ନୂଆଦିଲ୍ଲୀ,୧୭ା୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଏବଂ ହତ୍ୟା ଘଟଣାର ଘୋଷଣା ହେଲା ନୂଆ ଫାଶୀ ତାରିଖ । ଫେବୃଆରୀ ୧ ସକାଳ ୬ଟାରେ ଝୁଲିବେ ଦୋଷୀ । ମୁକେଶର ଦୟା ଯାଚିକା ଗୃହ ମନ୍ତ୍ରାଳୟ ଆଜି ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲା । ତେବେ ଏହି ଯାଚିକାକୁ ରାଷ୍ଟ୍ରପତି ଖାରଜ କରିବାରୁ ଅଭିଯୁକ୍ତଙ୍କ ଫାଶୀଦଣ୍ଡ ସ୍ପଷ୍ଟ ହୋଇଛି । ଏହା ପୂର୍ବରୁ ଉପରାଜ୍ୟପାଳ ଦୟା ଯାଚିକା ଖାରଜ କରିବାକୁ ସୁପାରିଶ କରି ଗୃହ ମନ୍ତ୍ରାଳୟକୁ ଯାଚିକା ପଠାଇଥିଲେ । ଗୃହ ମନ୍ତ୍ରାଳୟର ଜଣେ ଅଧିକାରୀଙ୍କ ଅନୁଯାୟୀ, ଉପରାଜ୍ୟପାଳ ଯାଚିକା ଖାରଜ କରିବାକୁ ଗୃହ ମନ୍ତ୍ରାଳୟ ନିକଟରେ ସୁପାରିଶ କରିଥିଲେ । ସୂଚନାଯୋଗ୍ୟ, ନିର୍ଭୟା ମାମଲାର ଅଭିଯୁକ୍ତ ମୁକେଶ ଫାଶୀଦଣ୍ଡ କ୍ଷମା କରିବାକୁ ରାଷ୍ଟ୍ରପତିଙ୍କ ନିକଟରେ ଦୟା ଯାଚିକା ଆବେଦନ କରିଥିଲା । ମୁକେଶର ଯାଚିକା ଜେଲ ପ୍ରଶାସନ ଦିଲ୍ଲୀ ସରକାରଙ୍କ ନିକଟକୁ ପଠାଇଥିଲେ । ଏହି ଯାଚିକା ଦିଲ୍ଲୀ ସରକାର ଖାରଜ କରିବା ପରେ ଉପରାଜ୍ୟପାଳଙ୍କ ନିକଟକୁ ପଠାଇଥିଲେ । ଏହାପରେ ଉପରାଜ୍ୟପାଳ ଖାରଜ କରି ଗୃହମନ୍ତ୍ରାଳୟକୁ ପଠାଇଥିଲେ । ଗତକାଲି ବିଳମ୍ବିତ ରାତ୍ରୀରେ ଗୃହ ମନ୍ତ୍ରାଳୟ ଦୟା ଯାଚିକା ଖାରଜ କରି ରାଷ୍ଟ୍ରପତିଙ୍କ ନିକଟକୁ ଆଜି ପଠାଇଥିଲା । ଆଜି ରାଷ୍ଟ୍ରପତି ଏହାକୁ ଖାରଜ କରିବା ପରେ ଫାଶୀଦଣ୍ଡ ଧାର୍ଯ୍ୟ ହୋଇଛି ।