ସୋର,୨୬/୮ : ସୋର ବ୍ଲକ ସାଜନପୁର ପଞ୍ଚାୟତ ଚପରପଦା ନିକଟ ପିତାକାଳିଆ ନଦୀରେ ଆଜି ମଧ୍ୟାହ୍ନରେ ଏକ କୁମ୍ଭୀର ଦେଖାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡିଛି । ଗତ ୧୧ ତାରିଖ ସନ୍ଧ୍ୟାରେ ସୋର ବ୍ଲକ କେଦାରପୁର ପଂଚାୟତ ବାଣିସିଆ କୁରୁବାଙ୍କ ନିକଟରେ ପ୍ରବାହିତ ହୋଇଥିବା କାଂଶବାଂଶ ନଦୀରେ ଏକ କୁମ୍ଭୀରକୁ ଲୋକମାନେ ଦେଖିଥିଲେ । ଯାହାକୁ ନେଇ ସ୍ଥାନୀୟ ନଦୀକୂଳିଆ ଲୋକମାନଙ୍କ ସମେତ ସୋର ବାସୀ ଭୟବିତ ହୋଇପଡିଥିଲେ। ପରେ କୁମ୍ଭୀରଟିକୁ ଲୋକମାନେ ଆଉ ଦେଖିବାକୁ ପାଇଁ ନଥିଲେ ମଧ୍ୟ ଭୟଭିତ ଅବସ୍ଥାରେ ରହୁଥିଲେ। କିନ୍ତୁ ଆଜି ମଧ୍ୟାହ୍ନରେ ରେ ସାଜନପୁର ପଂଚାୟତ ଚପରପଦା ଗ୍ରାମ ମଧ୍ୟ ଦେଇ ପ୍ରବାହିତ ହୋଇଥିବା କାଂଶବାଂଶ ନଦୀର ଶାଖା ନଦୀ ପିତାକାଳିଆ ନଦୀ କୂଳରେ ଏକ କୁମ୍ଭୀର ଶୋଇଥିବାର ଜଣେ କଲେଜ ଛାତ୍ରୀ ଦେଖିଥିଲେ। ପରେ ଶହଶହ ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ଯାଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଅଶ୍ୱିନୀ ପଟ୍ଟନାୟକ ବନବିଭାଗକୁ ଖବର ଦେଇଥିଲେ। କୁମ୍ଭୀରଟି ଦୀର୍ଘ ୧ ଘଣ୍ଟାରୁ ଉର୍ଦ୍ବ ସମୟ କୂଳରେ ରହିବା ପରେ ପାଣି ଭିତରକୁ ଚାଲିଯାଇଥିଲେ ମଧ୍ୟ ବନବିଭାଗ ପହଂଚି ପାରିନଥିଲା। ଫଳରେ ସ୍ଥାନୀୟ ନଦୀକୂଳରେ ରହୁଥିବା ଲୋକମାନେ ଭୟଭିତ ଅବସ୍ଥାରେ ଥିବା ପ୍ରକାଶ କରିଥିଲେ। ଖବର ପାଇ ଔପଦା ଏବଂ ଚାନ୍ଦିପୁର ବନ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ କୁମ୍ଭୀରକୁ ଆଉ ପାଇ ନ ଥିଲେ। ସନ୍ଧ୍ୟା ହୋଇଯାଇଥିବାରୁ ବନ ବିଭାଗ କର୍ମଚାରୀ ମାନେ ସ୍ଥାନୀୟ ଅଞ୍ଚଳ ବାସୀଙ୍କୁ ନଦୀକୁ ନ ଯିବା ପାଇଁ ସଚେତନ କରି ଫେରି ଯାଇଥିଲେ। ଆସନ୍ତାକାଲି ବନ ବିଭାଗ ଅଗ୍ନିଶମ ଏବଂ ଓଡ୍ରାଫ ଟିମ ସହ କୁମ୍ଭୀରକୁ ଧରିବା ପାଇଁ କାର୍ଯ୍ୟ ଆରମ୍ଭ କରିବେ ବୋଲି ବନ ବିଭାଗ ତରଫରୁ ସୂଚନା ମିଳିଛି ।