ପୁରୀ:ପୁରୀକୁ ବିଶ୍ୱ ଐତିହ୍ୟ ନଗରୀରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିରନ୍ତର ପ୍ରୟାସ ଚାଲିଛିି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରର ସର୍ବାଙ୍ଗୀନ ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ୫୧୮.୦୪ କୋଟିରୁ ଉଦ୍ଧ୍ୱର୍ ଅର୍ଥ ବ୍ୟୟରେ ହେବାକୁ ଥିବା ୭ଟି ମେଗା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗୁରୁବାର ପୁରୀ ଗସ୍ତରେ ଆସି ପୂର୍ବାହ୍ନ ୧୧ଟା ୪୫ମିନିଟ୍ରେ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବା ପରେ ସେଠାରୁ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉମାନଙ୍କୁ ଦର୍ଶନ କରିଥିଲେ । ମନ୍ଦିରରେ ମୁଖ୍ୟମନ୍ତ୍ରୀ ପ୍ରାୟ ୨୦ମିନିଟ୍ ଅତିବାହିତ କରି ଫେରିବା ପରେ ଜନସାଧାରଣଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଥିଲେ । ସେ ସର୍ବଦା ପୁରୀ ଆସି ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯାଇଥାନ୍ତି ଓ ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥାନ୍ତି ବୋଲି ଗଣମାଧ୍ୟମକୁ ଶ୍ରୀ ପଟ୍ଟନାୟକ କହିଥିଲେ । ପରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ଅବଢ଼ା ଯୋଜନାରେ କାର୍ଯ୍ୟକାରୀ ହେବାକୁ ଥିବା ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ ସେଣ୍ଟର, ମଲ୍ଟି ଲେଭୁଲ କାର ପାର୍କିଂ ଓ ମୁ୍ୟନିସପାଲ୍ ମାର୍କେଟ କମ୍ପ୍ଲେକ୍ସ ଆଦି ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏତଦ୍ବ୍ୟତୀତ ମୁଖ୍ୟମନ୍ତ୍ରୀ ସ୍ୱର୍ଗଦ୍ୱାରର ବିକାଶ, ବେଳାଭୂମିରେ ଭେଣ୍ଡିଂ ଜୋନ୍ ଏବଂ ମଧ୍ୟାହ୍ନ ଭୋଜନ ଏବଂ ଆହାର ମିଲ ପ୍ରସ୍ତୁତି ପାଇଁ କେନ୍ଦ୍ରୀୟ ରୋଷଶାଳାର ଶିଳାନ୍ୟାସ କରିଥିଲେ । ୩୧୬ନମ୍ବର ଜାତୀୟ ରାଜପଥରୁ ଯାତ୍ରୀ ଓ ପର୍ଯ୍ୟଟକମାନେ ସିଧାସଳଖ ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ ସେଣ୍ଟରକୁ ଆସିବା ପାଇଁ ଶ୍ରୀସେତୁ ପ୍ରକଳ୍ପ ଉଦ୍ଦିଷ୍ଟ । ଓଡିଶାର ସମୃଦ୍ଧ ଐତିହ୍ୟ ଓ ସ୍ଥାପତ୍ୟ ଉପରେ ଆଧାରିତ ଏହି ଶ୍ରୀ ସେତୁ । ଏହି ମେଗା ପ୍ରକଳ୍ପରେ ୨.୩ କି.ମି. ଦୈର୍ଘ୍ୟ ବିଶିଷ୍ଟ ସେତୁ ଓ ରାସ୍ତା ନିର୍ମାଣ କରାଯିବ । ଏଥିପାଇଁ ୧୮୧ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ନରେନ୍ଦ୍ରକୋଣ ନିକଟସ୍ଥ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ୧୯୦ କୋଟି ଟଙ୍କା ବ୍ୟୟରେ ୬ ମହଲା ବିଶିଷ୍ଟ ପିଲିଗ୍ରିମ ସେଣ୍ଟର ପ୍ରତିଷ୍ଠା କରାଯିବ । ଏଥିରେ ୧୦୦୦ ଚାରି ଚକିଆ ଯାନ ପାଇଁ ମଲ୍ଟି ଲେଭୁଲ ପାର୍କିଂ ବ୍ୟବସ୍ଥା, ବ୍ୟବସାୟିକ କେନ୍ଦ୍ର, ଧ୍ୟାନ କେନ୍ଦ୍ର ସହିତ ଅନ୍ୟାନ୍ୟ ଆଧୁନିକ ସୁବିଧା ସୁଯୋଗ ରହିବ । ବଡ ଡାକ୍ତରଖାନା ଛକ ନିକଟସ୍ଥ ଜେଲ୍ ରୋଡରେ ଏକ ମଲ୍ଟି ଲେଭୁଲ କାର ପାର୍କିଂ ପ୍ଲେସ ନିର୍ମାଣ କରାଯିବ । ଚାରିମହଲା ବିଶିଷ୍ଟ ହେବ ଏହି ପାର୍କିଂ କମ୍ପ୍ଲେକ୍ସ । ଏଥିରେ ୫୦୦ଟି ୪ ଚକିଆ ଯାନ ଓ ବାଇକ ପାର୍କିଂ କରାଯାଇପାରିବ ।ଏହି ପ୍ରକଳ୍ପ ପାଇଁ ୯୦କୋଟି ୨୨ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ବଡଦାଣ୍ଡରେ ନିର୍ମିତ ହେବାକୁ ଯାଉଥିବା ଏହି ୫ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସରେ ୫୦୦ ଭେଣ୍ଡିଂ ୟୁନିଟ୍ ଓ ୧୦୦ଟି ଚାରି ଚକିଆ ଯାନ ପାଇଁ ପାର୍କିଂ ପ୍ଲେସ ରହିବ । ମାର୍କେଟ କମ୍ପ୍ଲେକ୍ସରେ ୩୦୦ କିଲୋୱାଟ ବିଦୁ୍ୟତ୍ ଶକ୍ତି ଉତ୍ପାଦନ ସୌରଶକ୍ତି ସିଷ୍ଟମ ରହିବ । ଏଥିପାଇଁ ୪୪କୋଟି ୮୨ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ସ୍ୱର୍ଗଦ୍ୱାର ଶ୍ମଶାନରେ ଶବଦାହ ପାଇଁ ଆସୁଥିବା ଲୋକଙ୍କ ଲାଗି ବିଭିନ୍ନ ସୁବିଧାର ବ୍ୟବସ୍ଥା କରାଯିବା ସହ ଶବଦାହ ପାଇଁ ୨ଟି ବିଦୁ୍ୟତ୍ ଚୁଲା ରହିବ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ପ୍ରକଳ୍ପ ପାଇଁ ଅର୍ଥ ଦିଆଯିବ । ସମୁଦ୍ରକୂଳର ଉଠାଦୋକାନୀଙ୍କ ଥଇଥାନ ପାଇଁ ବେଳାଭୂମିରେ ୮୦୦ କୁ୍ୟଓଷ୍କ ନିର୍ମିାଣ କରାଯିବ । ଏଥିପାଇଁ ୧୨କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ମଙ୍ଗଳାଘାଟ ଠାରେ ୫୦ ହଜାର ବର୍ଗଫୁଟ ଜମି ଉପରେ ମଧ୍ୟାହ୍ନ ଭୋଜନ ଓ ଆହାର କେନ୍ଦ୍ର ଗୁଡିକ ପାଇଁ ଭୋଜନ ପ୍ରସ୍ତୁତି ନିମନ୍ତେ କେନ୍ଦ୍ରୀୟ ରୋଷଶାଳା ପ୍ରତିଷ୍ଠିତ ହେବ । ଏଥିରେ ଦୈନିକ ୫୦ହଜାର ମିଲ୍ ରନ୍ଧାଯାଇପାରିବ ।ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ସବୁ ପ୍ରକଳ୍ପ ପାଇଁ ଶୀଳାନ୍ୟାସ କରିବା ସହ ବହୁ ମେଗା ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରିଥିଲେ । ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ କାର୍ଯ୍ୟକାରୀ ହେଉଥିବା ଉନ୍ନୟନ ଯୋଜନା ଓ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ । ମୁଖ୍ୟମନ୍ତ୍ରୀ ଏହି ସବୁ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ କରାଯାଉଥିବା ପ୍ରକଳ୍ପଗୁଡିକ ଖୁବ୍ ସୁନ୍ଦର ବୋଲି ମତବ୍ୟକ୍ତ କରିଥିଲେ । ଶିଳାନ୍ୟାସ ଉସôବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ବିଧାୟକ ପ୍ରଦୀପ ମହାରଥୀ, ବିଧାୟକ ଉମାକ୍ତାନ୍ତ ସାମନ୍ତରାୟ,ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ, କେନ୍ଦ୍ରାଞ୍ଚଳ ଡିଆଇଜି ଆଶୀଷ ସିଂ, ଜିଲ୍ଲାପାଳ ବଲୱନ୍ତ ସିଂ, ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ଦାଶ, ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଓ ସଞ୍ଜୟ ଦାସବର୍ମାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଗତବର୍ଷ ଅକ୍ଟୋବର ମାସରେ ରାଜ୍ୟସରକାର ପୁରୀକୁ ଏକ ବିଶ୍ୱ ଐତିହ୍ୟ ନଗରୀରେ ପରିଣତ କରିବା ପାଇଁ ଅବଢ଼ା ଯୋଜନାରେ ୩ହଜାର ୨୦୮ କୋଟି ଟଙ୍କା ମଞ୍ଜୁର କରିଥିଲେ ।