Odisha news

“ଉତ୍କର୍ଷ ଓଡ଼ିଶା : ମେକ୍ ଇନ୍ ଓଡ଼ିଶା କନକ୍ଲେଭ -୨୦୨୫”ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ , ଓଡ଼ିଶାରେ ଖୁବ ଶୀଘ୍ର ନୂଆ ଷ୍ଟାର୍ଟଅପ୍ ପଲିସି ଆସିବ : ଧର୍ମେନ୍ଦ୍ର ପ୍ରଧାନ

0

ନୂଆ ଉଦ୍ୟମୀଙ୍କ ଅପେକ୍ଷା, ଆକାଂକ୍ଷାକୁ ପୂରଣ କରିବା, ବଜାର, ନବସୃଜନ ଏବଂ ଆନୁଷଙ୍ଗିକ ସମର୍ଥିତ ପ୍ରକ୍ରିୟାକୁ ପ୍ରୋତ୍ସାହନ ଦେବା ଭଳି ବିଷୟକୁ ଦୃଷ୍ଟିରେ ରଖି ନୂଆ ଷ୍ଟାର୍ଟଅପ୍ ନୀତି ଅଣାଯିବ
ଓଡ଼ିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ
“ଭାରତର ଷ୍ଟାର୍ଟଅପ ଦୃଶ୍ୟପଟ୍ଟରେ ଓଡ଼ିଶାର ଅଭ୍ୟୁଦୋୟ” କଥାବସ୍ତୁ ଉପରେ ମତ ରଖିଲେ  
ଓଡ଼ିଶାକୁ ଉଦ୍ଭାବନ, ଉଦ୍ୟୋଗ ଓ ସୁଯୋଗର ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବା
ଓଡ଼ିଶାରେ ଥିବା ସୁଯୋଗ, ସମ୍ଭାବନା ଓ ସୁନ୍ଦରତାକୁ ନିବେଶକଙ୍କ ସାମ୍ନାରେ ଆଣିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ
ଓଡ଼ିଶାରେ ୨୦୩୬ ସୁଦ୍ଧା ୧୦୦ଟି ଷ୍ଟାର୍ଟଅପ୍ ପାଇଁ ପଦକ୍ଷେପ, ପ୍ରତ୍ୟେକ ଷ୍ଟାର୍ଟଅପର ମୂଲ୍ୟ ୧୦୦ କୋଟି କରିବା ଲକ୍ଷ୍ୟ  
ଯେତେବେଳେ ଓଡ଼ିଶା ଭାଷା ଭିତ୍ତିରେ ୧୦୦ ବର୍ଷ ପୂରଣ କରିବ, ସେତେବେଳେ ଯେପରି ୧୦୦ ଜଣ ଉଦ୍ୟମୀ ବାହାରିବେ, ସେଥିପାଇଁ ଯୋଜନା କରିବା
ଓଡ଼ିଶାରେ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ସହଯୋଗୀ ହେବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ
ଓଡ଼ିଆ ପିଲାମାନଙ୍କ ମଧ୍ୟରେ ରୋଜଗାର ଦେବା ନା ନେବା ? ଏହି ଚିନ୍ତାଧାରାକୁ ବଦଳାଇବା  
ଭାରତ ସରକାରଙ୍କ ଯୋଜନା, ନୀତି ଓ ସଂସ୍କାରରେ ଓଡ଼ିଶା ସବୁଠୁ ଅଧିକ ଲାଭବାନ
ଦେଶରେ ଥିବା ୧.୫ ଲକ୍ଷ ଷ୍ଟାର୍ଟଅପ୍  ମଧ୍ୟରୁ ଓଡ଼ିଶାରେ କେତୋଟି ଷ୍ଟାର୍ଟଅପ୍ ଅଛି ସେଥିପାଇଁ ଆତ୍ମସମୀକ୍ଷା କରିବାକୁ ହେବ
ବିଶ୍ୱବିଦ୍ୟାଳୟରେ ପାଠପଢା ଗବେଷଣା ଆଧାରିତ ହେଲେ ଯୁବପିଢିଙ୍କ ମଧ୍ୟରେ ଷ୍ଟାର୍ଟଅପର ସୃଜନଶୀଳତା ବଢିବ

ଭୁବନେଶ୍ୱର, ଜାନୁଆରୀ ୨୮ –  ରାଜ୍ୟ ସରକାର ଖୁବ ଶୀଘ୍ର ସମସ୍ତ ଷ୍ଟେକହୋଲଡର ବିଶେଷ ଭାବରେ ଯୁବ ଉଦ୍ୟମୀଙ୍କ ସହ ଆଲୋଚନା କରି ନୂଆ ଷ୍ଟାର୍ଟଅପ୍ ପଲିସି ଆଣିବେ । ଯୁବା ବା ନୂଆ ଉଦ୍ୟମୀଙ୍କ ଅପେକ୍ଷା, ଆକାଂକ୍ଷାକୁ ପୂରଣ କରିବା,  ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ସହଯୋଗ ଓ ସମନ୍ୱୟରେ ବଜାର, ନବସୃଜନ ଏବଂ ଆନୁଷଙ୍ଗିକ ସମର୍ଥିତ ପ୍ରକ୍ରିୟାକୁ ପ୍ରୋତ୍ସାହନ ଦେବା ଭଳି ବିଷୟକୁ ଦୃଷ୍ଟିରେ ରଖି ନୂଆ ଷ୍ଟାର୍ଟଅପ୍ ନୀତି ଅଣାଯିବ ବୋଲି ମଙ୍ଗଳବାର ଭୁବନେଶ୍ୱରରେ ଆୟୋଜିତ “ଉତ୍କର୍ଷ ଓଡ଼ିଶା : ମେକ୍ ଇନ୍ ଓଡ଼ିଶା କନକ୍ଲେଭ -୨୦୨୫”ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ପ୍ରଥମେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍‌ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ର୍ା ମୋଦୀଙ୍କୁ ଜନତା ମଇଦାନରେ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍- ୨୦୨୫ ଏବଂ ମେକ୍ ଇନ୍ ଓଡ଼ିଶା ପ୍ରଦର୍ଶନୀର ଉଦଘାଟନ ସମାବେଶରେ ସାମିଲ ହୋଇଥିଲେ । ଏହା ପରେ ଆଉ ଏକ ପୃଥକ ଅଧିବେଶନରେ “ଓଡ଼ିଶା – ଏ ରାଇଜିଂ ଷ୍ଟାର୍ ଇନ୍ ଇଣ୍ଡିଆ ଷ୍ଟାର୍ଟଅପ୍ ଲ୍ୟାଣ୍ଡସ୍କେପ୍” ବା ଭାରତର ଷ୍ଟାର୍ଟଅପ ଦୃଶ୍ୟପଟ୍ଟରେ ଓଡ଼ିଶାର ଅଭ୍ୟୁଦୋୟ କଥାବସ୍ତୁରେ ନିଜ ମତ ରଖିଥିଲେ କେନ୍ଦ୍ରମନ୍ତ୍ରୀ । ଶ୍ରୀ ପ୍ରଧାନ ଏହି ମେଗା ଇଭେଣ୍ଟ ଆୟୋଜନ କରିଥିବାରୁ ସେ ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ଉତ୍କର୍ଷ ଓଡ଼ିଶା କେବଳ ଏକ କାର୍ଯ୍ୟକ୍ରମ ନୁହେଁ ଏହା “ପୂର୍ବଦୋୟ”ର ଗର୍ବ ଓ ଗୌରବ । ପୂର୍ବଦୋୟ ମିଶନକୁ ସଫଳ କରିବା ପାଇଁ ଏହି ଉତ୍କର୍ଷ ଓଡ଼ିଶାର ଆୟୋଜନ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଆମ ରାଜ୍ୟର ବାଣିଜ୍ୟ, ଉଦ୍ଭାବନ ଓ ଶିଳ୍ପର ପରମ୍ପରା ରହିଛି ଏବଂ ଶିଳ୍ପ ବିପ୍ଳବ ୪.୦ରେ ଓଡ଼ିଶାର ନେତୃତ୍ୱ ନେବାର ଉଭୟ ଆକାଂକ୍ଷା ଓ ଦାୟିତ୍ୱ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାକୁ ସବୁବେଳେ ପ୍ରାଥମିକତା ଦେଇ ଆସିଛନ୍ତି । ମୋଦୀ ସରକାରଙ୍କ ଯୋଜନା, ନୀତି ଓ ସଂସ୍କାରରେ ଓଡ଼ିଶା ସବୁଠୁ ଅଧିକ ଲାଭବାନ ହୋଇଛି । ଆଜି ପ୍ରଧାନମନ୍ତ୍ରୀ ଓଡ଼ିଶାରେ ଥିବା ଶିଳ୍ପ ସମ୍ଭାବନା ଉପରେ ଆଲୋକପାତ କରିବା ସହ ଓଡ଼ିଶାକୁ ବିକାଶର ଶିଖରରେ ପହଞ୍ଚାଇବା ପାଇଁ ଆହ୍ୱାନ କରିଛନ୍ତି । ଦୁଇଟି ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଆସର୍ପିରେସିନାଲ ଇଣ୍ଡିଆ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଓଡ଼ିଶାରେ ଥିବା ସୁଯୋଗ, ସମ୍ଭାବନା ଓ ସୁନ୍ଦରତାକୁ ବିଶ୍ୱବାସୀଙ୍କ ସାମ୍ନାରେ ଆଣିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଭାରତକୁ ବୁଝିବା ପାଇଁ ହେଲେ ଓଡ଼ିଶାକୁ ବୁଝିବାକୁ ହେବ । ଓଡ଼ିଶାର ବିକାଶ ନ ହେଲେ ପୂର୍ବ ଭାରତର ବିକାଶ ହୋଇପାରିବ ନାହିଁ । ଓଡ଼ିଶାର ସାମଗ୍ରିକ ବିକାଶକୁ ଅଗ୍ରାଧିକାର ଦେଇ ପ୍ରଧାନମନ୍ତ୍ରୀ ଏଠାରେ ପୁଞ୍ଜିନିବେଶ କରିବା ପାଇଁ ସମସ୍ତ ନିବେଶକଙ୍କୁ ଆହ୍ୱାନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଉତ୍କର୍ଷ ଓଡ଼ିଶାରେ ଅନେକ କ୍ଷୁଦ୍ର, ମଧ୍ୟମ ଓ ବୃହତ ଶିଳ୍ପର ନିବେଶକମାନେ ସାମିଲ ହୋଇଛନ୍ତି । ଉତ୍କର୍ଷ ଓଡ଼ିଶାକୁ ନେଇ ଓଡ଼ିଆ ପିଲାମାନଙ୍କ ମଧ୍ୟରେ ଅଭୁତପୂର୍ବ ଉତ୍ସାହ ବଢିଛି । ନୂଆ ଷ୍ଟାର୍ଟଅପ୍ ପରିସଂସ୍ଥାନ ଓ ନୂଆ ପୁଞ୍ଜି ନିବେଶକାରୀଙ୍କୁ ଆମକୁ ସୃଷ୍ଟି କରିବା ପାଇଁ ହେବ । ଏଥିପାଇଁ ରାଜ୍ୟରେ ବଡ ବଡ ଶିଳ୍ପ ପ୍ରତିଷ୍ଠା ହେବାର ଆବଶ୍ୟକତା ରହିଛି । ଏଥିପାଇଁ ରାଜ୍ୟ ସରକାର ନୂଆ ଷ୍ଟାର୍ଟଅପ ପଲିସି ଆଣୁଛନ୍ତି । ଏହା ଦ୍ୱାରା ରାଜ୍ୟରେ ପୁଞ୍ଜିନିବେଶ ବଢିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ତେବେ ଆମ ପାଇଁ ପ୍ରାଥମିକ ଚ୍ୟାଲେଞ୍ଜ ହେଉଛି ରାଜ୍ୟର ସମସ୍ତ ସମ୍ଭାବନାକୁ ଓଡ଼ିଶାରେ ଉପଯୋଗ କରିବା ପାଇଁ ପଡିବ, ତାହା ହିଁ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ଓ ରଣନୀତି । ଦେଶରେ ଥିବା ୧.୫ ଲକ୍ଷ ଷ୍ଟାର୍ଟଅପ୍  ମଧ୍ୟରୁ ଓଡ଼ିଶାରେ କେତୋଟି ଷ୍ଟାର୍ଟଅପ୍ ଅଛି ସେଥିପାଇଁ ଆତ୍ମସମୀକ୍ଷା କରିବାକୁ ହେବ ।

୨୦୩୬ ସୁଦ୍ଧା ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପୂରଣ କରିବ । ୨୦୪୭ ସୁଦ୍ଧା ଭାରତ ଦେଶ ସ୍ୱାଧୀନତାର ଶହେ ବର୍ଷ ପୂରଣ କରିବ । ତେବେ ଓଡ଼ିଶାକୁ ଯେତେବେଳେ ଭାଷା ଭିତ୍ତିରେ ୧୦୦ ବର୍ଷ ପୂରଣ ହେବ ସେହି ସମୟ ସୁଦ୍ଧା ହାରାହାରି ୧୦୦ କୋଟି ଟଙ୍କା ଲେଖାଁଏ ମୂଲ୍ୟର ୧୦୦ଟି ଷ୍ଟାର୍ଟଅପ୍ ସୃଷ୍ଟି କରିବାର ଲକ୍ଷ୍ୟ ରହିଛି । ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ତରଫରୁ ଷ୍ଟାର୍ଟ ଅପ ଗୁଡିକୁ ନିବେଶକଙ୍କ ସହ ସମନ୍ୱୟ ସ୍ଥାପନ କରିବା ପାଇଁ ଆବଶ୍ୟକୀୟ ସମ୍ବଳ, ସହଯୋଗ ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଯେତେବେଳେ ଓଡ଼ିଶା ଭାଷା ଭିତ୍ତିରେ ୧୦୦ ବର୍ଷ ପୂରଣ କରିବ, ସେତେବେଳେ ଯେପରି ୧୦୦ ଜଣ ଉଦ୍ୟମୀ ବାହାରିବେ, ସେଥିପାଇଁ ଯୋଜନା କରିବାକୁ ହେବ । ଯେତେବେଳେ ଯୁବପିଢ଼ି ଭଲ ପାଠ ପଢ଼ି ନିଜ ଭାଗ୍ୟ ଓ ସମାଜର ନିର୍ମାଣ ପାଇଁ କାମ କରିବେ ତେବେ ଯାଇ ଆହୁରି ଅଧିକ ନୂଆ ସମ୍ଭାବନା ସୃଷ୍ଟି ହେବ । ବିଶ୍ୱବିଦ୍ୟାଳୟରେ ପାଠପଢା ଗବେଷଣା ଆଧାରିତ ହେଲେ ଯୁବପିଢିଙ୍କ ମଧ୍ୟରେ ଷ୍ଟାର୍ଟଅପର ସୃଜନଶୀଳତା ବଢିବ ।

ଓଡ଼ିଶାରେ ଆଇଆଇଟି ଭୁବନେଶ୍ୱର, ରେଭେନ୍ସା ବିଶ୍ୱବିଦ୍ୟାଳୟ, ଏନଆଇଟି ରାଉରକେଲା ଭଳି ନାମୀଦାମୀ ଅନୁଷ୍ଠାନ ରହିଛି। ଏହି ଜ୍ଞାନ କେନ୍ଦ୍ରଗୁଡ଼ିକ ଆମ ଯୁବବର୍ଗଙ୍କ ଭବିଷ୍ୟତ ଗଢ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ମିଲ୍କ ମନ୍ତ୍ର ଭଳି ଷ୍ଟାର୍ଟଅପ୍ ର ସଫଳତା ପ୍ରମାଣ କରୁଛି ଯେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉତ୍କର୍ଷ ହାସଲ କରିବା ପାଇଁ ଓଡ଼ିଶାର ପ୍ରତିଭା, ଚିନ୍ତାଧାରା ଓ ସଂକଳ୍ପ ରହିଛି । ଏହାବ୍ୟତୀତ ଆଜି ଓଡ଼ିଶାରେ ଷ୍ଟାର୍ଟଅପକୁ ନେଇ ଅନେକ ଗୁଡ଼ିଏ ଏମଓୟୁ ସ୍ୱାକ୍ଷର ହେବା ଖୁସିର ବିଷୟ । ଓଡିଶା ପାଖରେ ଯେଉଁ ସମ୍ଭାବନା ଅଛି ସେଥିରେ ଆମେ ଷ୍ଟାର୍ଟଅପ୍ ଆଧାରିତ ଅର୍ଥନୀତି ରାଜ୍ୟ ହୋଇ ପାରିବା । ଏହି ଓଡ଼ିଶାର ଭୂମିରୁ ଚିନ୍ତାଧାରାକୁ ବିକଶିତ କରି ଷ୍ଟାର୍ଟଅପ ପରିସଂସ୍ଥାନକୁ ମଜଭୂତ କରିବାକୁ ହେବ । ଓଡ଼ିଶାରେ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ସହଯୋଗୀ ହେବା ପାଇଁ ଓଡ଼ିଶାର ଉଦ୍ୟୋଗୀ ସମାଜ ସମେତ ଓ୍ୱେଲଥ୍ କ୍ରିଏଟରର ପରିବେଶ ତିଆରି କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

ସମସ୍ତ ସମ୍ଭାବନାକୁ ଓଡ଼ିଶାରେ ଉପଯୋଗ କରିବା ପାଇଁ ଆମେ ରଣନୀତି ତିଆରି କରିବା ଦରକାର । ଓଡ଼ିଆ ପିଲାମାନଙ୍କ ମଧ୍ୟରେ ରୋଜଗାର ଦେବା ନା ନେବା, ଏହି ଚିନ୍ତାଧାରାକୁ ବଦଳାଇ ଓଡିଆ ପିଲାଙ୍କୁ ନିଯୁକ୍ତି ଅନ୍ୱେଷଣରେ ନ ରହି ନିଯୁକ୍ତିଦାତା କରିବା ପାଇଁ ପ୍ରଚେଷ୍ଟା କରିବା ଦରକାର । ଡବଲ ଇଞ୍ଜିନ ସରକାରରେ ସାଢେ ୪ କୋଟି ଓଡ଼ିଆଙ୍କ ଭାଗ୍ୟ ବଦଳିବ । ସମସ୍ତେ ମିଳିମିଶି ଓଡ଼ିଶାକୁ ଉଦ୍ଭାବନ, ଉଦ୍ୟୋଗ ଓ ସୁଯୋଗର ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

Leave A Reply