କୋରାପୁଟ,୬/୭/ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। କୋରାପୁଟ ଜିଲ୍ଲାରେ ପାସହାର ୯୦.୪୧ ପ୍ରତିଶତ ରହିଥିବା ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ ସୂଚନା ଦେଇଛନ୍ତି । ୨୦୨୨ ମାଟ୍ରିକ ପରୀକ୍ଷା ନିମନ୍ତେ କୋରାପୁଟ ଜିଲ୍ଲାର ୨୭୨ଟି ବିଦ୍ୟାଳୟର ୧୬୨୨୦ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ ମଧ୍ୟ ୧୨୭୬ଜଣ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ । ପରୀକ୍ଷା ଦେଇଥିବା ୧୪୯୪୪ ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୨ଜଣ କପି କରି ଧରା ପଡିଥିଲେ । ସମ୍ପୂର୍ଣ ପରୀକ୍ଷା ଦେଇଥିବା ୧୪୯୪୨ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୦ ଜଣ ଏ-୧,୪୪୮ ଜଣ ଏ-୨,ବି-୧ରେ ୨୩୧୯ ଓ ବି-୨ ଗ୍ରେଡ୍ରେ ୩୭୮୮ ଛାତ୍ରଛାତ୍ରୀ ପାସ କରିଥିବା ଶ୍ରୀ ନାହାକ ପ୍ରକାଶ କରିଛନ୍ତି । ସେହିପରି ସି ଗ୍ରେଡରେ ୪୯୧୦,ଡି ଗ୍ରେଡରେ ୨୬୧୪ ଓ ଇ ଗ୍ରେଡରେ ୫୫୬ଜଣ ପାସ୍ କରିଥିବାବେଳେ ୨୭୭ଜଣ ଫେଲ ହୋଇଥିବା ସେ ସୂଚନା ଦେବା ସହ ପାସ କରିଥିବା ପିଲାଙ୍କ ମଧ୍ୟରୁ ୭୬୮୯ ଜଣ ଛାତ୍ର ଥିବାବେଳେ ୬୯୭୬ ଛାତ୍ରୀ ରହିଥିବା ସେ ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ କୋରାପୁଟ ଦୃଷ୍ଟିହୀନ ସମସ୍ତ ୧୦ଣ ଛାତ୍ରଛାତ୍ରୀ ଦଶମ ପାସ କରିଥିବା ଜଣାପଡିଛି । ୧୦ଜଣଙ୍କ ମଧ୍ୟରୁ ୭ଜଣ ବି-୨ ଗ୍ରେଡ ଓ ୩ଜଣ ସି ଗ୍ରେଡରେ ପାସ କରିଥିବା ଜଣାପଡିଛି । କୋରାପୁଟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଶୁଭର୍ଷି ପାଣିଗ୍ରାହୀ ୫୭୫ ମାର୍କ ରଖି କୋରାପୁଟ ସହରର ଟପ୍ପର ହୋଇଥିବା ଜଣାପଡିଛି। ପୂଜାରୀପୁଟ ନିବାସୀ ପଦ୍ମ ଚରଣ ପାଣିଗ୍ରାହୀ ଓ ରଜନୀ କୁମାରୀ ପାଣିଗ୍ରାହୀଙ୍କ କନ୍ୟା ଶୁଭର୍ଷି ପାଣିଗ୍ରାହୀ ସହରରେ ଟପ୍ପର ହୋଇଥିବାରୁ ସ୍କୁଲ କର୍ତୃପକ୍ଷ ତଥା ପରିବାର ଲୋକଙ୍କ ମଧ୍ୟରେ ଖୁସି ଖେଳିଯାଇଛି। ଉତ୍ତମ ନାଗରିକ ହେବା ସହ ଜିଲ୍ଲାର ଗରୀବ ଲୋକଙ୍କ ସେବା କରିବା ଉଦ୍ଦେଶ୍ୟରେ ଶୁଭର୍ଷି ଭବିଷ୍ୟତରେ ଜଣେ ଡାକ୍ତର ହେବେ ବୋଲି ଆଶା ରଖିଛନ୍ତି । ଏହି ସଫଳତା ପାଇଁ କୋରାପୁଟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ, ଗୁରୁମା ଓ ପରିବାରର ବାପା , ମା ଓ ଭଉଣୀଙ୍କୁ ଶୁଭର୍ଷି ଶ୍ରେୟ ଦେଇଛନ୍ତି