Odisha news

ଭାଇଚାରାର ପର୍ବ , ଇଦୁଲ୍ ଫିତର

0

ମୌଲାନା ଫଜଲ ହକ ଖାନ୍  : ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର । ସାମ୍ପ୍ରଦାୟୀକ ସ୍ନେହ,ସୌହାର୍ଦ୍ଦ୍ୟ ଓ ସଦ୍ଭାବନା ଯୋଗୁଁ ଆମ ଦେଶ ବିଶ୍ୱରେ ଏକ ଅନନ୍ୟ ପରିଚୟ ସୃଷ୍ଟି କରିଛି । ପ୍ରତ୍ୟେକ ଧର୍ମ,ସମ୍ପ୍ରଦାୟ ଏବଂ ଜାତିରେ ଭିନ୍ନ ଭିନ୍ନ ପର୍ବ ପର୍ବାଣୀ ପାଳିତ ହୋଇଥାଏ । ଆମେ ଭାରତ ବାସୀ ସମସ୍ତେ ଏକତ୍ର ହୋଇ ସକଳ ଧର୍ମର ପର୍ବପର୍ବାଣୀକୁ ହର୍ଷ ଉଲ୍ଲାସର ସହିତ ପାଳନ କରିଥାଉ । ପ୍ରତ୍ୟେକ ପର୍ବପର୍ବାଣୀରେ ସମାଜ ପାଇଁ ଏକ ଶୁଭ ବାର୍ତା ଓ ସଂଦେଶ ଦିଆ ଯାଇଥାଏ । ଇଦୁଲ ଫିତର ପର୍ବ ମଧ୍ୟ ରମଜାନ ମାସର ଘୋର ତପସ୍ୟା, ତ୍ୟାଗ ଏବଂ ବ୍ରତ ପରେ ପ୍ରାପ୍ତ ହୋଇଥାଏ । ଏହା ସମାଜରେ ସ୍ନେହ,ସୌହାର୍ଦ୍ଦ୍ୟ ତଥା ଭାଇଚାରା ଆଣିଥାଏ । ଚତୁର୍ଦ୍ଦିଗରେ ଶୁଖ,ଶାନ୍ତି ଓ ସମନ୍ୱୟତାର ବାତାବରଣ ସୃଷ୍ଟି କରିଥାଏ । ଏ ପର୍ବ ଖାଇବାର ଏବଂ ଖୁଆଇବାର ପର୍ବ ହୋଇଥାଏ । ସେବା ଓ ସାହାଯ୍ୟର ପର୍ବ ହୋଇଥାଏ । ଗରିବର ଦୁଃଖକୁ ବୁଝିବାର ପର୍ବ ହୋଇଥାଏ । ପଡ଼ୋଶୀ ସହ ସହାନୁଭୂତି କରିବାର ପର୍ବ ହୋଇଥାଏ । ପରକୁ ନିଜର କରିନେବାର ପର୍ବ ହୋଇଥାଏ । ଘୃଣା, ଦ୍ୱେଷ, ମନମାଳିନତାକୁ ଭୁଲାଇ ଆଲିଙ୍ଗନ କରିନେବାର ପର୍ବ ହୋଇଥାଏ । ଶତ୍ରୁକୁ ମିତ୍ର କରିନେବାର ପର୍ବ ହୋଇଥାଏ । ଶାନ୍ତିରେ ରହି ଅନ୍ୟକୁ ଶାନ୍ତିରେ ରହିବାକୁ ଦେବାର ପର୍ବ ହୋଇଥାଏ । ଅନୈତିକତା, ଅମାନୁଷିକତା, ଅସଭ୍ୟତା ତଥା କୁକର୍ମ ଉପରେ ବିଜୟୀ ହେବାର ପର୍ବ ହୋଇଥାଏ । ମାନବ ସେବା ହିଁ ମାଧବ ସେବା ବୋଲି ଜାଣିନେବାର ପର୍ବ ହୋଇଥାଏ । ପ୍ରଭୁଙ୍କ ଛାମୁରେ ନିଜକୁ ସମର୍ପଣ କରିଦେବାର ପର୍ବ ହୋଇଥାଏ । ଖାରାପ ଦେଖିବି ନାହିଁ, ଖରାପ କହିବି ନାହିଁ, ଖରାପ ଶୁଣିବି ନାହିଁ ଏବଂ ଖରାପ କାମ କରିବି ନାହିଁର ଶିକ୍ଷାକୁ ଗ୍ରହଣ କରି ନେବାର ପର୍ବ ହୋଇଥାଏ । ପରିଶେଷରେ ଭଲ ମଣିଷଟିଏ ହୋଇ ପରମାତ୍ମାଙ୍କ ଠାରୁ ପରମାନନ୍ଦ ଲାଭ କରିବାର ପର୍ବ ହୋଇଥାଏ ।
ଏହି ଇଦ ପର୍ବରେ କୁନି କୁନି ପିଲାମାନେ ରଂଗ ବିରଂଗ ପୋଷାକରେ ସାଜ ସଜା ହୋଇ ତଥା ଘରର ବୟସ୍କରମାନେ ସ୍ନାନ କରି ନୂତନ ବସ୍ତ୍ର ପରିଧାନ କରି ସୁଗନ୍ଧ ଓ ସୁବାସିତ ଅତର ଲଗାଇ ଅଲ୍ଲାଃଙ୍କ ମହାନତାର ଗୁଣଗାନ କରି ଇଦ ନମାଜ ପଢିବାକୁ ଯାଇଥାନ୍ତିି । ଧର୍ମଗୁରୁ ବିଷେଶ ନମାଜ ଇଦୁଲ୍ ଫିତର ପାଠ କରାଇ ଉପସ୍ଥିତ ସଭାସଜନ ମଣ୍ଡଳିଙ୍କୁ ବିଶ୍ୱଶାନ୍ତିି,ଭାଇଚାରା,ମାନବ କଲ୍ୟାଣ କାର୍ଯ୍ୟ କରିବା ତଥା ଦେଶରେ ଏକତା,ଅଖଣ୍ଡତା କାୟମ କରିବା କ୍ଷେତ୍ରରେ ଶାସକଙ୍କ ସହ ସହଯୋଗ କରିବାର ଉପଦେଶ ଦେଇଥାନ୍ତି । ପରିଶେଷରେ ସକଳ ଜଗତବାସୀଙ୍କ ମଙ୍ଗଳ କାମନା ପାଇଁ ନିରବ ପ୍ରାର୍ଥନା କରାଯାଇଥାଏ । ଘରକୁ ଫେରି ବନ୍ଧୁ ମିଳନ କରାଯାଇଥାଏ । ଜଣେ ଅନ୍ୟ ଜଣକୁ ଆନ୍ତରୀକତା ସହ ସହୃଦୟରେ ଆଲିଙ୍ଗନ କରି, ଇଦ୍ ଶୁଭେଚ୍ଛା ଜଣାଇଥାନ୍ତି ।
ଅଲ୍ଲାଃ ପବିତ୍ର କୋରାନରେ ବର୍ଣ୍ଣନା କରିଛନ୍ତି ; ହେ ମାନବ ଜାତି ! ଆମ୍ଭେ ତୁମକୁ ପୁରୁଷ ଓ ସ୍ତ୍ରୀ ମଧ୍ୟରୁ ସୃଷ୍ଟି କରିଛୁ ଏବଂ ନିଜ ନିଜ ମଧ୍ୟରେ ପରିଚିତ ହେବା ପାଇଁ ଅନେକ ଗୋଷ୍ଠୀ ଓ ବଂଶରେ ବିଭକ୍ତ କରିଛୁ । ତୁମମାନଙ୍କ ମଧ୍ୟରେ ଯିଏ ଧର୍ମପରାୟଣ ହୋଇଥାଏ, ସେ ହିଁ ତୁମ ମଧ୍ୟରେ ସର୍ବକôୃଷ୍ଟ ହୋଇଥାଏ ।
ଆମ ଦେଶରେ ଧର୍ମକୁ କେନ୍ଦ୍ରକରି ଅନେକ ଗୋଷ୍ଠୀ ଗଠିତ ଶକ୍ତି ନିଜର ପ୍ରଭାବ ବିସ୍ତାର କରିବାରେ ଲାଗିଛନ୍ତି । ଏଥିରେ କିଛି ମୁଷ୍ଟିମେୟ ଲୋକମାନଙ୍କର ରାଜନୈତିକ ଫାଇଦା ହାସଲ ହୁଏ ସତ, ମାତ୍ର ଜନ ସାଧାରଣଙ୍କର ଅନେକ କ୍ଷୟ କ୍ଷତି ଘଟିଥାଏ । ଘୃଣା ଓ ଅରାଜକତାର ବାତାବରଣ ମଧ୍ୟରେ, ଧର୍ମ ଧର୍ମ ମଧ୍ୟରେ ଘୃଣାର ପ୍ରାଚୀର ଛିଡ଼ା ହୁଏ । ସେହି ଲୋକମାନଙ୍କୁ ଅହମଦୀୟା ମୁସଲିମ ସଂପ୍ରଦାୟର ସଂସ୍ଥାପକ ଅବଗତ କରାଇ କୁହନ୍ତି; ହେ ଦେଶବାସୀ ! ଆପଣା ମଧ୍ୟରେ ସନ୍ଧି ସ୍ଥାପନ କରି ନିଅ ଏବଂ ତୁମ ମଧ୍ୟରୁ ଯେଉଁ ଧର୍ମ ଓ ଜାତି ଏହି ସୌହାର୍ଦ୍ଦ୍ୟ ମୂଳକ ସନ୍ଧି କ୍ଷେତ୍ରରେ ବାଧା ଉପୁଯାଇବାକୁ ଉଦ୍ୟମ କରୁଥାଏ, ସେ ତାହା କରିବାକୁ କ୍ଷାନ୍ତ ରହୁ; ନଚେତ୍ ନିଜ କୃତ ଦୁଷ୍କର୍ମ ଓ ଶତୃତା ଆଚରିତ ସମସ୍ତ ପାପ ସେହି ଜାତିର ବେକ ଉପରେ ହିଁ ପଡ଼ିବ । ଏହା କାହାରିକୁ ଅଜଣା ନୁହେଁ ଯେ ଏକତା ଏପରି ଏକ ଶକ୍ତି ଯେ ଯେଉଁ ବିପଦ ଓ ଅସୁବିଧା ଗୁଡ଼ିକୁ ଅନ୍ୟ କୌଣସି ଉପାୟରେ ସମାଧାନ କରାଯାଇ ପାରିନଥାଏ, ତାହା ଏକତା ଦ୍ୱାରା ହିଁ ସହଜରେ ସମାହିତ ହୋଇଥାଏ । ଏକତାର ଆଶୀର୍ବାଦରୁ ନିଜକୁ ଦୂରେଇ ରଖିବା କୌଣସି ବିଜ୍ଞ ବ୍ୟକ୍ତିର କାର୍ଯ୍ୟ ନୁହେଁ । ଯଦି ଗୋଟିଏ ଜାତି ଅନ୍ୟ ଜାତିକୁ କେବଳ ନିଜ ଆତ୍ମ ବଡ଼ିମା ଓ ଆତ୍ମ ଗାରିମା ହେତୁ ଘୃଣା ଚକ୍ଷୁରେ ଦେଖେ, ତେବେ ସେ ମଧ୍ୟ ଦିନେ ଅନ୍ୟମାନଙ୍କର ଘୃଣାର ପାତ୍ର ହେବ । ଆଉ ସେମାନଙ୍କ ମଧ୍ୟରୁ ଯଦି କେହି ନିଜ ପଡ଼ୋଶୀଙ୍କୁ ସାହାଯ୍ୟ,ସହାନୁଭୂତି ଦେବାରେ ଅବହେଳା କରେ, ତେବେ ତାର ଏହି କାର୍ଯ୍ୟ ଦ୍ୱାରା ସେ ନିଜେ ହିଁ କ୍ଷତି ଗ୍ରସ୍ତ ହେବ । ଯଦି କେହି ତୁମ ମଧ୍ୟରୁ କୌଣସି ଗୋଟିକୁ ଲୋପ କରିବା ପାଇଁ ଚେଷ୍ଟା କରୁଥାଏ, ତେବେ ସେ ସେହି ବ୍ୟକ୍ତି ପରି, ଯିଏ କି ଯେଉଁ ଡ଼ାଳରେ ବସିଥାଏ, ସେହି ଡ଼ାଳକୁ ହିଁ ହାଣିବାରେ ଲାଗିଥାଏ ।
ଯଦି ବାସ୍ତବିକ ରୂପେ ନିଜ ଦେଶର ବିକାଶ ତଥା ସମୃଦ୍ଧିରେ ଅଗ୍ରସର ହେବାକୁ ଚାହୁଁଛନ୍ତି, ତା ହେଲେ ଆମମାନଙ୍କ ମଧ୍ୟରୁୁ ପ୍ରତ୍ୟେକ ଦେଶପ୍ରେମୀକୁ ଅହମଦୀୟା ମୁସଲିମ ସଂପ୍ରଦାୟର ସଂସ୍ଥାପକଙ୍କ ଦ୍ୱାରା ପ୍ରଣୀତ ବିଚାର ଧାରାକୁ ଆପଣେଇବାକୁ ହେବ । ଅହମଦୀୟା ମୁସଲିମ ସଂପ୍ରଦାୟର ୪ର୍ଥ ଖଲିଫା କୁହନ୍ତି; ଈଶ୍ୱର ଭାରତ ବର୍ଷରେ ଶାନ୍ତି ବିରାଜିତ କରନ୍ତୁ । ଦେଶରେ ଘୃଣା ଓ ହିଂସାର ଯେଉଁ ଲହର ସୃଷ୍ଟି କରାଯାଇଛି ଏବଂ ଜଣେ ଭାରତୀୟ ଅନ୍ୟ ଜଣେ ଭାରତୀୟ ଭାଇର ଯେପରି ରକ୍ତ ପିପାସୁ ସାଜିଛି, ଈଶ୍ୱର ସେହି ସବୁ ଉପଦ୍ରବକୁ ଦୂରକରି ଦିଅନ୍ତୁ । ସମସ୍ତ ଭାରତୀୟଙ୍କୁ ମାନବିୟ ଆଦର୍ଶରେ ଅନୁପ୍ରାଣିତ ହୋଇ,ଏକଜୁଟ ହୋଇ ରହିବାର ସାମର୍ଥ ପ୍ରଦାନ କରନ୍ତୁ । ମନେରଖ ! ଯେଉଁ ବ୍ୟକ୍ତି ମାନବ ଜାତି ସହ ପ୍ରେମ କରେ ନାହିଁ, ସେ ସୃଷ୍ଟିକର୍ତାଙ୍କୁ ମଧ୍ୟ ପ୍ରେମ କରେ ନାହିଁ । ରମଜାନ ଆମକୁ ସ୍ନେହ,ସୌହାର୍ଦ୍ଦ୍ୟ,ସମ୍ମାନ,ଭାତୃଭାବ, ତ୍ୟାଗ ଓ ମୈତ୍ରୀତାର ଉଚିତ୍ ଶିକ୍ଷା ଦେବାକୁ ଆସିଥାଏ । ଆସନ୍ତୁ ଆମେ ଏହି ପଙ୍କ୍ତିର ପ୍ରକୃତ ମର୍ମକୁ ବୁଝି ଭାରତମାତାର ଟେକ ବଜାୟ ରଖବା । ‘‘ ହିନ୍ଦ,ମୁସଲିମ,ଶିଖ,ଇସାଇ ହମ୍୍ ସବ୍ ହୈଁ ଭାଇି ଭାଇ /ଭାଇକୋ ହୈ ଭାଇ ପ୍ୟାରା ଐସା ୱତନ୍ ରହେ ହମାରା !’’ ଖୁଦା ହାଫିଜ୍ । ସବ୍କୋ ଇଦ୍ ମୁବାରକ୍ ।

Nalco

Leave A Reply