ଗିରୀଶ! ଚାହୁଁ ଚାହୁଁ କଟିଗଲା ତୁମ ବର୍ତ୍ତମାନର ଗୋଟିଏ ବର୍ଷ ବିଶ୍ବାସ ନ ହେଲେ ବି ବିଶ୍ବାସ କରିବାକୁ ପଡୁଛି ତୁମ କବିତା”ଶେଷ କଥା” ର ସତ୍ୟତାକୁ। ରାଗ, ଅଭିମାନ, ସତ, ମିଛ , ବିଶ୍ବାସ ଓ ଅବିଶ୍ବାସରେ ତିଆରି ମୋ ବାଲି ଘର ସ୍ଵପ୍ନର ସଂସାର ପାପ ପ୍ରଣୟର ଚଉହଦୀ ରେ ଆବଦ୍ଧ ଏଇ ମୋ ଜୀବନ l ଏବେ ତ ମୋ ପାଇଁ ମୋ ମୃତ୍ୟୁ ମହାର୍ଘ ପ୍ରସାଦ। ଏକ ଦମ୍ ସତ କଥା କହିଥିଲ ତୁମେ ତୁମ ପାଇଁ ନୁହଁ ସମସ୍ତଙ୍କ ପାଇଁ ମୃତ୍ୟୁ ଏକ ମହାର୍ଘ ପ୍ରସାଦ ତେଣୁ ଏହାହିଁ ଅନ୍ତିମ ସତ୍ୟ। ମୃତ୍ୟୁ ଚେତନାରେ ତୁମେ ଏତେ ଉଦବୁଦ୍ଧ ଥିଲ ଯେ ବିଗତ କିଛି ବର୍ଷ ତୁମେ କେବଳ ସେହି ଚେତନା ସିଦ୍ଧ କବିତାକୁ ହିଁ ଲେଖିଚାଲି ଅଗଣ୍ବିତ ପ୍ରଶଂସକଙ୍କ ପ୍ରଶ୍ନବାଣର ଶୀକାର ହୋଇଥିଲ। ତେଣୁ ସେହି ଶେଷ କଥା”ରେ ଲେଖିଲ” ହେ ମୋର ସ୍ବପ୍ନିଳ ମଣିଷ ମୋତେ ତୁମେ ମୁକ୍ତି ଦିଅ , ତୁମ ବନ୍ଧନରୁ ହାତ ଠାରି ଡାକିଲାଣି ମୋତେ , ମୋ ଶୂନ୍ୟ ଆକାଶ
ଭିନ୍ନକ୍ଷମ ହୋଇ ମଧ୍ଯ ତୁମେ ଥିଲ ଏକ ବିଚିତ୍ର ସକ୍ଷମ, ମରଣାନ୍ତକ କର୍କଟର ମଧୁର ପ୍ରବେଶ ଓ ବିଷାକ୍ତ ଦଂଶନରେ ମଧ୍ଯ ତୁମେ ଥିଲ ସତତ ଚଞ୍ଚଳ। ମୃତ୍ୟୁକୁ ସ୍ଵାଗତ କଲେ ସିଏ ହାରିଯିବ ଓ କୋମଳ ଅନ୍ଲେଷରେ ଶୁଆଇ ଦେବାର ବିଶ୍ୱାସ ଅତୀବ ଚମତ୍କାର ମର୍ମସ୍ପର୍ଶୀ, ପ୍ରେମ ଆଉ ମୃତ୍ୟୁ / କେଉଁ ଅନନ୍ତ କାଳରୁ / ଇଶ୍ୱରଙ୍କ ଅତି ପ୍ରିୟତମ ଶବ୍ଦ / ମୃତ୍ୟୁର ଅନ୍ୟ ନାମ ଯେ ଇଶ୍ୱରଙ୍କ ସହ ସମ୍ମିଳନ ଏ ଚିନ୍ତନରେ ଯେଉଁ ଆଧ୍ଯାତ୍ମିକତା ର ଆଭାସ ତୁମ ଠାରୁ ମିଳିଥିଲା, ତାହା ଏକ ସକାରାତ୍ମକ ଭାବ ଓ ଭୋକେସନାଲ ନିର୍ଭୀକତାକୁ ଦର୍ଶାଉଥିଲ।
“ତୁମ ବିଶ୍ଵାସ ଓ ଅବିଶ୍ୱାସରେ ମୋର କଣ ଯାଏ ଆସେ ମୋ ପାଇଁ ମୋ ମୃତ୍ୟୁ ହିଁ ଏକ ପୁଣ୍ୟ ଶବ୍ଦ” କବିତାରେ ମୃତ୍ୟୁକୁ ପୁଣ୍ଯସ୍ଥାନ ଦେଇ ଯେଉଁ ଦାର୍ଶନିକତାର ଭାବ ସଂଚରିତ କରିଛି ତାହା ତୁମର ଜୀବନକୁ ଚିହ୍ନିବାର କଳାକୁ ବୁଝାଉଛି।
ନିର୍ଭୀକ ସାମ୍ବାଦିକତା, ସ୍ପଷ୍ଟବାଦୀ ଓ ସତ୍ୟବାଦିତା, ତୁମର ସହଜାତ ମୃତ୍ୟୁ ଥିଲା, ଏଥିପାଇଁ ବହୁ ଶତ୍ରୁଙ୍କୁ ତୁମେ ସାମ୍ନା କରିବାକୁ ପଡିଥିଲେ ମଧ୍ଯ ଶେଷ ଯାଏଁ ଓହରିନଯାଇ ଏ ସତ୍ୟମାର୍ଗରୁ, ନିରୁତା ସାହିତ୍ୟ ଓ ସଂଗଠନ ପାଇଁ ନିଃସ୍ୱାର୍ଥ ସେବା, ଜନ୍ମଭୂମି ର ଟେକ ପାଇଁ ଜନ ଜାଗରଣ, ପ୍ରାତଃ ସ୍ମରଣୀୟ ରାଜଶ୍ରୀ ଶ୍ରୀକର ଭଞ୍ଜଙ୍କ ନାମ ରୋ଼ଷନ୍ ପାଇଁ ଅଜସ୍ର ପଦକ୍ଷେପ ଗ୍ରହଣରେ ତୁମର ଯେଉଁ ଅନନ୍ୟ ଅବଦାନ ତାକୁ ଆଜିବି ଝୁରୁଛି ବୁଗୁଡ଼ା ଓ ତାର ଜନଗଣ, ଶ୍ରୀ କର ସାହିତ୍ୟ ସେବା ଶ୍ରମ, ଶ୍ରୀ କର ଭଞ୍ଜଙ୍କ ପଠନାଗାର, ଶ୍ରୀ କର ମିଡିଆ ହାଉସ୍ ସହିତ ” ଶ୍ରୀକର ଶ୍ରୀ” ସମ୍ମାନ ପ୍ରଦାନ ଆଜି ଯେଉଁଠି ସେଇଠି ରହିଯାଇଛି ଗିରୀଶ।
ଖୋଲୁନି ଆଉ ସଞ୍ଜ ଆସର
ଶୁଭୁନି ଆଉ ବିଦଗ୍ଧ ବିଚାରର ସ୍ଵର
କଫି ଆଉ ଚା ସାଥେ ବଢୁନି ବନ୍ଧୁତାରଡୋର।
ମୋତେ ତୁମେ ବହୁବାର ପଚାରିଛ “ଏମିତି ହେଇ ହେଇ ଦିନେ ଠକ୍ କିନି ଚାଲିଯିବକି ଜୀବନଟା ଆଜ୍ଞା?” ମୁଁ ଜାଣି ମଧ୍ଯ ହସି କହେ, ଏ ନକାରାତ୍ମକ ଭାବନା ଛାଡ ଗିରୀଶ। ହସିଦେଇ ମତେ ମାନିଗଲା ଭଳି ରହିଯାଅ କିନ୍ତୁ ତୁମେ ସବୁ ଜାଣୁଥିଲା ଓ ନଜାଣିଲା ଭଳି ରହୁଥିଲ । ବୋଉଙ୍କୁ ପ୍ରାଣ ଭରି ଭଲ ପାଉଥିଲ, ଏବଂ ଅନୁରାଗରେ ରାଗିଯାଉଥିଲ, ଟିକେ ନ ଦେଖିଲେ ବୋଉ ହେ ବୋଲି ଡାକ ଛାଡ଼ୁଥିଲ। ବୋଉର ଆଉଂସାହିଁ ତୁମର ମହୌଷଧି ଥିଲା। ପ୍ରିୟ ବାଲ୍ଯ ବନ୍ଧୁ ଗଙ୍ଗାଙ୍କୁ ତୁମର ଅନ୍ତିମ କଥନ ଥିଲା”ଏଇତ ଜୀବନ” ବାସ୍ ତାପରେ ସବୁ ନୀରବ ଓ ଶୂନ୍ୟ, କିନ୍ତୁ କେମିତି ଭୁଲି ହବ ତୁମ କବିତାର ଭାଷା, “ନିଜ ପାଖରୁ ସରି ସରି ଯାଉଥିବା ବେଳେ /ଯେତେ ସବୁ ନିଜର ଆୟୁଷ /ସେତେବେଳ ଖୁବ୍ ମନେପଡ଼େ /ପିଲାବେଳେ ଧୂଳିଖେଳ ଓ ଆପଣା ଆୟୁଷ” ସେମିତି ତୁମେ ମନେପଡ ଗିରୀଶ। ଗିରୀଶ ସମ ହୃଦୟ, କୁଳୀଶସମ ଶବ୍ଦ ନିଚୟର ଯୁଗପତ୍ ବିସ୍ମୟ ପୁରୁଷ ତୁମେ ହେ ସାଧୁ ଗିରୀଶ। ତୁମ ପ୍ରଥମ ଶ୍ରାଦ୍ଧ ଦିବସରେ ଘେନଆମ୍ଭ ଶ୍ରଦ୍ଧା ସୁମନ ନିଚୟ।