ଗୁଜୁରାଟର ଦହେଜରେ ଥିବା ରାସାୟନିକ କାରଖାନାରେ ବଡ ଧରଣର ବିସ୍ଫୋରଣ : ପ୍ରାଣ ହରାଇଲେ ୫ଶ୍ରମିକ,୪,୮୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର
ଗାନ୍ଧିନଗର: ଗୁଜୁରାଟର ଦହେଜରେ ଥିବା ରାସାୟନିକ କାରଖାନାରେ ଦିନ ୧୨ଟାରେ ବଡ ଧରଣର ବିସ୍ଫୋରଣ ଘଟିଥିବା ବେଳେ ଏବେ ଏହାର ଶିକାର ହୋଇ ୫ଜଣଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି | ଏହା ସହ ପ୍ରାୟ ୫୭ଜଣ ଏବେ ଗୁରୁତର ଆହତ ହୋଇ ମୃତ୍ୟୁ ସହ ଲଢେଇ କରୁଛନ୍ତି | ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ପ୍ରଥମେ ୧୦ଟି ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ୧୫ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି | ରାସାୟନିକ ଅଗ୍ନି ବିଷାକ୍ତ ହୋଇଥିବାରୁ କାରଖାନା ନିକଟରେ ଥିବା ଗାଁର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି | ଭରୁଚ ଜିଲ୍ଲାପାଳ ଏମଡି ମୋଡିଆ କହିଛନ୍ତି ଯେ, ଘଟଣାସ୍ଥଳରେ ଥିବା ଲୁୱାରା ଏବଂ ଲଖିଗମ୍ ନାମକ ଦୁଇଟି ଗାଁର ୪,୮୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବିସ୍ଫୋରଣଟି ଏତେ ବଡ ଥିଲା ଯେ, ଏହାର ଶବ୍ଦ ପ୍ରାୟ ୨୦ କିଲୋମିଟର ପର୍ଯ୍ୟନ୍ତ ଶୁଭିଥିଲା ବୋଲି ସେ କହିଛନ୍ତି |
ବର୍ତ୍ତମାନ ଦେଶବାସୀଙ୍କୁ ଗୋଟିଏ ପରେ ଗୋଟିଏ ସମସ୍ୟାର ସାମ୍ନା କରିବାକୁ ପଡୁଥିବା ଦେଖାଯାଉଛି | ପ୍ରଥମେ କରୋନା ଭୂତାଣୁ ଲୋକଙ୍କ ଚିନ୍ତା ବଢ଼ାଇଥିବା ବେଳେ ପରେ ପରେ ବାତ୍ୟା, ବନ୍ୟା, ପଙ୍ଗପାଳ ଆତଙ୍କ ଓ ଭାଇଜାଗରେ ଗ୍ୟାସ ଲିକ ହେବା ଘଟଣା ଲୋକଙ୍କ ମନବଳକୁ ଭାଙ୍ଗି ଦେଇଥିଲା | ଏବେ ମହାରାଷ୍ଟ୍ରରେ ବାତ୍ୟା ‘ନିସର୍ଗ’ ତାଣ୍ଡବ ରଚୁଥିବା ବେଳେ ଗୁଜୁରାଟର ରାସାୟନିକ କାରଖାନାରେ ବଡ ଧରଣର ବିସ୍ଫୋରଣ ଘଟିବା ଘଟଣା ଲୋକଙ୍କୁ ମନରେ ଭୟ ସୃଷ୍ଟି କରିଛି |