ବୈତରଣୀ ନଦୀରେ ବଡଧରଣର ବନ୍ୟା ଆଶଙ୍କାରେ ଦଶରଥପୁର ବାସୀ ଆତଙ୍କିତ : ପଲ୍ଲାସାହୀଠାରେ ବୈତରଣୀ ନଦୀ ବନ୍ଦରୁ ଖସୁଛି ଅତଡା , ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାଣୀ ନଦୀ ଘାଇ ମରାମତି
ଦଶରଥପୁର : ବୈତରଣୀ ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହଠାତ୍ ବୈତରଣୀ ନଦୀର ଜଳସ୍ଥର ବୃଦ୍ଦି ପାଇବା ଫଳରେ ଆଜି ରାତିସୁଦ୍ଧା ନଦୀରେ ଏକ ବଡଧରଣର ବନ୍ୟାର ଆଶଙ୍କା ସୃଷ୍ଟି ହୋଇଛି । ଜିଲ୍ଲାପ୍ରସାସନ ଏଥିନିମନ୍ତେ ନଦୀ କୂଳରେ ବାସକରୁଥିବା ଜନସାଧାରଣଙ୍କୁ ନିରାପଦ ସ୍ଥାନକୁ ଚାଲିଯିବାପାଇଁ ନିଦେ୍ର୍ଦଶ ଦେଇଛନ୍ତି ।
ଅପରପକ୍ଷରେ ବୈତରଣୀ ନଦୀର କସପା ପଞ୍ଚାୟତସ୍ଥ ପଲ୍ଲାସାହୀଠାରେ ନଦୀ ବନ୍ଦରୁ ପ୍ରାୟ ୭୦/୮୦ ଫୁଟ୍ ଅତଡା ଖସିବାଫଳରେ ସେହିସ୍ଥାନରେ ନଦୀ ବନ୍ଦ ପ୍ରତି ବିପଦ ସୃଷ୍ଟି ହୋଇଛି । ଯାହାଫଳରେ ସ୍ଥାନୀୟ କସପା,ମଲ୍ଲିକାପୁର,ଆଖୁଆସାହୀ,କଣ୍ଟପଡା ଆଦି ଗ୍ରାମର ଜନସାଧାରଣ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଘଟଣାସ୍ଥଳରେ ବିାଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ପ୍ରସାସନ ତରଫରୁ ଯୁଦ୍ଧକାଳିନ ଭିତ୍ତିରେ ଏହାକୁ ମରାମତି କରାଯାଉଥିବାର ଦେଖାଯାଇଛି ।
ପ୍ରସାସନ ତରଫରୁ ଜିଲ୍ଲାପାଳ ଓ ଏସ୍ ପି ଘଟଣାସ୍ଥଳରେ ପହଞ୍ଚô ପରିସ୍ଥିତି ଅନୁଧ୍ୟାନ କରିବା ସହିତ ଆସନ୍ନ ବନ୍ୟା ମୁକାବିଲା ନିମନ୍ତେ ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକ କରିଛନ୍ତି ।ସଂଧ୍ୟା ୬ ଘଟିକା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ ବୈତରଣୀ ନଦୀର ଜଳ ସ୍ଥର ଆନନ୍ଦପୁର,ଆଖୁଆପଦା,ବଲ୍ଲଭିଘାଟ ଓ ଦଶରଥପୁରଠାରେ ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଥିଲା । ଦଶରଥପୁରଠାରେ ବିପଦ ସଂଙ୍କେତ ସ୍ଥର ୯.୫୨ ମିଟର ହୋଇଥିବାବେଳେ ବର୍ତ୍ତମାନ ବନ୍ୟାଜଳ ୧୧ ମିଟର ଉଚ୍ଚତାରେ ପ୍ରବାହିତ ହେଉଛି ।
ଅପରପକ୍ଷରେ ବୈତରଣୀ ର ଶାଖା ନଦୀ କାଣୀରେ ହୋଇଥିବା ଘାଇ ମରାମତି କାର୍ଯ୍ୟ ମଧ୍ୟ ଦୃତ ଗତିରେ ଚାଲୁ ରହିଥିବାର ଦେଖିବାକୁ ମିଳିଛି । ସେହିପରି ଖରସ୍ରୋତା ନଦୀ ଓ ଏହାର ଶାଖା ନୂଆ ମାହାରରୁ ବନ୍ୟାଜଳ ଦଶରଥପୁର ବ୍ଲକ ଅଂଚଳକୁ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି ଘଟାଇଛି । କୟାଁ, ଖାନନଗର, କମାରଡିହି,ଥାଲକୁଡି,ବିରିପଟା,ପାଲଟପୁର,ଜାଫରପୁର ଆଦି ପଞ୍ଚାୟତ ବ୍ୟାପକ ଜଳମଗ୍ନ ହୋଇଥିବାର ଦେଖାଯାଇଛି ।ଆଜି ବନ୍ୟାଞ୍ଚଳକୁ ଅତିରିକ୍ତ ଜିଲ୍ଲାପାଳ,ଉପଜିଲ୍ଲାପାଳ,ଦଶରଥପୁର ବିଡିଓ ଓ ତହସିଲଦାର ପ୍ରମୂଖ ଗସ୍ତକରି ସ୍ଥିତି ପରଖିଥିଲେ ।
ମଙ୍ଗଳପୁର ଠାରୁ ବଡକୁଆଁଲକୁ ସଂଯୋଗ କରୁଥିବା ମୂଖ୍ୟରାସ୍ତାର ଚାଉଳିଆ ଓ ସାନକୁଆଁଲଠାରେ ଆଣ୍ଟୁଏ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାର ଦେଖାଯାଇଛି । ରାସ୍ତାଘାଟ, ବିଦ୍ୟାଳୟ, ଚାଷଜମି ଆଦି ବନ୍ୟା ଜଳରେ ବୁଡ଼ିରହିଛି । ପ୍ରାୟ ୧ ସପ୍ତାହ ଧରୀ ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ ଧାନ ବିଲରେ ପାଣି ଲହଡି ଭାଙ୍ଗୁଥିବାରୁ ହଜାରହଜାର ଏକର ଧାନ ଓ ପନିପରିବା ଫସଲ ସଂପୂର୍ଣ୍ଣ ନଷ୍ଟ ହେବାର ପରିଲକ୍ଷିତ ହୋଇଛି । ସେହିପରି ଗୃହପାଳିତ ପଶୁମାନେ ବାହାରକୁ ନ ବାହାରିପାରି ଖାଦ୍ୟାଭାବରେ ସମ୍ମୁଖିନ ହେଉଥିବାର ଦେଖାଯାଇଛି । ତେଣୁ ପ୍ରଶାସନ ତରଫରୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ସହିତ ରିଲିଫ ଯୋଗାଇ ଦେବା ପାଇଁ ଦାବୀ ହୋଇଛି ।