Odisha news

ବିଶ୍ୱ ମହିଳା ଦିବସରେ ଯୁବ ପ୍ରତିଭା ରୋଜାଲିନ ସମ୍ମାନୀତ

0

କୋଣାର୍କ- ଗତ ମାର୍ଚ୍ଚ ୮ତାରିଖ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରେଡିଓ ନମସ୍କାରର ଯୁବ ସାମ୍ବାଦିକ ରୋଜାଲିନ୍ ପ୍ରଧାନଙ୍କୁ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟପାଇଁ ଆଇ.ଆଇ.ଇ.ସି ଅନୁଷ୍ଠାନ ଭୁବନେଶ୍ୱର ତରଫରୁ ‘ଅନନ୍ୟା ନଳିନୀ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି । କୁହାଯାଏ ନାରୀ ହେଉଛି ନାରାୟଣୀ, ନାରୀର ଇଚ୍ଛାଶକ୍ତି ଆଗରେ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇପାରେ । କୋଣାର୍କ ଅଞ୍ଚଳର ଏହି ଯୁବ ପ୍ରତିଭା ରୋଜାଲିନ୍ ଦୀର୍ଘ ଦୁଇ ଦଶନ୍ଧି ଧରୀ ସାମ୍ବାଦିକତା, ସମାଜସେବା, ପରୋପକାର ଓ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା କ୍ଷେତ୍ରରେ ଉଲେକ୍ଷନୀୟ ଅବଦାନ ପାଇଁ ଆଜି ସଫଳତାର ସିଡି ଚଢିବାରେ ଲାଗିଛନ୍ତି ।

ସେ ମହିଳାଙ୍କ ସ୍ୱାର୍ଥ ସ୍ୱଭିମାନ ଓ ସମ୍ମାନ ପାଇଁ ଲଢେଇ କରୁଥିବା ବେଳେ ସମାଜର ଦଳିତ, ଅସହାୟ, ନିଷ୍ପେସିତ ବର୍ଗର ଲୋକଙ୍କୁ ନ୍ୟାୟ ଦେବା ପାଇଁ ନିଜର ସମସ୍ତ ସୁଖ ଓ ଶାନ୍ତିକୁ ଜଳାଞ୍ଜଳି ଦେଇଛନ୍ତି । ଗୋପ ବ୍ଲକ ଅଣ୍ଢରା ଇଚ୍ଛାପୁର ପଞ୍ଚାୟତ ଇଚ୍ଛାପୁର ଗ୍ରାମର ଲକ୍ଷ୍ମୀଧର ପ୍ରଧାନ ଓ ହେମଲତା ପ୍ରଧାନଙ୍କ ଜ୍ୟେଷ୍ଠା କନ୍ୟା ରୋଜାଲିନ୍ ପ୍ରଧାନ । କୃଷକ ପରିବାରରେ ତାଙ୍କର ଜନ୍ମ । ଅଭାବ ଅନାଟନ ମଧ୍ୟରେ ରହି ମଧ୍ୟ ସେ ପିଲାଟି ବେଳରୁ ସମାଜସେବାରେ ନିଜକୁ ନିୟୋଜିତ କରିଛନ୍ତି ।

ଓଡିଶାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ନମସ୍କାରରେ ଏବେ ସେ କାର୍ଯ୍ୟରତ । ଗତ ବର୍ଷ ସାମୁଦି୍ରକ ଝଡ ଫନି ସମୟରେ ଘୋର ଅନ୍ଧାରରେ ନିଜ ଜୀବନକୁ ବାଜି ଲଗାଇ ଲୋକମାନଙ୍କୁ ରେଡିଓ ମାଧ୍ୟମରେ ସତର୍କ ସୂଚନା ପ୍ରଦାନ କରିଥିବାରୁ ସେ ବେଶ୍ ଲୋକପ୍ରିୟତା ହାସଲ କରିପାରିଛନ୍ତି । ଏହିଭଳି କାର୍ଯ୍ୟ ଯୋଗୁଁ ବିଭିନ୍ନ ଅନୁଷ୍ଠାନ ତାଙ୍କୁ ସମ୍ମାନିତ କରିଛି । ତାଙ୍କରଏହି ସଫଳତା ଦିଗରେ ତାଙ୍କର ବାପା ମା’ଏବଂ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ନମସ୍କାରର ଅଧ୍ୟକ୍ଷ ଏନ୍.ଏ.ଶାହା ଅନ୍ସାରୀଙ୍କ ପ୍ରେରଣା ରହିଛି ବୋଲି ସେ କୁହନ୍ତି । ତାଙ୍କର ସ୍ୱପ୍ନ ମହିଳାମାନେ ନିଜର ପରିଚୟ ସୃଷ୍ଟି କରି ସମାଜର ମୁଖ୍ୟ ସ୍ରୋତରେ କିପରି ସାମିଲ ହୋଇ ପାରିବେ ।

Leave A Reply