ନୂଆପଡ଼ା – ୨୨/୧୦ ସକାଳ ଖବର (ସୁରେନ୍ଦ୍ର ତିୱାରୀ) : ଆଜି ନୂଆପଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମିତି ବୈଠକ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲାର ସମସ୍ତ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା ପୂର୍ବକ ସାମଗ୍ରିକ ବିକାଶ କୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲପାଳ ମଧୁସୂଦନ ଦାଶଙ୍କ ଏହା ଦ୍ଵିତୀୟ ବୈଠକ ଥିଲା l ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି ବୈଠକର ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋକପାତ କରିଥଲେ l ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ ବିଗତ ବୈଠକର ବିବରଣୀ ପାଠ କରି ଥିଲେ l ଏହା ଉପରେ ବିଶଦ ଆଲୋଚନା ପରେ ଆସନ୍ତା ମାସ ପାଇଁ ବିଭିନ୍ନ ଲକ୍ଷ୍ୟ ପୂରଣ ପାଇଁ ଜିଲ୍ଲାପାଳ ଶ୍ରୀ ଦାଶ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇ କହିଲେ ଯେ, ଆନ୍ତ ବିଭାଗୀୟ ବିସଙ୍ଗତି ସବୁ ତାଙ୍କ ନଜରକୁ ଆଣି ସେସବୁର ଶୀଘ୍ର ସମାଧାନ କରାଯିବ l କୋର୍ଟ କେସ ଗୁଡିକର ଶୀଘ୍ର ଫୈସଲା ଦିଗରେ ପଦକ୍ଷେପ ନିଆଯିବ l ଉନ୍ନୟନ କାର୍ୟନିର୍ବାହି ସଂସ୍ଥା ସେମାନଙ୍କ କାମ ଠିକ୍ ସମୟରେ ସାରିବେ l ଜିଲ୍ଲାର ସମସ୍ତ ଅଧିକାରୀ ଗଣ ରକ୍ତଦାନ ଶିବିର ଆୟୋଜନ ଏବଂ ରେଡ୍ କ୍ରସ୍ ପାଣ୍ଠି ବୃଦ୍ଧିରେ ସାହାଯ୍ୟ କରିବେ l ପୂର୍ତ୍ତ ବିଭାଗ ନୂଆପଡ଼ା ସହରରେ ଗୋଟିଏ ଉନ୍ନତ ଲାଇବ୍ରେରୀ ଗୃହ ଓ ଅଫିସର୍ସ୍ କ୍ଲବ୍ ଗୃହ ଯୋଗାଇଦେବେ lବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ବନଖଣ୍ଡ ଅଧିକାରୀ ଅଜିଜ ଖାନ୍, ମହାଦେବ ବଡାଇକ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ପାଞ୍ଚ ଟି ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ସମସ୍ତ ନିର୍ବାହୀ ଯନ୍ତ୍ରୀ ଏବଂ ଲାଇନ୍ ବିଭାଗ ର ଅଧିକାରୀମାନେ ଯୋଗଦେଇଥିଲେ l ବୈଠକ ଶେଷ ରେ ଜିଲ୍ଲାପାଳ ଶ୍ରୀ ଦାଶ ନିର୍ଦ୍ଦେଶ ଦେଇ ଥିଲେ ଯେ, ସମସ୍ତେ ମନପ୍ରାଣ ଢାଳି ଉତ୍ସର୍ଗୀକୃତ ହିସାବରେ ନିଜର ବିଭାଗୀୟ କର୍ମ ସମ୍ପାଦନ କଲେ ଜିଲ୍ଲାର ଦୃତ ଉନ୍ନତି ସାଧିତ ହୋଇପାରିବ ।