ଚଣ୍ଡିଖୋଲ,୧୬/୫ : ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଳକ ଅଞ୍ଚଳରେ ମଙ୍ଗଳବାର ଦିନ ଏକଦୁଖଦ ଘଟଣା ଘଟିଛି! ଦୁଇସାଙ୍ଗ ଗାଧୋଉଥିଲା ବେଳେ ଗେଙ୍ଗୁଟି ନଦୀର ଗଭୀର ଜଳରେ ବୁଡିଯାଇ ଶୋଚନୀୟ ଭାବେ ପ୍ରାଣ ହରାଇବା ଘଟଣା ସମଗ୍ର ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି! ଗତ କାଲି ରାତିରେ ଜନ୍ମ ଦିନ ପାଳନକରି ଦୁଇ ସାଙ୍ଗ ବେସ ଖୁସି ମନାଇଥିଲେ! ହେଲେ ୨୪ ଘଣ୍ଟା ନପୁରୁଣୁରୁ ସେମାନଙ୍କ ଏପରି ଅକାଳ ମୃତ୍ୟୁ ଘଟିଥିବା ଖବରଟିକୁ କେହି ସହଜରେ ଗ୍ରହଣ କରିପାରି ନାହାନ୍ତି! ସୂଚନା ମୁତାବକ ବଡ଼ଚଣା ବ୍ଲକର ଶାସନପୁରୁଷୋତ୍ତମପୁର ଗ୍ରାମ (ନଟିଆଗେଟ) ର ଅକ୍ଷୟ କୁମାର ଖଣ୍ଡାଇଙ୍କର ପୁତ୍ର ଅମିତ (୨୩),ସେହି ଗ୍ରାମର ସ୍ବର୍ଗତ କୃଷ୍ଣଚନ୍ଦ୍ର ନାୟକଙ୍କ ଏକମାତ୍ର ପୁତ୍ର ମଳୟ (୨୨) ଓ ସଂଜୟନଗର ଗ୍ରାମର ମନୋଜ ପ୍ରଧାନ (୧୮)ତିନି ସାଙ୍ଗ ବାଇକ ଯୋଗେ ମଙ୍ଗଳବାର ଦିନ ପ୍ରାୟ ୧୨ ଟାରେ ବଡ଼ଗେଙ୍ଗୁଟି ନଦୀର ବାଇଶିମୌଜା ଧନଞ୍ଜୟ ସେତୁ ନିକଟକୁ ଗାଧୋଇବା ପାଇଁ ଯାଇଥିଲେ ! ତେବେ ସେମାନେ ଗାଧୋଇବା ଥିବାବେଳେ ନଦୀରେ ଥିବା ଗଣ୍ଡକୂ ଚାଲି ଯାଇଥିଲେ ! ଗଣ୍ଡ ନିକଟରେ ଜଳସ୍ରୋତ ଖୁବ ପ୍ରଖର ଥିବାରୁ ଅମିତ ଓ ମଳୟ ସେହି ଗଣ୍ଡ ଭିତରକୁ ଯାଇ ବୁଡି ଯାଇଥିଲେ! ହେଲେ ସୌଭାଗ୍ୟ ବଶତଃ ମନୋଜ ସେହି ବିପଦରୁ ବର୍ତ୍ତି କୂଳକୁ ଆସି ଚିତ୍କାର କରି ଲୋକଙ୍କୁ ଡକା ପକାଇଥିଲେ !ତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ସେଠାକୁ ଆସି ମୁର୍ମୁଷୁ ଅବସ୍ଥାରେ ପାଣି ଭିତରୁ ଉଭୟ ଅମିତ ଓ ମଳୟକୁ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ ! ହେଲେ ଏଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ! ସୋମବାର ରାତିରେ ଅମିତଙ୍କ ଜନ୍ମ ଦିନ ଥିବାରୁ ତାଙ୍କ ଘରେ ସମସ୍ତେମିଶି ତାଙ୍କର ଜନ୍ମ ଦିନ ପାଳନ କରିଥିଲେ ଓ କେକ କାଟିଥିଲେ! ହେଲେ କିଏ ଜାଣିଥିଲା ରାତି ପାହିଲେ ଏହି ଦୁଇ ସାଙ୍ଗଙ୍କ ପାଇଁ ଏମିତି ଗୋଟିଏ ସମୟ ଆସିବ ବୋଲି, ଯେଉଁଥିରେ ଉଭୟଙ୍କର ମୃତ୍ୟୁ ଘଟିବ ! ସେହି କଥା ଏବେ ଏଠାରେ ଆଲୋଚନା ହୋଉଛି! ଏକ ଅପମୃତ୍ୟୁ ମାମଲା ପଞ୍ଜିକରଣକରି ବଡଚଣା ପୋଲିସ ମୃତଦେହ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବଚ୍ଛେଦ କରାଇବା ପରେ ଉଭୟ ପରିବାରକୁ ତାହା ହସ୍ତାନ୍ତର କରିଛି !
ଭେଣ୍ଡିଆ ପୁଅଙ୍କୁ ଅକାଳରେ ହରାଇ ଦୁଇ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି ! ଯୁକ୍ତ-୩ ଶିକ୍ଷା ଶେଷପରେ ଏହି ଦୁଇ ସାଙ୍ଗ ବିଭିନ୍ନ କମ୍ପିଟେଟିଭ ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡିଛି! ସେମାନଙ୍କ ବିୟୋଗରେ ବିଧାୟକ ଅମର ପ୍ରସାଦ ଶତପଥୀ, ବିଜେଡି ରାଜ୍ୟ ସମ୍ପାଦକ ଜନ୍ମେଜୟ ଲେଙ୍କି, ସମାଜସେବୀ ମନୋରମା ଆଚାର୍ଯ୍ୟ, ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ସରପଞ୍ଚ ରାଜଲକ୍ଷ୍ମୀ ମହାନ୍ତି ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି!