Odisha news

ରାମକୃଷ୍ଣପୁର ପଞ୍ଚାୟତରେ ବହୁ ଅଯୋଗ୍ୟ ବ୍ୟକ୍ତି ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ନେଇ ସରପଞ୍ଚଙ୍କ ଅଭିଯୋଗ

0

ସାଲେପୁର : ରାମକୃଷ୍ଣପୁର ପଞ୍ଚାୟତରେ ପେନ୍ସନ୍ଧାରୀ ଓ କୋଠାଘର, ଚାରିଚକିଆ ଯାନ ଥିବା ଲୋକମାନଙ୍କୁ ରାଶନ୍ କାର୍ଡ ପ୍ରଦାନ କରାଯାଇଥିବାରୁ ସରକାରଙ୍କ ପକ୍ଷରୁ ରିହାତୀ ମୂଲ୍ୟରେ ଯୋଗାଇ ଦିଆଯାଉଥିବା ରାଶନ୍ ସାମଗ୍ରୀ ପାଉଥିବାବେଳେ ପ୍ରକୃତ ହିତାଧିକାରୀ ଏଥିରୁ ବାଦ୍ ପଡୁଥିବା ସରପଞ୍ଚ ରଂଜନ କୁମାର ବେହେରା ଅଭିଯୋଗ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ ସାଲେପୁର ବ୍ଲକ୍ ରାମକୃଷ୍ଣପୁର ଗ୍ରାମପଞ୍ଚାୟତରେ ବହୁ ଥିଲାବାଲା ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି । ଯାହା ଫଳରେ ଏହି ଲୋକମାନେ ସରକାରଙ୍କ ଠାରୁ ଖାଦ୍ୟ ସୁରକ୍ଷା ଯୋଜନାରେ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ନେଉଥିବା ଜଣାଯାଇଛି । ।

ଏହି ଅଯୋଗ୍ୟ ହିତାଧିକାରୀମାନଙ୍କର ୩ବଖରାରୁ ଉଦ୍ଧ୍ୱର୍ କୋଠାଘର ରହିଥିବାବେଳେ କେତେକ ଲୋକଙ୍କର ୪ଚକିଆ ଗାଡ଼ି ମଧ୍ୟ ରହିଛି । ସେହିପରି କେତେକ ଲୋକ ପେନ୍ସନ୍ ପାଉଥିବାବେଳେ ନିଜକୁ ଯୋଗ୍ୟ ହିତାଧିକାରୀ ଦର୍ଶାଇ ଚାଉଳ, ଗହମ ନେଉଛନ୍ତି । ଯାହାକୁ ନେଇ ରାମକୃଷ୍ଣପୁର ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀ ବେହେରା ସାଲେପୁର ଯୋଗାଣ ବିଭାଗ ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇବା ସହ ଏହି ପଞ୍ଚାୟତର କିଛି ହିତାଧିକାରୀଙ୍କ ନାମ ତାଲିକା ମଧ୍ୟ ଦେଇଛନ୍ତି । ଯେଉଁମାନେ ଅଯୋଗ୍ୟ ହିତାଧିକାରୀ ହୋଇଥିବାବେଳେ ସରକାରଙ୍କଠାରୁ ଖାଦ୍ୟ ସୁରକ୍ଷା ଯୋଜନାରେ ଫାଇଦା ନେଉଥିବା କୁହାଯାଇଛି । ସାଲେପୁର ବ୍ଲକ୍ ଯୋଗାଣ ବିଭାଗ ଅଧିକାରୀ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସରପଞ୍ଚ ଶ୍ରୀ ବେହେରା ଦାବି କରିଛନ୍ତି ।

Leave A Reply