Odisha news

ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ବିଜେଡି ଦଳରୁ ଇସ୍ତଫା ଦେଲେ

0

କଟକ: ୨୦୨୪ ସାଧାରଣ ନିର୍ବାଚନରେ ବାରବାଟୀ-କଟକରୁ ବିଜେଡିର ପ୍ରାର୍ଥୀ ହୋଇଥିବା ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ବିଜେଡିର ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ବାରବାଟୀ-କଟକ ଆସନରୁ ତାଙ୍କୁ ପ୍ରାର୍ଥୀ କରିଥିବାରୁ କୃତଜ୍ଞତା ଜଣାଇବା ସହିତ ନବୀନଙ୍କ ନେତୃତ୍ବକୁ ସେ ସମ୍ମାନ ଜଣାଇଛନ୍ତି। କିନ୍ତୁ ସେ ରାଷ୍ଟ୍ରୀୟ ଚିନ୍ତାଧାରାର ବ୍ୟକ୍ତି ଏବଂ ‌ସାଧାରଣ ଲୋକଙ୍କ ସମସ୍ୟା, ବିକାଶ ଓ ତୃଣମୂଳ ସଙ୍ଗଠନ ସହ ଯୋଡ଼ି ହୋଇ ରହିବାକୁ ପସନ୍ଦ କରୁଥିବାରୁ ଏଭଳି ନିଷ୍ପତ୍ତି ନେବାକୁ ଉଚିତ ମନେକଲେ ବୋଲି ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। ପ୍ରକାଶ ଜଣାଇଛନ୍ତି ଯେ ବାରବାଟୀ-କଟକର ଜନସାଧାରଣ ତାଙ୍କୁ ଯେତେବେଳେ ଲୋଡ଼ିବେ, ସେ ତାଙ୍କ ପାଖରେ ଛିଡ଼ା ହେବେ। କିନ୍ତୁ ଟାଙ୍ଗୀ-ସାଲେପୁର ଅଞ୍ଚଳବାସୀଙ୍କ ସହିତ ଦୀର୍ଘ ୨୫ ବର୍ଷ ଧରି ଯୋଡ଼ି ହୋଇଥିବାରୁ ସେ ବର୍ତ୍ତମାନ ସମୟରେ ସେମାନଙ୍କ ସହିତ ରହିବେ, ସେମାନଙ୍କ ଋଣ ସୁଝିବାକୁ ଉଦ୍ୟମ କରିବେ।

ପ୍ରକାଶ ବିଜେଡି ଛାଡ଼ିବା ସହିତ ଟାଙ୍ଗୀ-ସାଲେପୁର ଅଞ୍ଚଳରେ କାମ କରିବେ ବୋଲି ଏକପ୍ରକାର ସ୍ପଷ୍ଟ କରି ଦେଇଛନ୍ତି। କିନ୍ତୁ ପ୍ରକାଶ ଏବେ କେଉଁ ଦଳକୁ ଫେରିବେ ତାହା ଯଦିଓ ସ୍ପଷ୍ଟ ‌କରି ନାହାନ୍ତି। ସେ ପୂର୍ବରୁ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସରେ କାମ କରି ସାରିଛନ୍ତି। ପ୍ରକାଶ ବହୁ ଦିନ ଧରି କଂଗ୍ରେସ ରାଜନୀତିରେ ରହି ସାଲେପୁର ବିଧାନସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବା ସହିତ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସାଲେପୁରର ବିଧାୟକ ଥିଲେ। କିନ୍ତୁ ୨୦୧୯ରେ ସେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ। ବିଜେପିର କଟକ ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରିବା ସହିତ ୨୦୧୯ରେ ସାଲେପୁରରୁ ବିଜେପିର ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ।

୨୦୨୪ରେ ସେ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ‌ଯୋଗ ଦେଇଥିଲେ। ଯଦିଓ ପ୍ରକାଶଙ୍କ ସମର୍ଥକ ସେ ସାଲେପୁରରୁ ନିର୍ବାଚନ ଲଢ଼ନ୍ତୁ ବୋଲି ଚାହୁଁଥିଲେ, ବିଜେଡି କିନ୍ତୁ ପ୍ରକାଶଙ୍କୁ ବାରବାଟୀ-କଟକରୁ ପ୍ରାର୍ଥୀ କରିଥିଲା। ବାରବାଟୀ-କଟକ ଲୋକଙ୍କ ପାଇଁ ପ୍ରକାଶ ନୂଆ ଥିଲେ। ବାରବାଟୀ-କଟକର ବିଜେଡି ନେତା ଓ କର୍ମୀମାନେ ବି ତାଙ୍କ ସହ ଦୃଢ଼ ଭାବେ ଛିଡ଼ା ହୋଇପାରି ନଥିଲେ। ଫଳରେ ନିର୍ବାଚନରେ ତାଙ୍କୁ ତୃତୀୟ ସ୍ଥାନରେ ରହିବାକୁ ପଡ଼ିଥିଲା। ନିର୍ବାଚନ ପରବର୍ତ୍ତୀ ସମୟରେ ପ୍ରକାଶ ବାରବାଟୀ-କଟକ ବିଜେଡି ରାଜନୀତିରେ ଆଉ ସହଜ ଅଥବା ସ୍ବାଭାବିକ ଭାବେ କାର୍ଯ୍ୟ କରିପାରି ନଥିଲେ। ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିନଥିଲା। ଏମିତିକି ଗତକାଲି ଅନୁଷ୍ଠିତ ଦଳର ସଦସ୍ୟ ସଂଗ୍ରହ ସମାବେଶରେ ବି ପ୍ରକାଶ ଯୋଗ ଦେଇନଥିଲେ। ଅନ୍ୟପଟେ ନିର୍ବାଚନ ପରଠାରୁ ପ୍ରକାଶ ଟାଙ୍ଗୀ-ସାଲେପୁର ରାଜନୀତିରେ ସକ୍ରିୟ ରହିଥିଲେ।
ପ୍ରକାଶ ନିର୍ବାଚନ ସମୟରେ ବିଜେପି ଛାଡ଼ି ଦେବାରୁ ସାଲେପୁର ବିଜେପିରେ ହଠାତ୍‌ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା। ସାଲେପୁରରେ ବିଜେପି ଅଭିନେତା ଅରିନ୍ଦମ ରଏଙ୍କୁ ନେଇ ପ୍ରାର୍ଥୀ କରିଥିଲା। କିନ୍ତୁ ପ୍ରକାଶ କଂଗ୍ରେସ ଓ ବିଜେପି ଛାଡ଼ିବା ପରେ ଟାଙ୍ଗୀ-ସାଲେପୁର ଅଞ୍ଚଳରେ ଦୁଇଟିଯାକ ରାଷ୍ଟ୍ରୀୟ ଦଳରେ ତୃଣମୂଳସ୍ତରରେ ଏକପ୍ରକାର ଶୂନ୍ୟସ୍ଥାନ ରହି ଆସିଥିବା ସମସ୍ତେ ସ୍ବୀକାର କରୁଛନ୍ତି। ଏଭଳି ସ୍ଥିତିରେ ପ୍ରକାଶ ନିଜର କେଉଁ ପୂର୍ବ ଦଳକୁ ଫେରିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ନିଜର ସମର୍ଥକ, ଶୁଭେଚ୍ଛଙ୍କ ସହ ଆଲୋଚନା କରି ସେ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି କହୁଥିଲେ ବି ବର୍ତ୍ତମାନ ପରିସ୍ଥିତିରେ ପ୍ରକାଶ ବିଜେପିକୁ ପୁଣି ଫେରିବାର ସମ୍ଭାବନା ସବୁଠୁ ଅଧିକ ରହିଛି ବୋଲି କୁହାଯାଉଛି।

Nalco

Leave A Reply