ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମାନ୍ତସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖାରେ ଉପୁଜିଥିବା ବିବାଦ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୫ଟା ବେଳେ ଏକ ସର୍ବଦଳୀୟ ବୈଠକରେ ଅଧ୍ୟକ୍ଷତା କରିବେ। ପ୍ରାପ୍ତ ସୂଚନା ଅନୁସାରେ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୀର୍ଷସ୍ତରୀୟ ବିରୋଧୀଦଳ ନେତା ଏବଂ ସମସ୍ତ ରାଜନୈତିକ ଦଳର ମୁଖ୍ୟମାନଙ୍କ ସହ ଏ ସଂକ୍ରାନ୍ତରେ କଥାବାର୍ତ୍ତା କରିବା ସହ ସେମାନଙ୍କୁ ଏହି ସର୍ବଦଳୀୟ ବୈଠକକୁ ନିମନ୍ତ୍ରଣ କରିଛନ୍ତି।
ଆଜି ସନ୍ଧ୍ୟାରେ ଆୟୋଜନ କରାଯିବାକୁ ଥିବା ଏହି ସର୍ବଦଳୀୟ ବୈଠକରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ, ଲୋକ ଜନଶକ୍ତି ପାର୍ଟି ଅଧ୍ୟକ୍ଷ ଚିରାଗ ପାଶୱାନ୍, ଶିରୋମଣି ଅକାଳି ଦଳ ଅଧ୍ୟକ୍ଷ ସୁଖବୀର ସିଂହ ବାଦଲ, ଟିଆର୍ଏସ୍ ମୁଖ୍ୟ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ, ବିଜୁଜନତା ଦଳ ଅଧ୍ୟକ୍ଷ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସିପିଆଇ-ଏମ୍ ସାଧାରଣ ସଚିବ ସୀତାରାମ ୟେଚୁରୀ, ଏନ୍ସିପି ମୁଖ୍ୟ ଶରଦ ପାୱାର, ୱାଇଏସ୍ଆର୍ କଂଗ୍ରେସ ଅଧ୍ୟକ୍ଷ ଏବଂ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ସିଏମ୍ ଜଗନ ମୋହନ ରେଡ୍ଡୀ, ଜେଡିୟୁ ଅଧ୍ୟକ୍ଷ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଡିଏମ୍କେ ଅଧ୍ୟକ୍ଷ ଏମ୍କେ ଷ୍ଟାଲିନ୍, ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଏବଂ ବିଏସ୍ପି ମୁଖ୍ୟ ମାୟାବତୀ ପ୍ରମୁଖ ଏଥିରେ ଯୋଗ ଦେବେ ବୋଲି ଜଣାପଡ଼ିଛି।
ଏହି ସର୍ବଦଳୀୟ ବୈଠକରୁ ଆମ୍ ଆଦ୍ମୀ ପାର୍ଟିକୁ ବାଦ ଦିଆଯାଇଛି। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୫ ଜଣରୁ ଅଧିକ ସାଂସଦ ଥିବା ରାଜନୈତିକ ଦଳମାନଙ୍କୁ ଏହି ବୈଠକକୁ ନିମନ୍ତ୍ରଣ କରାଯାଇଛି। ‘ଆପ୍’ର ୪ଜଣ ସାଂସଦ ଥିବାରୁ ତାହାକୁ ନିମନ୍ତ୍ରଣ କରାଯାଇନାହିଁ।