ନୂଆପଡା – ୨୩/୮ ସକାଳ ଖବର (ସୁରେନ୍ଦ୍ର ତିୱାରୀ) : କେବିକେ ଜିଲ୍ଳା ଅନ୍ତର୍ଗତ ନୂଆପଡା ଜିଲ୍ଳା ପ୍ରବାସୀ ଶ୍ରମିକ ଚାଲାଣ କ୍ଷେତ୍ରରେ ବହୁ ସମାଲୋଚନା ର ଶରବ୍ୟ ହୋଇଛି l ଏଠିକାର ଶ୍ରମିକ ବହୁ ସଂଖ୍ୟାରେ ପଡୋଶୀ ରାଜ୍ୟ ଛତିଶଗ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଉତ୍ତର ପ୍ରଦେଶ,ତାମିଲନାଡୁ, ମହାରାଷ୍ଟ୍ର ଇତ୍ୟାଦି ରାଜ୍ୟକୁ ଯାଇ ଅତ୍ୟନ୍ତ ଦୟନୀୟ ସ୍ଥିତି ରେ ଜୀବନ ଯାପନ କରୁଛନ୍ତି l ସ୍ଥଳ ବିଶେଷ ରେ ସେମାନଙ୍କ ପ୍ରାଣହାନି ମଧ୍ୟ ଘଟୁଛି ଓ ବେଳେ ବେଳେ ଶାରୀରିକ ଓ ମାନସିକ ନର୍ଯ୍ୟାତନା ର ଶିକାର ହେବା ମଧ୍ୟ ନଜିର ରହିଛି l ଏହି ସମସ୍ୟାର ସ୍ଥାୟି ସମାଧାନ ପାଇଁ  ନବନିଯୁକ୍ତ ଜିଲ୍ଲାପାଳ ମଧୁସୂଦନ ଦାଶ ଜିଲ୍ଳା ଶ୍ରମ ଅଧିକାରୀ ରବିନ୍ଦ୍ର ବାର୍ଲା ଙ୍କୁ ଜିଲ୍ଲାର ସମସ୍ତ  ଶ୍ରମିକ ମାନଙ୍କର ଏକ ଡାଟା ବେସ ତିଆରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି l ଏଥିରେ ଜିଲ୍ଲାରେ କାମ ଖୋଜୁଥିବା ଏବଂ କାମ ଅନ୍ବେଷଣ ରେ ବାହାର ରାଜ୍ୟକୁ ଯିବାପାଇଁ ପ୍ରସ୍ତୁତ ହେଉଥିବା ସମସ୍ତ ଶ୍ରମିକ  ମାନଙ୍କର ସମ୍ପୂର୍ଣ ବିବରଣୀ ରହିବ l ସେମାନଙ୍କ ନାମ, ପିତା କିମ୍ବା ସ୍ୱାମୀଙ୍କ ନାମ,ବୟସ, ଠିକଣା -ଗ୍ରାମ, ପଞ୍ଚାୟତ, ବ୍ଲକ, ଶିକ୍ଷାଗତ ଯୋଗ୍ୟତା, ମୋବାଇଲ ନମ୍ବର , ଲେବର କାର୍ଡ ନମ୍ବର, ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚତ କର୍ମନିଯୁକ୍ତି ଯୋଜନାର କାର୍ଡ ନମ୍ବର, ବର୍ତ୍ତମାନର ଜୀବିକା ସମ୍ବନ୍ଧରେ ସଠିକ ତଥ୍ୟ ରହିବl ପଞ୍ଚାୟତରାଜ ସଂସ୍ଥା ସାହାଯ୍ୟରେ ଜିଲ୍ଲା ଶ୍ରମ ଅଧିକାରୀ ଏହାକୁ ପ୍ରସ୍ତୁତ କରିବେ l ଏହି କାମରେ ଜିଲ୍ଲାର ସମସ୍ତ ବିଡ଼ିଓ, ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ, ପ୍ରକଳ୍ପ ନିର୍ଦ୍ଦେଶକ,ଡୁଡା ସହଯୋଗ କରିବେ l ଏବେ ରାଜ୍ୟ ସରକାରଙ୍କ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ଶ୍ରମିକ ମାନଙ୍କ ପାଇଁ  ବିଭିନ୍ନ ସହାୟତା ଯୋଜନା ଉପଲବ୍ଧ ଅଛି l ଯେପରିକି ମହିଳା ଶ୍ରମିକ ନିଜେ କିମ୍ବା ଝିଅର ବାହାଘର ପାଇଁ ପଚାଶ ହଜାର ଟଙ୍କା ସାହାଯ୍ୟ , ପ୍ରସୂତି କାଳୀନ ସହାୟତା ଦଶ ହଜାର ବିଭିନ୍ନ ବର୍ଗରେ ଝିଅପୁଅ ଙ୍କ ପାଠପଢା ଖର୍ଚ୍ଚ ବାର୍ଷିକ ଦୁଇ ହଜାର ରୁ ଚାଳିଶ ହଜାର ଟଙ୍କା, ମୃତ୍ୟୁ ପରବର୍ତ୍ତୀ ସହାୟତା ଦୁଇ ଲକ୍ଷ ଟଙ୍କା, ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ଚାରି ଲକ୍ଷ, ଅନ୍ତେଷ୍ଟିକ୍ରିୟା ପାଇଁ ପାଞ୍ଚ ହଜାର ଟଙ୍କା ର ସହାୟତା ଜିଲ୍ଲାରେ ତୁରନ୍ତ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ l ଏହା ସହିତ ପ୍ରବାସୀ ଶ୍ରମିକ ପ୍ରଥାକୁ ନିରୁତ୍ସାହିତ କରିବା ପାଇଁ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚତ କର୍ମନିଯୁକ୍ତି ଯୋଜନା କୁ ଆହୁରି ଲୋକାଭିମୁଖୀ କରି ପ୍ରତି ଶ୍ରମିକ ପାଇଁ ନିଜ ଅଞ୍ଚଳ ରେ ରୋଜଗାର ଯୋଗାଇ ଦିଆଯିବ l ସେମାନଙ୍କ ଜୀବନ ଜୀବିକାରେ ସୁଧାର ଆଣିବା ପାଇଁ କୃଷି, ପଶୁପାଳନ, ମତ୍ସ୍ୟ ଚାଷ, ଉଦ୍ୟାନ ତଥା ପନିପରିବା ଚାଷ ଇତ୍ୟାଦି ଲାଇନ ଡିପାର୍ଟମେଣ୍ଟ ମାନଙ୍କ ସହାୟତା ନିଆଯିବ l ଶ୍ରମିକ ମାନଙ୍କ କୌଶଳର ବିକାଶ ସାଧନ କରାଯିବ l ଏହିଭଳି ଲକ୍ଷ୍ୟ ନେଇ ସାମୁହିକ ଭାବରେ ପ୍ରସ୍ତୁତି କଲେ ଆମେ ନୂଆପଡା ଜିଲ୍ଲାକୁ ଧୀରେ ଧୀରେ ପ୍ରବାସୀ ଶ୍ରମିକ ମୁକ୍ତ ଜିଲ୍ଲାରେ ପରିଣତ କରି ପାରିବା ବୋଲି ଜିଲ୍ଲାପାଳ ଆଶା ପ୍ରକଟ କରିଛନ୍ତି