ଆଠଗଡ଼ ତା ୩୧-୦୩-୨୪ ଆଠଗଡ଼ ପ୍ରସିଦ୍ଧ ପଞ୍ଚୁ ଦୋଳ ଉତ୍ସବ ପାଳିତ ହୋଇଯାଇଛି। ଚଳିତ ବର୍ଷ ୫୪ ଟି ସୁସଜ୍ଜିତ ବିମାନ ଏହି ଦୋଳ ମେଲଣ ଉତ୍ସବ ରେ ସାମିଲ ହୋଇଥିଲେ। ଆଠଗଡ଼ ଆରାଧ୍ୟ ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ଜୀୟୁ ଙ୍କ ନିମନ୍ତ୍ରଣ କ୍ରମେ ଚଉଦ କୋଶ ଆଠଗଡ଼ ଗଡ଼ଜାତ ର ଅଧିକାଂଶ ଗ୍ରାମ ର ଆରାଧ୍ୟ ଦେବତା ମାନଙ୍କ ଚଳନ୍ତି ପ୍ରତିମା ସୁସଜ୍ଜିତ ବିମାନରେ ବିଜେ ହୋଇ ଝୁଲଣ ପଡ଼ିଆ ରେ ଏକତ୍ରିତ ହୋଇ ଏକ ଭବ୍ୟ ଶୋଭାଯାତ୍ରା ରେ ନଗର ପରିକ୍ରମା କରିଥିଲେ। ଆଠଗଡ଼ ର ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ସଂକୀର୍ତ୍ତନ ମଣ୍ଡଳୀ ତରଫରୁ ସଭାପତି ଅଜୟ କୁମାର ଦାସ ଙ୍କ ନେତୃତ୍ବରେ ଆଜି ଏହାର ବାର୍ଷିକ ଉତ୍ସବ ପାଳିତ ହେବା ସହିତ ୩୪ ଟି ସଂକୀର୍ତ୍ତନ ମଣ୍ଡଳୀ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ। ଆଠଗଡ଼ ଦେବୋତ୍ତର ବିଭାଗ ପକ୍ଷରୁ ସମସ୍ତ ଆୟୋଜନ ସହିତ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର କୁମାର ମଲ୍ଲିକ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ଙ୍କ ନେତୃତ୍ବରେ ୨ ପ୍ଲାଟୁନ ପୋଲିସ ଫୋର୍ସ ସହିତ ଉପଖଣ୍ଡ ର ଅଧିକାଂଶ ପୋଲିସ ଅଧିକାରୀ ଏଥିରେ ନିୟୋଜିତ ହୋଇଛନ୍ତି। ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ଆଠଗଡ଼ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଙ୍କ ସହିତ ଅତିରିକ୍ତ ତହସିଲଦାର ଆଲୋକ କୁମାର ସ୍ବାଇଁ ମାଜିଷ୍ଟ୍ରେଟ ଦାଇତ୍ୱ ରେ ରହି ଆଇନ ଶୃଙ୍ଖଳା ବ୍ୟବସ୍ଥା ତଦାରଖ କରିଥିଲେ। ରାତିରେ ଠାକୁର ମାନଙ୍କୁ ନଗର ପରିକ୍ରମା ସହିତ ଯଜ୍ଞ ନାରାୟଣ ମନ୍ଦିର ଠାରେ ଭେଟ ଆଳତୀ ସହିତ ଭୋଗ ଲାଗି ହେବା ପରେ ଦୁର୍ଗା ବଜାର ସ୍ଥିତ ଦୋଳ ମଣ୍ଡପ ଠାରେ ଚାରମାଳ ଉପରେ ବସି ଦୋଳ ଉତ୍ସବ ପାଳନ କରିଥାଆନ୍ତି। ସକାଳୁ ପୁଣି ଥରେ ଯଜ୍ଞ ନାରାୟଣ ମନ୍ଦିର କୁ ଯାଇ ମେଲାଣି ବିଦାକି ସହିତ ଆଳତୀ ବନ୍ଦାପନା ପରେ ସ୍ବସ୍ଥାନ କୁ ପ୍ରସ୍ଥାନ କରିଥିଲେ। ଆଜି ସମସ୍ତ ଠାକୁରଙ୍କ ମେଲାଣି ବିଦାକି ପରେ ହୋଲି ଉତ୍ସବ ଶାନ୍ତି ଶୃଙ୍ଖଳା ର ସହିତ ପାଳିତ ହୋଇଯାଇଛି। ଆଠଗଡ଼ ଗଡ଼ଜାତ ପରମ୍ପରା ଅନୁସାରେ ଫଗୁ ଦଶମୀ ଠାରୁ ହୋଲି ଉତ୍ସବ ଆରମ୍ଭ ହୋଇ ବାରୁଣୀ ସ୍ନାନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନ ମାନଙ୍କରେ ପାଳିତ ହୋଇ ଆସୁଅଛି।