ନିୟମଗିରି ପାହାଡ଼ରେ ନିୟମ ରାଜା ପରବ ଉଦ୍ଯାପିତ : ସିଏଏ ଓ ଏନ୍ଆରସିକୁ ଡଙ୍ଗରିଆ ଓ ଝରଣିଆ ଆଦିବାସୀଙ୍କ ବିରୋଧ, ରକ୍ତଚାଉଳ ଧରି ପଣ, ମରିବୁ ପଛେ ନିୟମଗିରିକୁ ଛାଡ଼ିବୁ ନାହିଁ
ଭବାନୀପାଟଣା : ଜୀବନର ଶେଷ ରକ୍ତବିନ୍ଦୁ ଥିବା ଯାଏ କୌଣସି କମ୍ପାନି କିମ୍ବା ସରକାରଙ୍କୁ ନିୟମଗିରିରୁ ମୁଠାଏ ମାଟି ଦେବେ ନାହିଁ ବୋଲି ଡଙ୍ଗରିଆ ଓ ଝରଣିଆ କନ୍ଧ ଆଦିବାସୀମାନେ ପ୍ରକାଶ କରିଛନ୍ତି। ନିୟମଗିରି ପର୍ବତ ଶିଖର ଧାଙ୍ଗଡ଼ାଭଟାଠାରେ ଗତ ଫେବ୍ରୁଆରି ୨୮ରୁ ମାର୍ଚ୍ଚ ୧ ତାରିଖ ତିନିଦିନ ଧରି ଆୟୋଜିତ ନିୟମ ରଜା ପର୍ବରେ ରକ୍ତଚାଉଳ ଧରି ଏମାନେ ବଜ୍ର ଶପଥ ନେଇଛନ୍ତି।
ନିୟମଗିରି ସୁରକ୍ଷା ସମିତିର ଡାକରାରେ ପ୍ରତିବର୍ଷ ଫେବ୍ରୁଆରି ଶେଷ ସପ୍ତାହରେ ତିନିଦିନ ଧରି ଆୟୋଜିତ ଏହି ପର୍ବରେ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ଶହ ଶହ ଡଙ୍ଗରିଆ ଯୋଗ ଦେଇଥିଲେ। ସେମାନେ ମାଟିପୂଜା, ଜଳପୂଜା କରିବା ପରେ ନିୟମରଜାଙ୍କଠାରେ ବୋଦା, ଘୁଷୁରୀ, କୁକୁଡ଼ା ଆଦି ବଳି ଦେଇଥିଲେ। ଡଙ୍ଗରିଆମାନେ ନାରୀ ଅଧିକାରକୁ ପ୍ରଧାନ୍ୟ ଦେଇଥିବାରୁ ସକାଳେ ନିୟମରଜାଙ୍କୁ ପ୍ରଥମେ ବେଜେନ୍(ନାରୀ ପୂଜକ)ମାନେ ପୂଜାର୍ଚ୍ଚନା କରିଥିଲେ। ରାତିରେ ଜାନୀ(ପୁରୁଷ ପୂଜକ)ମାନେ ପୂଜା କରିଥିଲେ। ତା ପରେ ଦଳଦଳ ହୋଇ ଡଙ୍ଗରିଆମାନେ କୁଇ ଭାଷାରେ ଗୀତ ଗାଇ ଗାଇ ଗୁଡ଼ି (ପାରମ୍ପରିକ ପୂଜାସ୍ଥଳ)ରେ ଢାପ, ନିସାନର ତାଳେ ତାଳେ ନାଚିଥିଲେ। ଆଦିମ ଜନଜାତି ଡଙ୍ଗରିଆ ଓ ଝରଣିଆ କନ୍ଧମାନେ ପ୍ରକୃତିର ଉପାସକ। ତାଙ୍କ ଦେବଦେବୀ ହେଲେ ଧରଣୀ ପେନୁ (ଧରିତ୍ରୀ ମାତା), ହୋରୁ ପେନୁ (ଡଙ୍ଗର ଦେବତା), ଏୟୁ ପେନୁ (ଝରଣା ବା ଜଳ ଦେବତା) ଇତ୍ୟାଦି। ନିୟମଗିରି ପର୍ବତ ହିଁ ତାଙ୍କ ଦେବତା। ନିୟମରାଜା ବୋଲି ସେମାନେ ଅନାଦି କାଳରୁ ପୂଜା କରି ଆସୁଛନ୍ତି। ଡଙ୍ଗରିଆମାନଙ୍କର ଜୀବନ ଜୀବିକା ଓ ସଂସ୍କୃତି ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ। ନିୟମଗିରି ସେମାନଙ୍କ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି। ମାଟି ତଳେ ଭରି ରହିଛି ବକ୍ସାଇଟ୍, ଯାହା ଉପରେ ବହୁରାଷ୍ଟ୍ରୀୟ କମ୍ପାନି ଓ ସରକାରଙ୍କର ଲୋଲୁପ ନଜର ପଡ଼ିଛି। ତେଣୁ ରକ୍ତଚାଉଳ ଧରି ସେମାନେ ନିୟମଗିରି ନ ଛାଡ଼ିବାକୁ ଶପଥ ନେଇଥିଲେ। ରବିବାର ଏହି ନିୟମ ରାଜା ପରବ ଉଦ୍ଯାପିତ ହୋଇଥିଲା।