Odisha news

ଯାଜପୁର ଜିଲ୍ଲା ପ୍ରଶାସନ ୩ ଡାକ୍ତର ଓ ୧୯ ସ୍ବାସ୍ଥ୍ୟକର୍ମୀଙ୍କୁ କ୍ୱାରେଣ୍ଟାଇନରେ ରଖିଲା

0

ଯାଜପୁର: ଯାଜପୁରରେ ୩ ଜଣ ଡାକ୍ତର ଓ ୧୯ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଗତକାଲି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କିଛି ରୋଗୀ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତ । ଆଉ ସେଥିପାଇଁ ଡାକ୍ତର, ନର୍ସ ଓ ପାରା ମେଡ଼ିକାଲ କର୍ମଚାରୀଙ୍କୁ ସଂକ୍ରମଣ ହେବାର ଆଶଙ୍କା ନେଇ ସଙ୍ଗରୋଧରେ ରହିବାକୁ କୁହାଯାଇଛି ।
ସେପଟେ ଯାଜପୁରରେ ଅବରୋଧ ଅଞ୍ଚଳର ପରିସୀମା ବୃଦ୍ଧି କରାଯାଇଛି । ୩ଟି ବ୍ଲକ ୭ଟି ପଞ୍ଚାୟତର ୧୩ଟି ଗାଁକୁ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଯାଜପୁରରେ ଜିଲ୍ଲାରେ ଗତକାଲି ଆଉ ୫ ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଜୋନର ପରିସୀମା ବଢାଇଛନ୍ତି ଜିଲ୍ଲାପାଳ । ନୂଆ ମାମଲା ସାମ୍ନାକୁ ଆସିବା ପରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ଆକ୍ରାନ୍ତ ବ୍ୟକ୍ତିଙ୍କ ପଞ୍ଚାୟତକୁ ଅବରୋଧ ଅଞ୍ଚଳ ଘୋଷଣା କରିଥିଲେ । ଯାଜପୁର ସଦର, ଦଶରଥପୁର ଓ କୋରେଇ ବ୍ଲକର ୪ଟି ପଞ୍ଚାୟତରେ ରୋଗୀ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଥିଲା ।
ତେବେ ପାରିପାର୍ଶ୍ବିକ ସ୍ଥିତି ଓ ଆକ୍ରାନ୍ତ ଏକାଧିକ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରି କଣ୍ଟେନମେଣ୍ଟ ଜୋନ୍ ପରିସୀମାକୁ ବୃଦ୍ଧି କରିଛି ପ୍ରଶାସନ । ସେହି ୩ଟି ବ୍ଲକ ୭ଟି ପଞ୍ଚାୟତର ୧୩ଟି ଗାଁକୁ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ଏହି ଅବରୋଧ ଅଞ୍ଚଳ ଅବଧି ମେ ୪ ତାରିଖ ରାତି ୮ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଘୋଷଣା କରିଛନ୍ତି ଜିଲ୍ଲାପାଳ।

Leave A Reply