Odisha news

ଜମ୍ମୁ ଓ କଶ୍ମୀରର ପୁଞ୍ଚ୍ ଜିଲ୍ଲା ନିୟନ୍ତ୍ରଣ ରେଖା ପାଖରେ ପାକିସ୍ତାନୀ ସେନାଙ୍କ ଗୁଳି ଚାଳନା : ଭାରତୀୟ ସେନାର ଜଣେ ଯବାନ ସହିଦ, ଦୁଇଜଣ ଆହତ

0

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ପୁଞ୍ଚ୍ ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ପାଖରେ ପାକିସ୍ତାନୀ ସେନାଙ୍କ ଗୁଳି ଚାଳନା ଏବଂ ସେଲିଙ୍ଗ୍ କ୍ଷେପଣ ଯୋଗୁଁ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଛନ୍ତି ଏବଂ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି।

ଏ ମାସରେ ପୁଞ୍ଚ୍‌ ଓ ରାଜୌରି ଜିଲ୍ଲାରେ ଥିବା ଫର୍‌ୱାର୍ଡ ପୋଷ୍ଟ୍‌ ଏବଂ ଗାଁମାନଙ୍କରେ ପାକିସ୍ତାନ ସେନାଙ୍କ ଗୁଳିଚାଳନା ଏବଂ ସେଲିଙ୍ଗ୍ ‌କ୍ଷେପଣ କାରଣରୁ ଏହା ହେଉଛି ତୃତୀୟ ମୃତ୍ୟୁ ଘଟଣା।

ସରକାରୀ ଅଧିକାରୀମାନେ କହିଛନ୍ତି ଯେ, ସୀମା ଆରପଟୁ ଶନିବାର ରାତିରେ ଶାହାପୁର-କେର୍ଣ୍ଣି ସେକ୍ଟର୍‌ରେ ଏହି ସଦ୍ୟତମ ଗୁଳିକାଣ୍ଡ ଓ ସେଲିଙ୍ଗ୍ କ୍ଷେପଣ ହୋଇଛି। ଭାରତୀୟ ସେନା ମଧ୍ୟ ଏହାର ଠିକଣା ଜବାବ ଦେଇଛି।

ପାକିସ୍ତାନୀ ସେନାଙ୍କ ଗୁଳି ଚାଳନାରେ ଆହତ ହୋଇଥିବା ତିନିଜଣ ଯବାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠ‌ାରେ ସେମାନଙ୍କ ମଧ୍ୟରୁ ଜଣଙ୍କର ଦେହାନ୍ତ ହୋଇଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ପାଲଟା ଗୁଳିଚାଳନାରେ ପାକିସ୍ତାନ ପକ୍ଷର କେହି ମୃତାହତ ହୋଇଥିବା କଥା ହଠାତ୍ ଜଣାପଡ଼ିନାହିଁ ବୋଲି ସମ୍ପୃକ୍ତ ସରକାରୀ ଅଧିକାରୀମାନେ କହିଛନ୍ତି।

ଜୁନ୍ ୪ ତାରିଖରେ ରଜୌରି ଜିଲ୍ଲାର ସୁନ୍ଦରବନ ସେକ୍ଟର୍‌ରେ ହାବିଲଦାର ପି ମାତିଆଝଗନ ପାକିସ୍ତାନ ଗୁଳି ଚାଳନା ଯୋଗୁଁ ସହିଦ ହୋଇଥିଲା ବେଳେ ଜୁନ୍ ୧୦ ତାରିଖରେ ରଜୌରି ଜିଲ୍ଲାରେ ଏକା ଭଳି ଅନ୍ୟ ଏକ ଘଟଣାରେ ନାୟକ ଗୁରଚରଣ ସିଂହ ସହିଦ ହୋଇଥିଲେ।

Leave A Reply