ପୁରୀ:ଶ୍ରୀଜଗନ୍ନାଥ ଧାମ ଶ୍ରୀକ୍ଷେତ୍ରର ବିକାଶରେ ପୁରୀର ଐତିହ୍ୟ ସମ୍ପନ୍ନ ସଂସ୍କୃତି ଓ ପରମ୍ପରା ଅକ୍ଷୁର୍ଣ୍ଣ ରଖିବାକୁ ବିଶ୍ୱହିନ୍ଦୁ ପରିଷଦ ଦାବି କରିଛି । ସଂଗଠନ ପକ୍ଷରୁ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ୬ଦଫା ସମ୍ବଳିତ ଏକ ଦାବି ପତ୍ରରେ ପ୍ରଦାନ କରାଯାଇଛି । ଶ୍ରୀଜଗନ୍ନାଥ ମହାପ୍ରଭୁ ଓ ଶ୍ରୀମନ୍ଦିରର ସର୍ବବିଧ ଉନ୍ନତି ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଉଦ୍ୟମକୁ ଏଥିରେ ଉଚ୍ଚ ପ୍ରଶଂସା କରାଯାଇଥିବାବେଳ ଶ୍ରୀକ୍ଷେତ୍ରରେ ପ୍ରାଚୀନ ଗାରିମା ଓ ପରମ୍ପରାରକୁ ବଜାୟ ରଖିବା ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ଏକ ଜୀବନ୍ତ ମନ୍ଦିର ଯେଉଁଠାରେ ପ୍ରଚଳିତ ନୀତିକାନ୍ତି ବିଶ୍ୱର ଅନ୍ୟ କୌଣସି ମନ୍ଦିର କିମ୍ବା ଧର୍ମପୀଠରେ ପରିଲକ୍ଷିତ ହୁଏନାହିଁ । ତେଣୁ ବିକାଶ ନାମରେ ଶ୍ରୀମନ୍ଦିରକୁ ଏକ ମୁ୍ୟଜିୟମରେ ପରିଣତ କରାନଯାଉ । ପ୍ରାଚୀନ ସଂସ୍କୃତି, ପରମ୍ପରା ଓ ସାମାଜିକ ନୀତିକାନ୍ତିକୁ ନେଇ ଇତିହାସ ରଚିତ ହୁଏ ଏବଂ ଏଗୁଡିକର ସୁରକ୍ଷା ତଥା ବିକାଶ ଏକାନ୍ତ ଜରୁରୀ । ମଠ, ମନ୍ଦିର, ଜାଗା, ଆଖଡା ଏବଂ ଏହାର ସଂସ୍କୃତି ଓ ପରମ୍ପରାଗୁଡିକ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରତି ସମର୍ପିତ ହୋଇଥିବାରୁ ଅବକ୍ଷୟ ମୁଖୀ ଏହି ପରମ୍ପରାକୁ ଜନ ସଚେତନତା ମାଧ୍ୟମରେ ଉଜ୍ଜୀବିତ କରିବା, ମଠ ମର୍ଯ୍ୟାଦାର ବିକାଶ ପୂର୍ବକ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିବାକୁ ପରିଷଦ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛି । ପରିଷଦ ପ୍ରଦତ୍ତଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ସିଂହଦ୍ୱାର ଠାରୁ ରାଜନଅର ପର୍ଯ୍ୟନ୍ତ ରାସ୍ତାକୁ ପର୍ଯ୍ୟଟକମାନଙ୍କୁ ଅକୃଷ୍ଟ କରିବା ଲାଗି ଯେପରି ସଜାଯାଇଛି ତହାଦ୍ୱାର ରଥଖଳା ଓ ସିଂହଦ୍ୱାର ସମ୍ମୁଖ ରଥ ରହଣୀ ସ୍ଥାନ ନେଇ ଆଶଙ୍କା ସୃଷ୍ଟି ହେଉଛି । ସେ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରାଯାଇ ଲୋକଙ୍କ ମନରୁ ଶଙ୍କା ଦୂର କରିବାକୁ ଦାବି କରାଯାଇଛି । ଲକ୍ଷ୍ମୀ ନାରଯାୟଣ ଭେଟ ଓ ଚାହାଣୀ ମଣ୍ଡପର ଗୁରୁତ୍ୱ ନଷ୍ଟ କଲେ ଜନ ଅସନ୍ତୋଷ ସୃଷ୍ଟିହେବା ସୁନିଶ୍ଚିତ ବୋଲି ପରିଷଦ ପକ୍ଷରୁ ଚେତାଇ ଦିଆଯାଇଛି । ପୂର୍ବ ସଂସ୍କୃତିର ପୁନରୁଦ୍ଧାର ପୂର୍ବକ ଶ୍ରୀକ୍ଷେତ୍ରର ମର୍ଯ୍ୟାଦା ବିକାଶ କରାଯିବା ଲାଗି ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି ।