ନଙ୍ଗଲବୋଡ଼ ଅଙ୍ଗନବାଡ଼ି କର୍ମୀ ଚୟନରେ ଅନିୟମିତତା , ଜାଲିଆତି କରି ପଦ ହାତେଇବାକୁ ବାହ୍ୟ ପ୍ରାର୍ଥୀନୀଙ୍କ ପ୍ରୟାସ ଅଭିଯୋଗ , ସ୍ଥାନୀୟ ପ୍ରାର୍ଥୀଙ୍କ ମଧ୍ୟରୁ ନିଯୁକ୍ତି ଦେବାକୁ ଦାବି , ବ୍ୟତିକ୍ରମ ହେଲେ ଆନ୍ଦୋଳନର ଚେତାବନୀ
ସିନାପାଲି : ସିନାପାଲି ବ୍ଲକ ଅନ୍ତର୍ଗତ ନଙ୍ଗଲବୋଡ଼ ଠାରେ ହେବାକୁ ଥିବା ଅଙ୍ଗନବାଡ଼ି କର୍ମୀ ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଜଣେ ବାହ୍ୟ ପ୍ରାର୍ଥୀନୀ ଉକ୍ତ ପଦବୀ ହାତେଇବାକୁ ଜାଲିଆତି କାଗଜାତ ପ୍ରସ୍ତୁତ କରି ପ୍ରୟାସ କରୁଥିବା ଅଭିଯୋଗ ହୋଇଛି । ଏନେଇ ଅନ୍ୟ ପ୍ରାର୍ଥୀନୀ ମାନେ ସ୍ଥାନୀୟ ପ୍ରାର୍ଥୀନୀ ମାନଙ୍କ ମଧ୍ୟରେ ଚୟନ କରି ନିଯୁକ୍ତି ଦେବାକୁ ଦାବି କରିଛନ୍ତି। ଅନ୍ୟଥା ଏଥିରେ ବ୍ୟତିକ୍ରମ ହେଲେ ସମସ୍ତ ପ୍ରାର୍ଥୀନୀଙ୍କ ସମେତ ଗ୍ରାମବାସୀ ରାଜରାସ୍ତାରେ ଓଲହାଇବା ସହ ବିଭାଗୀୟ ଅଫିସ ଘେରାଓ କରି ଆନ୍ଦୋଳନ କରିବା କୁ ବାଧ୍ୟହେବୁ ବୋଲି ଚେତାବନୀ ଦେଇଛନ୍ତି। ପ୍ରାପ୍ତ ଖବର ଅନୁସାରେ ନଙ୍ଗଲବୋଡ଼ ଗ୍ରାମର ୱାର୍ଡ ନଂ ୫ ଓ ୭ ର ଏକ ଅଙ୍ଗନବାଡ଼ି କର୍ମୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ମୋଟ ୭ ଜଣ ପ୍ରାର୍ଥୀନୀ ଆବେଦନ କରିଥିଲେ। ତନ୍ମଧ୍ୟରୁ ଜଣେ ପ୍ରାର୍ଥୀନୀ ଦ୍ରୌପଦୀ ମାଝୀ ଗୋଡାଲ ପଞ୍ଚାୟତ ଅନ୍ତର୍ଗତ ପଳସାଡା ଗ୍ରାମର ନିଵାସୀ ହେତୁ ବାହ୍ୟ ପ୍ରାର୍ଥୀନୀ ବୋଲି ଅଭିଯୋଗ କରିଛନ୍ତି। କିନ୍ତୁ ଉକ୍ତ ପ୍ରାର୍ଥୀନୀଙ୍କୁ ଚୟନ କମିଟି ଅଙ୍ଗନବାଡି କର୍ମୀ ପାଇଁ ଚୟନ କରାଯାଇଥିବା ଜଣାପଡିଛି। ଏନେଇ ସ୍ଥାନୀୟ ପ୍ରାର୍ଥୀନୀ ଓ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରି ଅଭିଯୋଗ କରିଛନ୍ତି। ଅଭିଯୋଗ କୁ ଭିତ୍ତି କରି ଆଜି ବିଭାଗୀୟ ଅଧିକାରୀ ସମ୍ପୃକ୍ତ ଗ୍ରାମରେ ପହଞ୍ଚି ଏକ ଗ୍ରାମସଭା ମାଧ୍ୟମରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିବା ଜଣାପଡ଼ିଛି। ହେଲେ ସମ୍ପୃକ୍ତ ବାହ୍ୟ ପ୍ରାର୍ଥୀନୀ କୌଶଳକ୍ରମେ ନିଜର ଆବଶ୍ୟକୀୟ କାଗଜାତ ପ୍ରସ୍ତୁତ କରି ଅଙ୍ଗନବାଡ଼ି ପଦବୀ ପାଇଁ ଦାବିଦାର ବୋଲି ଦାବି କରିଛନ୍ତି। ଅଭିଯୋଗ ଅନୁସାରେ ସମ୍ପୃକ୍ତ ପ୍ରାର୍ଥୀନୀ ସିନାପାଲି ଅନ୍ତର୍ଗତ ପଲସାପଡା ରେ ରହୁଥିବା ବେଳେ ତାଙ୍କ ଆଧାର କାର୍ଡ ଏବଂ ଅନ୍ୟାନ୍ୟ ପରିଚୟ ପତ୍ର ମଧ୍ୟ ପଳସାପଡା ଅନୁସାରେ ରହିଥିଲା। କିନ୍ତୁ ବର୍ତ୍ତମାନ ଗତ ମଇ ମାସ ଦୁଇ ତାରିଖ ଦିନ ଅପଡେଟ କରି ତାକୁ ନଙ୍ଗଲବୋଡ଼ ଅନୁସାରେ ପରିବର୍ତନ କରାଯାଇଛି। ନଙ୍ଗଲବୋଡ଼ ର ୱାର୍ଡ ନଂ ୭ ରେ ତାଙ୍କର ଘରଡିହ ଥିବା ବେଳେ ସେ ୱାର୍ଡ ନଂ ୬ ରେ ରହୁଛନ୍ତି। ଗତ ମଇ ମାସ ୧ ତାରିଖ ଦିନ ତାଙ୍କୁ ଅଙ୍ଗନବାଡ଼ି ଙ୍କ ସର୍ଭେ ଖାତାରେ ଅନ୍ତର୍ଭୁକ୍ତ କରାଯାଇଛି। ତାଙ୍କର କୌଣସି ରାସନ କାର୍ଡ,ଜବ କାର୍ଡ କିମ୍ବା ଭୋଟର ପରିଚୟ ପତ୍ର ନାହିଁ। ଚଳିତ ମାସ ୧ ତାରିଖରେ ନୂତନ ଭୋଟର ପରିଚୟ ପତ୍ର ପାଇଁ ଅନଲାଇନ ଆବେଦନ କରାଯାଇଥିବା ଜଣାପଡିଛି। ଏଭଳି ବ୍ୟତିକ୍ରମ ଥିବା ପ୍ରାର୍ଥୀନୀଙ୍କୁ କିଭଳି ଅଙ୍ଗନବାଡ଼ି ପଦବୀ ପାଇଁ ଚୟନ କରାଗଲା ତାହା ବିଭାଗୀୟ ଅଧିକାରୀ ତଥା ଚୟନ କମିଟିଙ୍କ କାର୍ଯ୍ୟକଳାପ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ବାରମ୍ବାର ଅଭିଯୋଗ ସହ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶନ ପରେ ବିଭାଗୀୟ ଅଧିକାରୀ ତତ୍ପରତା ଦେଖାଇଥିଲେ। ଆଜି ସମ୍ପୃକ୍ତ ଗ୍ରାମକୁ ଯାଇ ସ୍ଥାନୀୟ ସମସ୍ତ ପ୍ରାର୍ଥୀନୀ ଓ ସାଧାରଣ ଲୋକ ଙ୍କୁ ନେଇ ଏକ ଗ୍ରାମସଭାର ଆୟୋଜନ କରାଯାଇଥିଲା। ଗ୍ରାମସଭାରେ ସମ୍ପୃକ୍ତ ବାହ୍ୟ ପ୍ରାର୍ଥୀନୀଙ୍କୁ ସମସ୍ତେ ବିରୋଧ କରିବା ସହ ବିଭାଗୀୟ ଅଧିକାରୀ ଙ୍କୁ ଘେରି ଯାଇଥିଲେ। ବାହ୍ୟ ପ୍ରାର୍ଥୀନୀ ସମ୍ପୂର୍ଣ୍ଣ ଭାବେ ଜାଲିଆତି କରି ପଦବୀ ହାତେଇବାକୁ ପ୍ରୟାସ କରୁଛନ୍ତି ବୋଲି ସ୍ଥାନୀୟ ପ୍ରାର୍ଥୀନୀଙ୍କ ମଧ୍ୟରୁ ଅଙ୍ଗନବାଡ଼ି କର୍ମୀ ଚୟନ କରିବାକୁ ପଦ୍ମେଶ୍ୱର ମାଝୀ,ନୀଳକଣ୍ଠ ମାଝୀ, ନେପାଳ ମାଝୀ, ଲିଙ୍ଗରାଜ ବାଗ,ବାସୁଦେବ ମାଝୀ, ସଦନ ମାଝୀ, ପ୍ରକାଶ ମାଝୀ, ରଘୁନାଥ ମାଝୀ ପ୍ରମୁଖ ପ୍ରସ୍ତାବ ଦେଇଥିଲେ। ସ୍ଥାନୀୟ ପ୍ରାର୍ଥୀନୀ ତଥା ଲୋକଙ୍କ ଅଭିଯୋଗକୁ ଚୟନ କମିଟି କୁ ଅବଗତ କରାଯିବ ଓ ପରେ ଅଙ୍ଗନବାଡ଼ି ପଦବୀ ଚୟନରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବିଭାଗୀୟ ଅଧିକାରିଣୀ ସିନାପାଲି ସିଡିପିଓ ପ୍ରକାଶ କରିଥିଲେ। ଉକ୍ତ ଗ୍ରାମସଭାରେ ସିନାପାଲି ସିଡିପିଓ ଝରଣା ଶତପଥୀ , ସୁପ୍ରଭାଇଜର ଏଲି ସେନାପତି, ସ୍ଥାନୀୟ ସରପଞ୍ଚ ଜଗଦୀଶ ମାଝୀ ପ୍ରମୁଖଙ୍କ ସମେତ ସମସ୍ତ ପ୍ରାର୍ଥୀନୀ ଓ ଜନସାଧାରଣ ଉପସ୍ଥିତ ଥିଲେ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି।