ରାୟଗଡା : ପରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲର ମାନ୍ୟତା ଓ ଜିଲ୍ଲାରେ ଏକ ମେଡିକାଲ କଲେଜ ଦାବୀ ଏବେ ଜୋର ଧରିଛି । ଯୁବ ବିକାଶ ପରିଷଦ ତରଫରୁ ଡାକରା ଦିଆଯାଇଥିବା ୧୦୦ ଘଂଟାର ଅନଶନ ଆଜି ଅପରାହ୍ନ ୨ଟା ସମୟରେ ସମାପ୍ତ ହୋଇଛି । ଶେଷ ଦିନରେ ରାଜନୈତିକ ଦଳ, ସଂଗଠନ, ସାମ୍ବାଦିକ ସଂଘର ସଦସ୍ୟ ମାନେ ଆନେ୍ଦାଳନକୁ ସମର୍ଥନ ଜଣାଇ ଅନଶନରେ ସାମିଲ ହୋଇଥିଲେ । ରାୟଗଡା ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡିଥିବା ସହ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଜିଲ୍ଲାବାସୀଙ୍କୁ ଯୋଗାଇବା ପାଇଁ ଯୁବ ବିକାଶ ପରିଷଦର ସଭାପିତ ଶିବାଜୀ ଦାଶ ଆମରଣ ଅନଶନ କରିଥିଲେ । ଦୀର୍ଘ ବର୍ଷ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖାଲି ପଡିଥିବା ଡାକ୍ତରୀ ପଦବୀ ପୂରଣ ସହ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ମାନ୍ୟତା ପ୍ରଦାନ କରିବା ପାଇଁ ଦାବୀ ହୋଇଆସୁଥିଲେ । କିନ୍ତୁ ସରକାରଙ୍କ ତରଫରୁ ଦାବୀକୁ ଗୁରୁତ୍ୱ ଦିଆଯାଇ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ ନ କରାଯିବାରୁ ଶେଷରେ ବାଧ୍ୟ ହୋଇ ଜିଲ୍ଲାବାସୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଯୁବ ବିକାଶ ପରିଷଦର ସଭାପତି ଶିବାଜୀ ଦାଶ ୧୦୦ ଘଂଟାର ଆମରଣ ଅନଶନ ପ୍ରତୀକ ଧାରଣା ପ୍ରଦର୍ଶନ କରିଥିଲେ । ଧାରଣାର ୫ ଦିନରେ ଅନଶନକୁ ବିପୁଳ ସମର୍ଥନ ମିଳିଥିଲା । ଜିଲ୍ଲା ସାମ୍ବାଦିକ ସଂଘର ତରଫରୁ ଉପଦେଷ୍ଠା ବାଦଲ କୁମାର ତା, ସଭାପତି ଅଜୟ ରଥ, ଜିଲ୍ଲା ନାଗରିକ ମଞ୍ଚ ତରଫରୁ ଭେଙ୍କେଟରାଓ ସେନାପତି,ଲାବାନ୍ୟ ମହୋନ ପଟ୍ଟନାୟକ,ବିଜେପି ଜିଲ୍ଲା ସଭାପତି ଶିବ ପଟ୍ଟନାୟକ. ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି ଜନ୍ମେଜୟ ସ୍ୱାଇଁଙ୍କ ସମେତ କର୍ମକର୍ତା ମାନେ ସାମିଲ ହୋଇଥିବା ବେଳେ ଜିସିଡି ୱାକର୍ସ କ୍ଲବର ସଭାପିତ ମନୋଜ ରଥ, ପେଟ୍ରୋଲ ପମ୍ପ ମାଲିକ ସଂଘ ଶ୍ରୀକୁମୁନ୍ଦନ, କଲ୍ୟାଣସିଂହପୁର ଯୁବ ବିକାଶ ପରିଷଦ ତରଫରୁ ବିଶ୍ୱମ୍ଭର ଗରଡିଆ, ରେଳବାଇ ମଜଦୁର ସଂଘର ଆବାହକ ଅରୁଣ ଲେଙ୍କା, ସୁରେଶ ଦାଶ, ଅମୂଲ୍ୟ ନିଶଙ୍କ, ସଂଗ୍ରାମ ପଟ୍ଟନାୟକ ଯୁବ ବିକାଶ ପରିଷଦର ଦାବୀକୁ ଯାଥାର୍ଥ ଦର୍ଶାଇ ଅନଶନରେ ସାମିଲ ହୋଇଥିଲେ । ତେବେ ଅନଶନର ୧୦୦ ଘଂଟା ପୁର୍ତ୍ତିପରେ ଯୁବ ବିକାଶ ପରିଷଦ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟେଶରେ ଜିଲ୍ଲାପାଳଙ୍କ ଜରିଆରେ ସହକାରୀ ଜିଲ୍ଲାପାଳ ନାରାୟଣ ମିଶ୍ରଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଆଗାମୀ ଏପ୍ରିଲ ୪ ତାରିଖ ସୁଦ୍ଧା ସରକାରଙ୍କ ତରଫରୁ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ଘୋଷଣା ନକରାଯାଏ ତା ହେଲେ ୧୫ ତାରିଖ ଠାରୁ ସମଗ୍ର ଜିଲ୍ଲାରେ ଆଇନ ଅମାନ୍ୟ ଆନେ୍ଦାଳନ ହେବ ବୋଲି ସଭାପତି ଶ୍ରୀଦାଶ ସୂଚନା ଦେଇଛନ୍ତି । ଦାବୀପତ୍ର ପ୍ରଦାନ ସମୟରେ ସଂଘର ସାଧାରଣ ସଂପାଦକ କୃଷ୍ଣ ପ୍ରସାଦ ମିଶ୍ର, ଗୋପିନାଥ ଗୌଡ, ପ୍ରକାଶ ମିଶ୍ର, ସୁରେଶ ଲେଙ୍କା, ଶିବ ପ୍ରସାଦ ପାଢୀ, ଗୁରୁ ପ୍ରସାଦ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.