରତିଶ୍ରୁତି ଦେଇଛନ୍ତି ଓ ପରେ ଏହାକୁ ଭୁଲି ଯାଇଛନ୍ତି । ଯେଉଁଥିପାଇଁ ଏମାନେ ଆଜି ସୁଦ୍ଧା ଚାକିରିରୁ ବଞ୍ଚିତ ହୋଇ ବିଭିନ୍ନ କାମଧନ୍ଦା କରିବା ସହ ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି । ବଡ ଦୁଃଖ କଷ୍ଟରେ ଏମାନେ ଜୀବନ ଅତିବାହିତ କରୁଛନ୍ତି । ଏମାନଙ୍କର ଚାକିରି କରିବା ବୟସ ବି ଅତିକ୍ରାନ୍ତ । ତେଣୁ ନିୟମିତ ଶିକ୍ଷକ ଭାବେ ବି ଏମାନଙ୍କୁ ଆଉ ନିଯୁକ୍ତି ଦିଆଯାଇ ପାରିବନି । ସରକାର ହାଇସ୍କୁଲ ମାନଙ୍କରେ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ଦେଉଛନ୍ତି । ସେହି ସ୍ଥାନରେ ଏହି ପୁରୁଣା ସିଟି ଓ ବିଇଡି ଡିଗ୍ରୀଧାରୀଙ୍କୁ ନିଯୁକ୍ତି ଦିଆ ଯିବାର ବ୍ୟବସ୍ଥା କରାଗଲେ ସେମାନେ ଆପାତତଃ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବାକୁ ସମର୍ଥ ହୋଇପାରନ୍ତେ ବୋଲି ଗଣଧାରଣାରେ ଉପସ୍ଥିତ ଅଣନିଯୁକ୍ତିପ୍ରାପ୍ତ ପୁରୁଣା ସିଟି ଓ ବିଇଡି ସଂଘର ରାଜ୍ୟ ସଭାପତି ଗୋପବନ୍ଧୁ ମୁଦୁଲି, ଉପସଭାପତି ବିଜୟ କୁମାର ମହାନ୍ତି, ସଂପାଦକ କାହ୍ନୁଚରଣ ସାହୁ, ବିନୟ କୁମାର ମହାପାତ୍ର, ବରିଷ୍ଠ ସଦସ୍ୟ ପତିତପାବନ ପ୍ରଧାନ, ଗଗନ ବିହାରୀ ମିଶ୍ର, ଶାନ୍ତନୁ କୁମାର ଭଞ୍ଜ, ଶରତ ମହାକୁଡ ଓ ଯଦୁମଣି ପାଣିଗ୍ରାହୀ ପ୍ରମୁଖ ମତ ପ୍ରକାଶ କରିଛନ୍ତି ।

Nalco

Leave A Reply