ନୂଆପଡ଼ା -୮/୪ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଝରଣାମାଲ-ଭୂଇଁପାଣି ଗାଁ ମଧ୍ୟସ୍ଥ ଦେଘାଟ ରାସ୍ତାରେ ଏକ କଲରାପତରିଆ ବାଘ ବୁଲୁଥିବା ଗାଁ ଲୋକେ ଦେଖିବାକୁ ପାଇଛନ୍ତି। ଗତ କିଛି ଦିନ ହେଲା କଲରା ପତରିଆବାଘ ଟି ଏହି ଅଞ୍ଚଳରେ ଆତଙ୍କ ଖେଳାଉଥିବା କୁହାଯାଉଛି। ବିଗତ ଦିନରେ କଲରାପତରିଆ ବାଘ ଦୁଇଟି ବଳଦ ଓ ଗୋଟିଏ ଛେଳିକୁ ଆକ୍ରମଣ କରି ମାରି ଖାଇଥିଲା | ରବିବାର ସନ୍ଧ୍ୟାରେ ଝରଣାମାଲ ଗାଁର ବିଜୁ କଟା ଓ ସାଙ୍ଗମାନେ ଏକ ଚାରିଚକିଆ ଗାଡ଼ିରେ ଘରକୁ ଫେରୁଥିଲେ ରାତିରେ ଝରଣାମାଲ ଓ ଭୂଇଁପାଣି ଗାଁ ମଧ୍ୟସ୍ଥ ଦେଘାଟ ରାସ୍ତା କଡ଼ରେ କଳରାପତରିଆ ବାଘ୍ କୁ ଦେଖିଥିଲେ । ସେଠି ଗାଡ଼ିର ଲାଇଟ ପଡ଼ିବାରୁ ରାସ୍ତା ଅତିକ୍ରମ କରି ଜଙ୍ଗଲ ଭିତରକୁ ଚାଲି ଯାଇଥିଲା। ଏହି ସମୟରେ ବିଜୁ ଓ ତାଙ୍କ ସାଙ୍ଗମାନେ ମୋବାଇଲ କ୍ୟାମେରାରେ ବାଘର ଫଟୋ ଉଠାଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଝରଣାମାଲ, ଭୂଇଁପାଣି ସମେତ ଆଖପାଖ ଗାଁର ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ବନ ବିଭାଗ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ପେଟ୍ରୋଲିଂ କରି ସଚେତନ କରୁଛନ୍ତି।