Odisha news

ମହିଳା ହୋମଗାର୍ଡଙ୍କ ମହାନତା କାର୍ଯ୍ୟ, ଏଟିଏମରୁ ପାଇଥିବା ଟଙ୍କା ଫେରସ୍ତ କରି ହେଲେ ପୁରସ୍କୃତ

0

ବାରିପଦା  : ଏଟିଏମରୁ ପାଇଥିବା ଟଙ୍କାକୁ ଫେରସ୍ତ କରି ମହାନତା କାର୍ଯ୍ୟ କରିଥିବା ମହିଳା ହୋମଗାର୍ଡ ପୁରସ୍କୃତ ହୋଇଛନ୍ତି । ସେ ହେଲେ ମୟୂରଭଞ୍ଜ ଜିଲ୍ଲା ପୋଲିସର ମହିଳା ହୋମଗାର୍ଡ ସଙ୍ଗୀତା ମାରାର୍ଣ୍ଡି । ୧୦ହଜାର ଟଙ୍କା ପାଇ ହରାଇଥିବା ବ୍ୟକ୍ତିକୁ ଫେରସ୍ତ ଦେବା ଘଟଣାକୁ ନେଇ ଜିଲ୍ଲା ପୋଲିସ ପକ୍ଷରୁ ପୁରସ୍କୃତ କରାଯାଇଛି । ତାଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହ ପୋଲିସ ବିଭାଗ ତଥା ସମାଜକୁ ନୂତନ ବାର୍ତ୍ତା ପ୍ରଦାନ କରୁଛି ବୋଲି ବାରିପଦା ସ୍ଥିତ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଶନିବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସପି ଗଙ୍ଗାଧର ବାଟୁଲା କହିଛନ୍ତି । ସୂଚନା ଅନୁଯାୟୀ, ଶୁକ୍ରବାର ହୋମଗାର୍ଡ ଜଣକ ବାରିପଦା ସହରର ପୌରପାଳିକା ନିକଟରେ ଥିବା ଏସବିଆଇ ଏଟିଏମରୁ ଟଙ୍କା କାଢିବାକୁ ଆସିଥିଲେ । ଗୋଟିଏ ମେସିନ ଖରାପ ହୋଇଥିବାରୁ ଅନ୍ୟ ଏକ ମେସିନରୁ ଟଙ୍କା କାଢିବା ସମୟରେ ପାଶ୍ୱର୍ରେ ଥିବା ମେସିନରୁ ୧୦ହଜାର ଟଙ୍କା ବାହାରିଥିଲା । ତେବେ ଉକ୍ତ ଟଙ୍କାକୁ ନେଇ ସଙ୍ଗୀତା ଏସପିଙ୍କୁ ଜଣାଇଥିଲେ । ଏ ସମ୍ପର୍କରେ ଏଟିଏମର ତଥ୍ୟ ଯାଞ୍ଚ କରିବା ପରେ ଉକ୍ତ ଟଙ୍କା କୁଳିଅଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ନିମାଇଁ ଚରଣ ହାଁସଦାଃଙ୍କ ବୋଲି ଜଣାପଡିଥିଲା । ତେବେ ଡାକ୍ତର ଜଣକ ପ୍ରଥମ ପର୍ଯ୍ୟାୟରେ ୧୦ହଜାର ଟଙ୍କା କାଢିବା ପରେ ପୁନର୍ବାର ୧ ହଜାର କାଢିବା ସମୟରେ ମେସିନ ଖରାପ ହୋଇଥିଲା । ଡାକ୍ତର ଜଣକ ଅପେକ୍ଷା ନକରି ପଳାଇଥିଲେ । କିଛି ସମୟ ପରେ ହୋମଗାର୍ଡ ଜଣକ ଟଙ୍କା କାଢିବା ସମୟରେ ଉକ୍ତ ଟଙ୍କା ବାହାରିଥିଲା । ସମସ୍ତ ତଥ୍ୟ ପ୍ରମାଣକୁ ଭିତ୍ତି କରି ତାଙ୍କୁ ଉକ୍ତ ଟଙ୍କା ପ୍ରଦାନ କରାଯାଇଥିଲା । ତେବେ ହୋମଗାର୍ଡ ଜଣକ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ଅଟନ୍ତି । ତାଙ୍କ ଅବସ୍ଥା ସ୍ୱଚ୍ଛଳ ନଥିବା ବେଳେ ଟଙ୍କା ପାଇ ଫେରାଇବା ଭଳି ମହାନତା କାର୍ଯ୍ୟକୁ ନେଇ ଏସପି ଗଙ୍ଗାଧର ବାଟୁଲା ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଏହା ସହିତ ୨ହଜାର ଟଙ୍କା ସମେତ ପୋଲିସ ବିଭାଗ ପକ୍ଷରୁ ମାନପତ୍ର ଦେଇ ପୁରସ୍କୃତ କରିଛନ୍ତି ।

Leave A Reply