Odisha news

ଗହୀରମଥାରେ ଅଲିଭରିଡଲେଙ୍କ ଗଣ ଅଣ୍ଡାଦାନ ଆରମ୍ଭ 

0
 ରାଜନଗର :   ବିରଳ ଅଲିଭରିଡଲେ କଇଁଛଙ୍କ ଏନ୍ତୁ ଡିଶାଳ  ଗହୀରମଥା ଠାରେ କଇଁଛଙ୍କ ଗଣ ଅଣ୍ଡାଦାନ ପକ୍ରିୟା ଆରମ୍ଭ ହୋଇଛି।   ଗତକାଲି ପ୍ରଥମ ଦିନରେ ପ୍ରାୟ ୮୦ ହଜାର କଇଁଛ ଗଣଅଣ୍ଡାଦାନ ପକ୍ରିୟାରେ ସାମିଲ ହୋଇଥିବା ବନବିଭାଗ ସୂତ୍ରରୁ ସୂଚନା ମିଳିଛି।   ଅଲିଭରିଡଲେ ମାଆ କଇଁଛ ମାନେ କୂଳ ଠାରୁ ୧ କିମି ଭିତରେ ଦୀର୍ଘ ୨ମାସ ହେଲା ଭିଡ ଜମାଇଥିଲେ ମଧ୍ୟ ପାଗ ଅନୁକୂଳ ହେଉନଥିବାରୁ ଗଣ ଅଣ୍ଡାଦାନ ପକ୍ରିୟାରେ ସାମିଲ ହେଉନଥିଲେ। ଚଳିତମାସ ୩ ତାରିଖ ଠାରୁ ପାଗ ଶୁଖିଲା ସାଙ୍ଗକୁ ଦକ୍ଷିଣା ପବନ ବହିବାରୁ ଗୋଟିଏ ଦିନରେ ୮୦ ହଜାର ମାଆ ଅଲିଭରିଡଲେ ଗଣ ଅଣ୍ଡାଦାନ ପକ୍ରିୟାରେ ସାମିଲ ହୋଇଛନ୍ତି। ଗତକାଲି ସଂଧ୍ୟାରୁ ହଠାତ୍‌ ଦଳ ଦଳ ହୋଇ ମାଆ କଇଁଛମାନେ ଗହୀରମଥାର ନାସୀ-୨ ବାଲୁକାଶଯ୍ୟାକୁଉଠିଗଣଅଣ୍ଡାଦାନପ୍ରକ୍ରିୟାରେସାମିଲହୋଇଥିଲେ। ଆଜି ଭୋର ଯାଏଁ ଏହି ପକ୍ରିୟା ଜାରି ରହିଥିଲା।  ପ୍ରଥମ ଦିନରେ ଏହି ସଂଖ୍ୟା ଭଲ ଥିବାରୁ ଓ ମାଆ କଇଂଛ ମାନେ କୂଳରେ ଥିବାରୁ ଚଳିତବର୍ଷ ରେକର୍ଡ ସଂଖ୍ୟକ ଗଣ ଅଣ୍ଡାଦାନ ହେବା ନେଇ ଆଶା ପ୍ରକାଶ ପାଇଛି। ମାଆ କଇଁଛମାନେ ବେଳାଭୂମିର ନରମ ବାଲିରେ ପଛପଟ ଗୋଡରେ ୧ ଫୁଟରୁ ଦେଢଫୁଟ ଗଭୀରର ମାଠିଆ ଆକୃତିର ଗାତ ଖୋଳି ଥାଏ । ଗାତ ଖୋଳିବା ପରେ ମାଆ କଇଁଛ ପ୍ରାୟ ୧୦୦ଟି ଉପରେ ଅଣ୍ଡା ଦେଇଥାଏ। ପ୍ରତ୍ୟେକ ଅଣ୍ଡାର ଆକାର ଗୋଟିଏ ପିଙ୍ଗ ପିଙ୍ଗ ବଲ ପରି। ଅଣ୍ଡାର ଖୋଳପା ନମନୀୟ ହୋଇଥିବାରୁ ଅଣ୍ଡା ଗଳିବା ସମୟରେ ତାହା ଫାଟିନଥାଏ। ଅଣ୍ଡା ଦେଇ ସାରିବା ପରେ ମାଆ କଇଁଛ ତାର ଗାତକୁ ବାଲି ଘୋଡାଇ ଲୁଚାଇ ପକାଏ ଓ ସମୁଦ୍ରକୁ ଫେରିଯାଏ। ସୂର୍ଯ୍ୟଙ୍କ ଉତାପରେ ଉଷୁମ ହୋଇ ଅଣ୍ଡା ଗୁଡିକରୁ ୪୫ ରୁ ୬୦ ଦିନ ମଧ୍ୟରେ କଇଁଛ ଶାବକ ବାହାରିଥାନ୍ତି। ବିରଳ ଅଲିଭରିଡଲେ କଇଂଛଙ୍କ ଗଣ ଅଣ୍ଡାଦାନ ପକ୍ରିୟା ଆରମ୍ଭ ହୋଇଥିବାରୁ ଏମାନଙ୍କ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଅଣ୍ଡାଦାନ ସ୍ଥଳକୁ ବାଡ ବୁଜାଯିବା ସହ ବନ କର୍ମଚାରୀମାନେ ଅଣ୍ଡାଦାନ ସ୍ଥଳକୁ ଜଗି ରହିଛନ୍ତି। ରାଜନଗର ଓ ଭଦ୍ରକ ଡିଭିଜନ ପକ୍ଷରୁ ଅଲିଭରିଡଲେଙ୍କ ସୁରକ୍ଷାବ୍ୟବସ୍ଥାକଡାକଡିକରାଯାଇଛି। ରାଜନଗର ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବ, ଗହୀରମଥା ରେଞ୍ଜ ଅଫିସର ପ୍ରଦୋଷ କୁମାର ମହାରଣା ପ୍ରମୁଖ ଅଣ୍ଡାଦାନ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି। ଚଳିତବର୍ଷ  ଶହ ଶହ ସଂଖ୍ୟାରେ ଅଲିଭରିଡଲେଙ୍କ ମୃତ୍ୟୁ ଉଦ୍‌ବେଗ ସୃଷ୍ଟି କରିଥିଲା । କଇଁଛଙ୍କ ମୃତ୍ୟୁ ସାଙ୍ଗକୁ ଠିକ୍‌ ସମୟରେ ପ୍ରତିକୂଳ ପାଗ ଯୋଗୁଁ ଗଣ ଅଣ୍ଡାଦାନ ପକ୍ରିୟାରେ ବିଳମ୍ବ ହୋଇଥିଲା। କୂଳରେ କଇଁଛ ଥିବାରୁ ଚଳିତବର୍ଷ ରେକର୍ଡ ସଂଖ୍ୟକ ଗଣଅଣ୍ଡାଦାନ ହେବା ନେଇ ଆଶା ପ୍ରକାଶ ପାଇଛି। ବନବିଭାଗ ରିପୋର୍ଟ ମୁତାବକ ୨୦୧୭-୨୦୧୮ରେ ୬ ଲକ୍ଷ ୬୪ହଜାର ୯୭ କଇଁଛ ଗଣଅଣ୍ଡାଦାନ ପକ୍ରିୟାରେ ସାମିଲ ହୋଇଥିବା ବେଳେ ୨୦୧୮-୧୯ରେ ୪ ଲକ୍ଷ ୫୦ ହଜାର ୯୪୯, ୨୦୧୯-୨୦ରେ ୪ ଲକ୍ଷ ୭ହଜାର ୨୦୪ଟି କଇଁଛ, ୨୦୨୦-୨୧ରେ ୩ ଲକ୍ଷ ୪୯ ହଜାର ୬୪୯, ୨୦୨୧-୨୨ରେ ୫ ଲକ୍ଷ ୧ହଜାର ୧୫୭ଟି କଇଁଛ,  ୨୦୨୨-୨୩ରେ ୫ ଲକ୍ଷ ୧୨ ହଜାର ୧୩୫ କଇଁଛ ଗଣଅଣ୍ଡାଦାନ ପକ୍ରିୟାରେ ସାମିଲ ହୋଇଥିଲେ।

Leave A Reply