Odisha news

ବାଘ ମାଗୁଛି ସୁରକ୍ଷା

0

ସବ୍ୟସାଚୀ ଅମିତାଭ : ପଶ୍ଚିମବଙ୍ଗର ବାସିନ୍ଦା ରବିନ୍ଦ୍ରନାଥ ଓ ତାଙ୍କ ସ୍ତ୍ରୀ ଗୀତାଞ୍ଜଳୀ । କିଛି ଦିନ ତଳେ ସୋସିଆଲ ମିଡିଆରେ ଏହି ଦଂପତ୍ତିଂକ କାହାଣୀ ହୁଏତ ଆପଣମାନେ ଦେଖିଥିବେ। ବାଘଙ୍କ ସୁରକ୍ଷା ପାଇଁ ଭାରତ ଯାତ୍ରାରେ ବାହାରିଥିଲେ କୋଲକାତାର ଏହି ଦଂପତ୍ତି। ପାଖାପାଖି  ୨୮ ରାଜ୍ୟ ଓ ୫ଟି କେନ୍ଦ୍ର ଶାସିତ ଅଞ୍ଚଳରେ ବାଘଂକ ସୁରକ୍ଷା ନେଇ ସଚେତନତାର ବାର୍ତ୍ତା ବାଣ୍ଟି ଚାଲିଥିଲେ ସେମାନେ। ଅନେକ ସମୟରେ ବାଘ ଓ ମଣିଷ ଭିତରେ ଲଢେଇ ବି ହେଉଛି । କେତେବେଳେ ଲୋକ ମରୁଛନ୍ତି ତ ପୁଣି କେତେବେଳେ ବାଘର ମୃତ୍ୟୁ। ବାଘ ଓ ମଣିଷ ଭିତରେ ଦୂରତା କମାଇବା ପାଇଁ ରବୀନ୍ଦ୍ର ଓ ଗୀତାଞ୍ଜଳୀଙ୍କ ଏହି ନିଆରା ଉଦ୍ୟମକୁ ସବୁ ମହଲରୁ ତାରିଫ ମିଳିଥିଲା। ଅଶୀ ଦଶକର ଚର୍ଚ୍ଚିତ ନାଁ ଖଇରୀ ବି ଆପଣମାନଂକର ମନେ ଥିବ। ମଣିଷର ନିରବଚ୍ଛିନ୍ନ ଭଲ ପାଇବା ଓ ଶ୍ରଦ୍ଧା ଆଗରେ ବାଘୁଣୀ ଖଇରୀ ଭୁଲି ଯାଇଥିଲା ତା ଭିତରେ ଥିବା ସହଜାତ ହିଂସ୍ର ପ୍ରବୃତ୍ତିକୁ। ୧୯୭୪ ମସିହାରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ତତ୍କାଳୀନ ନିର୍ଦ୍ଦେଶକ ସରୋଜ ରାୟ ଚୌଧୁରୀ ଓ ତାଂକ ପତ୍ନୀ ନିହାର ନଳିନୀ ଖଇରା ନଦୀ କୂଳରେ ବୁଲୁଥିବା ବେଳେ ପାଇଥିଲେ ବାଘ ଛୁଆକୁ। ଘରକୁ ଆଣି ତାକୁ ପାଳିପୋଷି ବଡ କରିଥିଲେ ଏଇ ଦଂପତ୍ତି। ଏବେ ୯୦ ବର୍ଷ ବୟସରେ ବି ବୃଦ୍ଧାଶ୍ରମରେ ରହୁଥିବା ନିହାର ନଳିନୀ ପ୍ରତି ମୁହୂର୍ତ୍ତରେ ଖଇରୀକୁ ମନେ ପକାଉଛନ୍ତି । ସରୋଜ ରାୟ ଚୌଧୁରୀ ହୁଅନ୍ତୁ ଅବା ନିହାର ନଳିନୀ ଅବା ରବିନ୍ଦ୍ର-ଗୀତାଞ୍ଜଳୀ ଏମାନଂକ କାହାଣୀ ଏଇଥିପାଇଁ ଚର୍ଚ୍ଚିତ, ମଣିଷ ଓ ବନ୍ୟଜନ୍ତୁଂକ ମଧ୍ୟରେ ଥିବା ସଂପର୍କକୁ ଏମାନେ ନୂଆ ପରିଚୟ ଦେବାକୁ ଉଦ୍ୟମ କରିଥିଲେ।

କିଛି ମାସ ତଳେ ଉତରପ୍ରଦେଶର ପିଲଭିଟ୍ ବ୍ୟାଘ୍ର ଅଭୟାରଣ୍ୟରେ ଗୋଟିଏ ମହାବଳ ବାଘକୁ ଲୋକେ ପିଟିପିଟି ମାରିଦେଉଥିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଖାଦ୍ୟ ଅନ୍ୱେଷଣରେ ମହାବଳଟିଏ ବାଘ ଜନବସତି ଆଡକୁ ଆସିଥିବା ବେଳେ ଲୋକଙ୍କ ହାବୁଡେ ପଡି ମାଡଖାଇ ଜୀବନ ହାରିଥିଲା। ଏ ପ୍ରସଙ୍ଗଗୁଡିକ ବର୍ତମାନ ସମୟରେ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଆମେ ପ୍ରତିବର୍ଷ ଜୁଲାଇ ୨୯ରେ ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ କରିଥାଉ । ବାଘଂକ ସୁରକ୍ଷା ଓ ଏଥିପାଇଁ ସଚେତନତାର କଥା ପ୍ରତିବର୍ଷ କୁହାଯାଉଛି ହେଲେ ବାସ୍ତବରେ ଏହାକେତେ ଦୂର ସଫଳ ହୋଇପାରିଛି ତାର ଅନୁଶୀଳନ ହେବା ଦରକାର ।

୨୦୧୦ ମସିହାରେ ରୁଷିଆର ସେଂଟ ପିଟର୍ସଠାରେ ପ୍ରଥମ ଥର ପାଇଁ ଆନ୍ତର୍ଜାତିକ ଟାଇଗର ଫୋରମ୍ ଆୟୋଜନ କରାଯାଇଥିଲା । ଏହାଥିଲା ପୃଥିବୀର ପ୍ରଥମ ବ୍ୟାଘ୍ର ଶିଖର ସମ୍ମିଳନୀ । ଏହାର ଆୟୋଜକ ଥିଲେ ରୁଷିଆର ତତ୍କାଳୀନ ରାଷ୍ଟ୍ରପତି ଭ୍ଲାଦିମିକ ପୁଟିନ୍ ଓ ବିଶ୍ୱବ୍ୟାଙ୍କର ସଭାପତି ରବର୍ଟ ଜୋଲିକ୍ । ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ବିଶ୍ୱସ୍ତରରେ କିପରି ବାଘଙ୍କୁ ସୁରକ୍ଷା ଦିଆଯାଇପାରିବ ଓ ଏମାନଂକ ସଂଖ୍ୟାକୁ ଦୁଇଗୁଣ କରାଯିବ । ସେବେଠାରୁ ପ୍ରତିବର୍ଷ ଜୁଲାଇ ୨୯ ତାରିଖକୁ ବିଶ୍ୱ ବ୍ୟାଘ୍ର ଦିବସ ଭାବେ ପାଳନ କରାଯାଉଛି ।

ଭାରତ ସରକାର ୧୯୭୨ରେ ମହାବଳ ବାଘକୁ ଜାତୀୟ ପଶୁର ମାନ୍ୟତା ଦେଇଛନ୍ତି । ଏମାନେ ମୁଖ୍ୟତଃ ଭାରତ, ନେପାଳ, ବାଂଲାଦେଶ, ମିଆଁମାର ଓ ଶ୍ରୀଲଙ୍କା ଆଦି ଦେଶମାନଙ୍କରେ ଦେଖାଯାଆନ୍ତି । ଘଂଚ ଜଙ୍ଗଲ, ହେନ୍ତାଳ ବଣ, ବୁଦୁବୁଦୁକିଆ ଘାସ ଜଙ୍ଗଲ ଏମାନଙ୍କର ଚଳପ୍ରଚଳର ପ୍ରକୃଷ୍ଟ ସ୍ଥାନ । ଏସବୁ ସ୍ଥାନର ଅଭାବକୁ ଆଖି ଆଗରେ ରଖି ଭାରତ ସରକାର ୧୯୨୩ରେ ପ୍ରୋଜେକ୍ଟ ଟାଇଗରର ଶୁଭାରମ୍ଭ କରିଥିଲେ । ବିଶ୍ୱସ୍ତରୀୟ ବ୍ୟାଘ୍ର ଗଣନା ଅନୁସାରେ, ଶତକଡା ୭୦ ଭାଗ ବାଘ କେବଳ ଭାରତରେ ଅଛନ୍ତି । ୨୦୧୮ର ବାଘ ଗଣନା ରିପୋର୍ଟ ଅନୁସାରେ ଭାରତରେ ବାଘ ସଂଖ୍ୟା ପୂର୍ବ ତୁଳନାରେ ବୃଦ୍ଧି ପାଇଛି। ଏବେ ପ୍ରାୟ ଦେଶର ବିଭିନ୍ନ ଜଙ୍ଗଲ ଓ ବ୍ୟାଘ୍ର ପ୍ରକଳ୍ପ ଅଂଚଳରେ ୨୯୬୭ଟି ବାଘ ରହିଛନ୍ତି। ଗତ ଚାରି ବର୍ଷ ମଧ୍ୟରେ ବାଘଂକ ସଂଖ୍ୟା ଶତକଡା ୩୩ ଭାଗ ବୃଦ୍ଧି ପାଇଛି। ୨୦୧୪ରେ ଦେଶରେ ବାଘ ସଂଖ୍ୟା ୨୨୨୬ ଥିଲା। ଏବେ ମଧ୍ୟପ୍ରଦେଶରେ ବାଘ ମାନଙ୍କ ସଂଖ୍ୟା ସର୍ବାଧିକ ୫୨୬ ରହିଥିବା ବେଳେ କର୍ଣ୍ଣାଟକ ରେ ବାଘ ସଂଖ୍ୟା ୫୨୪ ଓ ଉତ୍ତରାଖଣ୍ଡରେ ବାଘ ସଂଖ୍ୟା ୪୪୨ ରହିଛି। ସେହିପରି ଉତ୍ତରପ୍ରଦେଶରେ ୧୭୩, ତାମିଲନାଡୁରେ ୨୬୪, କେରଳରେ ୧୯୦ ବାଘ ଥିବା ଜଣାପଡିଛି। ବାଘ ଗଣନା ପାଇଁ ସଠିକ୍ ପଦ୍ଧତିରେ ସର୍ଭେ ତଥା ଉନ୍ନତମାନର ଯନ୍ତ୍ରପାତି, ଟ୍ରାପ୍ କ୍ୟାମେରା ଆଦି ବ୍ୟବହାର ଫଳରେ ବାଘ ସଂଖ୍ୟା ଗଣନାରେ ପ୍ରାୟତଃ ତ୍ରୁଟିଶୂନ୍ୟ ରହୁଛି । ତେବେ ଆମ ରାଜ୍ୟ ଓଡ଼ିଶାରେ ୨୦୧୪ରେ ବାଘ ସଂଖ୍ୟା ୨୮ ଥିଲା ଓ ୨୦୧୮ରେ ବି ଏହି ସଂଖ୍ୟା ସମାନ ରହିଛି। ୨୦୧୮ ବାଘ ଗଣନା ଅନୁସାରେ ଦେଶରେ ବାଘ ସଂଖ୍ୟା ୩୩ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ରାଜ୍ୟରେ ବିଗତ ଚାରି ବର୍ଷ ମଧ୍ୟରେ ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇନାହିଁ । ବିଲୁପ୍ତ ପ୍ରାୟ ପ୍ରଜାତି ଭାବରେ ବାଘ ଆଇୟୁସିଏନ ରେଡ ଡେଟ ପୁସ୍ତକରେ ସ୍ଥାନ ପାଇଥିବା ଓ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ ୧୯୭୨ ଅନ୍ତର୍ଗତ ସିଡ୍ୟୁଲ ୧ରେ ସଂରକ୍ଷଣ ପାଉଥିବା ବେଳେ ଏହାର ବଂଶ ବୃଦ୍ଧି ନହେବା ରାଜ୍ୟର ପରିବେଶବିତଙ୍କୁ ଚିନ୍ତାରେ ପକାଇଛି। ଶିମିଳିପାଳ ଜାତୀୟ ଅଭୟାରଣ୍ୟ, ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ସହିତ ସୁନ୍ଦରଗଡର ହେମଗିରି, ସମ୍ବଲପୁରର ଦେବ୍ରୀଗଡ ଓ ନୂଆପଡାର ସୁନାବେଡା ଅଭୟାରଣ୍ୟରେ ବାଘ ଥିବା ନେଇ ବନ ବିଭାଗ ଅତୀତରେ କହିଥିଲେ ବି ଶୀକାର ବଢୁଥିବାରୁ ବାଘଂକ ସଂଖ୍ୟା ବଢୁନି ବୋଲି ଆଶଙ୍କା ଉପୁଜିଛି। ସମାନ ଭାବେ ଛତିଶଗଡ, ଆନ୍ଧ୍ରପ୍ରଦେଶରେ ମଧ୍ୟ ବାଘ ସଂଖ୍ୟା କମିବାରେ ଲାଗିଛନ୍ତି।

ଆଖିଦୃଶିଆ ଭାବେ ବାଘସଂଖ୍ୟା ନ ବଢିବାର ପ୍ରମୁଖ କାରଣ:

୧. ବେଆଇନ୍ ଶୀକାର ତଥା ଅନ୍ତର୍ଜାତୀୟ ବଜାରରେ କାରବାର:  ବାଘ ଶରୀରର ପ୍ରତିଟି ଅଂଶର ଚାହିଦା ଥିବାରୁ ବେଆଇନ୍ ଶୀକାର ଦିନକୁ ଦିନ ବଢିବାରେ ଲାଗିଛି । ବାଘ ନିଶ ଠାରୁ ଆରମ୍ଭ କରି ଏହାର ଲାଞ୍ଜ ପର୍ଯ୍ୟନ୍ତ ପ୍ରତିଟି ଅଙ୍ଗପ୍ରତ୍ୟଙ୍ଗ ଔଷଧ ତିଆରିରେ ଲାଗୁଥିବାରୁ ତଥା ଆନ୍ତର୍ଜାତୀୟ ବଜାରରେ ଏସବୁର ଦାମ୍ ବହୁତ ଅଧିକ ଥିବାରୁ ବାଘ ଶିକାର ସଂଖ୍ୟା ବଢିବାରେ ଲାଗିଛି । ଜଙ୍ଗଲ ମାଫିଆ, ଶିକାରୀ ଓ ବନ କର୍ମଚାରୀଂକ ମଧୁଚନ୍ଦ୍ରିକା ବାଘ ପାଇଁ ମୃତ୍ୟୁର ବାଟ ଖୋଲି ଦେଉଛି । କେନ୍ଦ୍ର ଜଙ୍ଗଲ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ୨୦୧୨ରୁ ୨୦୧୭ ମଧ୍ୟରେ ଦେଶରେ ସବୁଠାରୁ ଅଧିକ ଅର୍ଥାତ୍ ୪୫ ପ୍ରତିଶତ ବାଘଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ୩୭ ପ୍ରତିଶତ ବାଘଙ୍କୁ ଶୀକାର କରାଯାଇଛି । ଅନ୍ୟ ବାଘ ମୃତ୍ୟୁଗୁଡିକ ରାସ୍ତା ଓ ଟ୍ରେନ୍ ଦୁର୍ଘଟଣାଜନିତ।

୨. ପ୍ରାକୃତିକ ବାସସ୍ଥଳୀ ନଷ୍ଟ ହେବା- ବାଘର ଘର ଜଙ୍ଗଲ ନଷ୍ଟ ହେବା ବାଘ ସଂଖ୍ୟା କମିବାର ଆଉ ଏକ ବଡ କାରଣ । ଚାଷ, କାଠ, ଭିତିଭୂମି ନିର୍ମାଣ ପାଇଁ ଅନେକ ସମୟରେ ଜଙ୍ଗଲ କାଟି ସଫା କରାଯାଉଛି । ଗୋଟିଏ ହିସାବରେ ଜଣାପଡିଛି ଏହି କାରଣରୁ ୯୩ ପ୍ରତିଶତ ବାଘଂକ ବାସସ୍ଥଳୀର ଏବେ ବିପଦରେ । ଜଙ୍ଗଲ ନଷ୍ଟ ହେବାରୁ ବାଘ, ଜନବସତି ଆଡକୁ ଆସୁଛନ୍ତି । ଫଳରେ ଅନେକ ସମୟରେ ବାଘ-ମଣିଷ ସଂଘର୍ଷ ଦେଖିବାକୁ ମିଳୁଛି । କେତେବେଳେ ମଣିଷ ମରୁଛି, ଆଉ କେତେ ବେଳେ ବାଘ ମରୁଛି ।

୩. ପରିବେଶଗତ ପରିବର୍ତନ- ପରିବେଶ ଅସନ୍ତୁଳନ କାରଣରୁ ସମୁଦ୍ର ପତନ ବଢିବାରେ ଲାଗିଛି । ଫଳରେ ଏକଦା ବାଘଙ୍କ ନିରାପଦ ଆଶ୍ରୟସ୍ଥଳୀ ଥିବା ପଶ୍ଚିମବଙ୍ଗର ସୁନ୍ଦରବନ ଏବେ ବିପଦରେ । ତେବେ ଏସବୁ କାରଣ ସତ୍ୱେ ବି ଭାରତରେ ବାଘସଂଖ୍ୟା ବଢୁଛି ଏହା ଏକ ଖୁସୀ ଖବର । ଅନେକ ରାଜ୍ୟରେ ନିଷ୍ଠାପର ବନ କର୍ମଚାରୀଂକ ଉଦ୍ୟମ ଓ କଡା ପାଟ୍ରୋଲିଂ କାରଣରୁ ଶୀକାର ଅନେକ ପରିମାଣରେ ରୋକାଯାଇପାରିଛି । ବାଘଂକ ସୁରକ୍ଷା ପାଇଁ  ସରକାରୀସ୍ତରରେ ମଧ୍ୟ ଢାଂଚାଗତ ପରିବର୍ତନର ଆବଶ୍ୟକତା ରହିଛି । ପ୍ରୋଜେକ୍ଟ ଟାଇଗର ପରି ପ୍ରକଳ୍ପ କିଛି ବର୍ଷ ହେଲା କେବଳ କାଗଜପତ୍ରରେ ଚାଲୁଥିବାରୁ ଏହାର ସମୀକ୍ଷା ହେବା ସହ ନୂଆ ଯୋଜନା ତିଆରି ହେବା ଦରକାର । ଜଙ୍ଗଲ ଆଇନକୁ ମଧ୍ୟ କଡାକଡି ପାଳନ କରାଯାଉ । ଲୋକଂକୁ ସଚେତନ କରି ବାଘ-ମଣିଷ ଲଢେଇ ଉପରେ ରୋକ୍ ଲାଗୁ । ଆମ ରାଜ୍ୟର ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ କରାଯାଇଥିବା ଆନ୍ତଃରାଜ୍ୟ ବାଘ ସ୍ଥାନାନ୍ତରଣ କାର୍ଯ୍ୟକ୍ରମ ଫେଲ୍ ମାରିବା ପରେ ବାଘ ବଂଶ ବୃଦ୍ଧି ପାଇଁ ଧାର୍ଯ୍ୟ ଲକ୍ଷ୍ୟ ଶୀତଳବାକ୍ସକୁ ଚାଲିଯାଇଛି। ଏଇକ୍ରମରେ ଆସିଥିବା ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶକୁ ଫେରାଇଦିଆଯିବ କି ନାହିଁ ତାକୁ ନେଇ ମଧ୍ୟ ଅଡୁଆ ତୁଟୁନି। ସେହିପରି ଅତୀତ ଦିନମାନଂକରେ ସାତକୋଶିଆରେ ମହାବଳ ମହାବୀରର ମୃତ୍ୟୁ, ବରଗଡ-ସମ୍ବଲପୁର ପାଖ ଦେବ୍ରୀଗଡ ଜଙ୍ଗଲରେ ମହାବଳ ଶୀକାର ଘଟଣା ଗୋଟିଏ କଥାକୁ ସ୍ପଷ୍ଟ କରୁଛି ଜଙ୍ଗଲର ମହାବଳ ଏବେ ବିପଦରେ ଏବେ ସଙ୍କଟରେ । ତାକୁ ସୁରକ୍ଷା ଦରକାର ।

Nalco

Leave A Reply