Odisha news

ସତ୍ୟବାଦୀର ସ୍ମୃତି : “ଗୋପବନ୍ଧୁ ଜଣେ ମଣି’

ଡ଼ଃ.ଅରୁନ୍ଧତୀ ଦେବୀ : ସତ୍ୟ, ଅହିଂସା, ସର୍ବୋଦୟ ଓ ସତ୍ୟାଗ୍ରହର ମୂର୍ତ୍ତିମନ୍ତ ଚିନ୍ତନ ପ୍ରତୀକ ଥିଲେ ଜାତିର ପିତା ପରମପୂଜ୍ୟ ମହାତ୍ମା ଗାନ୍ଧୀ । ଏହି ସାବରମତୀର ସନ୍ଥ ସମଗ୍ର ବିଶ୍ୱବାସୀଙ୍କ ପାଇଁ ଚିରସ୍ମରଣୀୟ ଓ ପରମ ପୂଜନୀୟ ବ୍ୟକ୍ତିତ୍ୱ । ପୂଜ୍ୟ ଗାନ୍ଧିଜୀଙ୍କ ପାଇଁ କିଛି ଲେଖିଲାବେଳେ ମନେପଡ଼ୁଛି ପ୍ରେମିକ କବି ଡକ୍ଟର ମାୟାଧର ମାନସିଂହଙ୍କ ତାଙ୍କ ଗ୍ରନ୍ଥାବଳୀର ପ୍ରଥମ ଖଣ୍ଡରେ ସ୍ଥାନିତ ହୋଇଥିବା “ଯେବେହେ ଆସିବ ଫେରି’ର ସ୍ମରଣୀୟ ପ୍ରଥମ ଧାଡ଼ିଟି – “ଯେବେହେ ଆସିବ ଫେରି, ଏ ଧରାରେ ଦେବ ପୁଣି ପଦ, କୁତ୍ସିତ ମାଟିରେ ପୁଣି ପ୍ରବାହିତ କରି ପୁଣ୍ୟ ନଦ, ଧରାମୁଖୁ ପୋଛି ପୋଛି ନେବ ପୁଣି ଯେତେ ଦୈନ୍ୟ, ବ୍ୟାଧି, ଯେତେ ମିଥ୍ୟା, ଯେତେ ପାପ, କୁସଂସ୍କାର, ବର୍ବରତା ଆଦି ଅଗାଧ କରୁଣା ସ୍ପର୍ଶେ, ଆପଣାରେ କ୍ଷୟି ତିଳେ ତିଳେ, ମାନବ ସେବାରେ କୃଚ୍ଛ୍ର ତପସ୍ୟାର ପବିତ୍ର ସଲିଳେ ଉଜ୍ଜୀବିତ କରି ମୃତ, ଜଡ଼ୀଭୂତ, କଳୁଷିତ ନର, କୋଟି କୋଟି ସ୍ୱାର୍ଥପ୍ରାଣେ ଅଙ୍କୁରାଇ ବୀଜ ପଦାର୍ଥର୍ର ।

ମହାତ୍ମା ଗାନ୍ଧୀଙ୍କ ଅନେକ ସ୍ମୃତି ଓଡ଼ିଶା ସହିତ ରହିଛି । ସଂଗୃହୀତ ତଥ୍ୟ ଅନୁଯାୟୀ ମହାତ୍ମା ଗାନ୍ଧୀ ୨୪ ତାରିଖ ପର୍ଯ୍ୟନ୍ତ କଟକରେ ରହି ୨୫ ତାରିଖ ଭଦ୍ରକରେ ପହଞ୍ଚôଥିଲେ । ଭଦ୍ରକରେ ଗାନ୍ଧିଜୀଙ୍କୁ ସମ୍ମାନିତ କରିବା ଓ ତାଙ୍କ ଠାରୁ କିଛି ଶୁଣିବା ପାଇଁ ଅନେକ ଶ୍ରଦ୍ଧାଳୁ, ଗାନ୍ଧିପ୍ରେମୀ ଓ ଦେଶପ୍ରେମୀମାନେ ଏକ ସାଧାରଣ ସଭାର ଆୟୋଜନ କରିଥିଲେ । ପୂଣ୍ୟପ୍ରାଣ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ କିଛି କହିବା ପରେ ପୂଜ୍ୟ ଗାନ୍ଧିଜୀ ଭଦ୍ରକରେ ବିଶେଷକରି ମୁସଲମାନ ଭାଇ ମାନଙ୍କ ପାଇଁ କିଛି କହିବାବେଳେ ସେ ସମୟରେ ଖିଲାପଥ କମିଟି ଗଠିତ ହୋଇ ନପାରିଥିବାରୁ ଦୁଃଖ ପ୍ରକଟ କରିଥିଲେ ।

ଏହି ସଭାରେ ଦଶ ହଜାରରୁ ଉଦ୍ଧ୍ୱର୍ ଲୋକ ସମବେତ ହୋଇ ଏକାଗ୍ର ଚିତ୍ତରେ ପୂଜ୍ୟ ବାପୁଜୀଙ୍କ କଥା ଶୁଣିଥିଲେ । ତାଙ୍କ ପ୍ରାଣସ୍ପର୍ଶୀ ଓ ହୃଦୟ ଛୁଇଁଥିବା ସରଳ କଥା ପ୍ରତ୍ୟେକଙ୍କ ହୃଦୟ ଭିତରକୁ ସତେଯେପରି ମୃଦୁ ସ୍ପର୍ଶପାଇ ପଲ୍ଲବିତ ହେଉଥିଲା । ସେହିଦିନ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସାରି ଗାନ୍ଧିଜୀ ରାତି ଟ୍ରେନ୍ରେ ଉକ୍ରଳମଣି ଗୋପବନ୍ଧୁଙ୍କ ସହ ସତ୍ୟବାଦୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ଓ ୨୬ ତାରିଖ ସକାଳ ଛଅଟାରେ ରେଳଗାଡ଼ି ସତ୍ୟବାଦୀରେ ପହଞ୍ଚôବା ପରେ ପଣ୍ଡିତ କୃପାସିନ୍ଧୁ, ପଣ୍ଡିତ ନୀଳକଣ୍ଠ, ଆଚାର୍ଯ୍ୟ ହରିହର ପ୍ରମୁଖ ଶିକ୍ଷକବୃନ୍ଦ, ସତ୍ୟବାଦୀ ବିଦ୍ୟାଳୟର ଛାତ୍ର ଓ ଗାଁଗହଳର ହଜାର ହଜାର ଲୋକ ମହାତ୍ମା ଗାନ୍ଧୀ ଓ କସ୍ତୁରବାଙ୍କୁ ଫୁଲମାଳ ସହ ସମ୍ବର୍ଦ୍ଧନା ଜଣାଇ ଗୋଟିଏ ଘୋଡ଼ାଗାଡ଼ିରେ ପଟୁଆରରେ ସତ୍ୟବାଦୀ ସ୍କୁଲକୁ ନେଲେ ।

ଗାନ୍ଧିଜୀ ଓ କସ୍ତୁରବାଙ୍କୁ ଧରି ଯାଉଥିବା ଗାଡ଼ି ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କଲାପରେ ରାସ୍ତାର ଦୁଇପଟରେ ଟିକିଏ ଗାନ୍ଧିଜୀଙ୍କୁ ଦେଖିବା ପାଇଁ ହଜାର ହଜାର ଲୋକ ଏକ ପ୍ରକାର ଭିଡ଼ ଜମାଇଥିଲେ । ଭାରତ ମାତା କି ଜୟ, ଗାନ୍ଧିଜୀଙ୍କ ଜୟ ଜୟକାର ସହ ଓଡ଼ିଆ ସ୍ୱାଗତ ପରମ୍ପରାରେ ପବିତ୍ର ହୁଳହୁଳିରେ ଆକାଶ ନିନାଦିତ ହେବା ସହ ପୁଷ୍ପ ବୃଷ୍ଟି ହେଉଥିଲା । ସତ୍ୟବାଦୀ ବିଦ୍ୟାଳୟ ଘରେ ପହଞ୍ଚôବା ପରେ ସାମାନ୍ୟ ବିଶ୍ରାମ ନେବା ପରେ ସକାଳ ଆଠଟା ବେଳେ ବାପୁଜୀ ଛୁରିଅନା ବଗିଚା ଭିତରେ ଥିବା ବିଦ୍ୟାଳୟ ଦେଖି ଅତ୍ୟନ୍ତ ଖୁସି ହୋଇଯାଇଥିଲେ । ତାଙ୍କୁ ବେଶି ଖୁସି ଦେଇଥିଲା ସେଠାରେ ଅରଟ କାମ, କତା କାମ ଓ ପିଲାଙ୍କ ଖେଳକୁଦ ଦେଖି । ବିଦ୍ୟାଳୟର ଛୁରିଅନା ଓ ବକୁଳ ବନ ଭିତରେ ଗୋଟିଏ ଗଛତଳେ ଛାମୁଣ୍ଡିଆ କରି ଗାନ୍ଧିଜୀଙ୍କ ପାଇଁ ବିଶ୍ରାମସ୍ଥଳ ତିଆରି ହୋଇଥିଲା ।

ଗାନ୍ଧିଜୀ, କସ୍ତୁରବା, ଦେବଦାସ ପ୍ରମୁଖ ସେଠାରେ ବିଶ୍ରାମ ନେଲେ । ଗାନ୍ଧିଜୀଙ୍କ ପାଖେ ପାଖେ ରହି ତାଙ୍କର ସମସ୍ତ ଦାୟିତ୍ୱ ଓ କାର୍ଯ୍ୟକ୍ରମ ନିମିତ୍ତ କଟକର ସ୍ୱର୍ଗତ କୃତ୍ତିବାସ ନନ୍ଦ, ବ୍ରହ୍ମପୁରର ଶ୍ରୀ ଶରତ ଚନ୍ଦ୍ର ମହାପାତ୍ର ଯେ କି ସତ୍ୟବାଦୀ ବିଦ୍ୟାଳୟର ତକ୍ରାଳୀନ ଛାତ୍ର ଥିଲେ, ଏହି ମାନଙ୍କୁ ମନୋନୀତ କରାଯାଇଥିଲା । ବକୁଳ ବନବିଦ୍ୟାଳୟର ଥଣ୍ଡା ସୁଶୀତଳ ଛାଇ ଭିତରେ ବାପୁଜୀ ଛୋଟ ପିଲାମାନଙ୍କୁ ଦେଖି ଅତ୍ୟନ୍ତ ଆନନ୍ଦିତ ହୋଇଯାଇଥିଲେ । ସେ ଛାତ୍ର ଓ ଶିକ୍ଷକ ମାନଙ୍କୁ ସେମାନଙ୍କ ନୀତିଧର୍ମ, ଦୈନନ୍ଦିନ ଜୀବନରେ ନିଷ୍ଠତା ଓ ଭାରତ ମାତାର ସେବା ପାଇଁ ବିଭିନ୍ନ ପ୍ରସଙ୍ଗରେ ସୁନ୍ଦର ଭାବେ କହିଚାଲିଥିଲେ । ମନ୍ତ୍ରମୁଗ୍ଧ ହୋଇ ସମସ୍ତେ ଶୁଣିବା ସହ ଅନେକ ବାପୁଜୀଙ୍କୁ ପାଖରେ ପାଇ ତାଙ୍କ ମିଠା ମିଠା ହୃଦୟସ୍ପର୍ଶୀ କଥା ଶୁଣି ଅନେକଙ୍କ ଆଖିରୁ ଭାବ ତନ୍ମୟରେ ଲୁହ ଝରି ଆସିଥିଲା ।

ଏହାପରେ ମଧ୍ୟାହ୍ନ ବିଶ୍ରାମ ପରେ ପାଖାପାଖି ଦୁଇଟା ବେଳେ ସେହି ବିଦ୍ୟାଳୟ ଭିତରର ବଉଳ ବଗିଚା ଭିତରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା । ଯେଉଁଥିରେ ଦଶ ହଜାରରୁ ଉଦ୍ଧ୍ୱର୍ ଜନସାଧାରଣ ଏକଜୁଟ ହୋଇଥିଲେ । ତା ପୂର୍ବ ବର୍ଷ ପୁରୀରେ ଦୁର୍ଭିକ୍ଷ ପଡ଼ିଥିବାରୁ ଲୋକଙ୍କ ଅବସ୍ଥା ବଡ଼ ଖରାପ ହୋଇଥାଏ । ସ୍ତ୍ରୀ-ପୁରୁଷ ପିଲା ବୁଢ଼ା ସମଗ୍ର ବଗିଚାର ଚାରିଆଡ଼େ ଖୁସି ହୋଇଯାଇଥିଲେ । ସୋରିଷ ପକାଇବାକୁ ଜାଗା ନାହିଁ । ଅଧିକାଂଶ ଲୋକ ଛୋଟିଆ ମୋଟା ଲୁଗା ପିନ୍ଧି ଓ ଖଣ୍ଡେ ଲେଖାଏଁ ମଇଳା ଚିରା ଗାମୁଛା କାନ୍ଧରେ ପକାଇ, ସ୍ତ୍ରୀ ଲୋକମାନେ ମଇଳା ଶାଢ଼ୀ ପିନ୍ଧି ଓ ପିଲାମାନେ ଅନେକ ଉଲଗ୍ନ ଅବସ୍ଥାରେ ଏ ସଭାରେ ଯୋଗ ଦେଇଥାନ୍ତି ।

ପୂଜ୍ୟ ବାପୁଜୀଙ୍କୁ ଛୁରିଅନା ବଗିଚା ଭିତରୁ ବକୁଳବନର ସଭା ମଣ୍ଡପକୁ ପାଛୋଟି ନେଇଥିଲେ ଉକ୍ରଳମଣି ଗୋପବନ୍ଧୁ ଓ ସେ ସମୟରେ କାର୍ଯ୍ୟରତ ସତ୍ୟବାଦୀର ନୀତିନିଷ୍ଠ ଶିକ୍ଷକ ଓ ଛାତ୍ରମାନେ । ଦୁଇପଟୁ ଗାନ୍ଧିଜୀଙ୍କ ଉପରକୁ ପୁଷ୍ପ ବୃଷ୍ଟି ହେଉଥିଲା ଏବଂ ଅତ୍ୟନ୍ତ ଖୁସିବ୍ୟକ୍ତ କରି ବଉଳ ଗଛ ତଳେ ହିଁ ତିଆରି ହୋଇଥିବା ଛୋଟିଆ ସଭା ମଞ୍ଚର ଚୌକି ମଣ୍ଡନ କରିଥିଲେ ପି୍ରୟ ବାପୁଜୀ । ତେବେ ଦିନ ଦୁଃଖୀ ଦରିଦ୍ରଙ୍କ ପ୍ରାଣକର୍ତ୍ତା ପୂଜ୍ୟ ବାପୁଜୀ ସଭା ମଞ୍ଚର ବିରାଟ ଜନମଣ୍ଡଳୀଙ୍କୁ ଚାହିଁବା ଭିତରେ ସେ ସମୟରେ ଭୟଙ୍କର ଦୁର୍ବିକ୍ଷ ପ୍ରପୀଡ଼ିତ କିଛି ଅସ୍ଥିକଙ୍କାଳସାର ଛୋଟ ପିଲା ଓ ବୟସ୍କଙ୍କୁ ଦେଖିବା ସହ ଚିରାଛିଣ୍ଡା, ମଇଳା କପଡ଼ା ପିନ୍ଧିଥିବା କିଛି ଦୁଃଖି ମାନଙ୍କୁ ଦେଖି ସେ କାନ୍ଦି ପକାଇଥିଲେ ।

ଏକ ପ୍ରକାର ସଭାସ୍ଥଳ କିଛିକ୍ଷଣ ପାଇଁ ସ୍ତବ୍ଧ ହୋଇଯାଇଥିଲା । ଅତି ଭାବଗମ୍ଭୀର ଭାବେ ଚର୍ତୁପାଶ୍ୱର୍କୁ ନିରୀକ୍ଷଣ କରି ଆଖି ବୁଜି ଦେଇଥିଲେ ଗାନ୍ଧିଜୀ । ପିଲାମାନଙ୍କୁ ଭଲ ପାଉଥିବା ଗାନ୍ଧିଜୀ ବ୍ୟଥିତ ହୃଦୟ ଓ କରୁଣାବ୍ୟଞ୍ଜକ ନେତ୍ରର ଚାହାଣି, ସେଠାରେ ଗୋପବନ୍ଧୁଙ୍କର ସ୍ଥାନୀୟ ଦୁଃଖ ଦୁର୍ବିପାକର ବର୍ଣ୍ଣନା, ଗାନ୍ଧିଜୀଙ୍କ ମର୍ମସ୍ପର୍ଶୀ ବାଣୀ ଏବଂ ଜନତା ପ୍ରତି ତାଙ୍କର କି ଗଭୀର ସହାନୁଭୂତି ତାହା ବର୍ଣ୍ଣନା କରିବା ବା ଲେଖିବା ଅତ୍ୟନ୍ତ କଷ୍ଟକର । ଅତ୍ୟନ୍ତ ଭାବପୂର୍ଣ୍ଣ ଭାବରେ ଗାନ୍ଧିଜୀ କହିଥିଲେ ଏ ପବିତ୍ର ଦେଶ, ଭାରତମାତା ଆମ ସମସ୍ତଙ୍କର ମାତା । ଆଉ ଯେଉଁ ଦେଶରେ ଜଣେ ଲୋକ ଖାଇବା ବିନା ମରିଯାଏ, ସେ ଦେଶ ନରହତ୍ୟା ପାପରେ ଭାଗୀ ହୁଏ ।

ଗୋରା ଇଂରେଜ ସରକାରଙ୍କୁ କଠୋର ସମାଲୋଚନା କରି ଗାନ୍ଧିଜୀ କହିଥିଲେ ସେମାନଙ୍କୁ ସଇତାନ ଗ୍ରାସ କଲାଣି । ସେମାନଙ୍କ ଅତ୍ୟାଚାର, ଯନ୍ତ୍ରଣା, ସମସ୍ତଙ୍କୁ ଶୋଷଣ ଓ ନିଷ୍ଠୁର ଶାସନ ଭାରତବାସୀଙ୍କ ସହ ଓଡ଼ିଶାବାସୀ ଓ ପ୍ରିୟ ପୁରୀବାସୀଙ୍କ କିପରି ଦୁଃଖଦ ସ୍ଥିତି ପହଞ୍ଚାଇଛି ତାହା ମୁଁ ଆଖି ସାମ୍ନାରେ ଦେଖୁଛି । ମୋ ତମାମ ଜୀବନରେ ଓଡ଼ିଶାର ଏହି ନରକଙ୍କାଳଙ୍କୁ କେବେ ବି ଭୁଲି ପାରିବି ନାହିଁ । ଏହି ଧାଡ଼ି କହିଲାବେଳକୁ ଏକ ପ୍ରକାର କାନ୍ଦ କାନ୍ଦ ଅବସ୍ଥାରେ ତାଙ୍କ କଣ୍ଠ ଏକ ପ୍ରକାର ଅଟକି ଯାଉଥାଏ । ସେ ବଜ୍ର ସ୍ୱରରେ କହିଲେ ବିନା ସ୍ୱରାଜ୍ୟରେ ଏମାନଙ୍କର ଉଦ୍ଧାର ନାହିଁ । ସେ ସମୟରେ ପୂଜ୍ୟ ଗାନ୍ଧିଜୀ ଯେଉଁ ସ୍ଥାନକୁ ଯାଉଥିଲେ ସବୁ ଜାଗାରେ ତିଳକ ସ୍ୱରାଜ୍ୟ ପାଣ୍ଠି ପାଇଁ ଗାନ୍ଧିଜୀ ସବୁଜାଗା ପରି ଏଠାରେ କିଛି ସହାୟତା ପାଇଁ ନିବେଦନ ରଖିଥିଲେ । ତେବେ ସେହି ଅସ୍ଥିକଙ୍କାଳ ସାର ଲୋକେ ତାଙ୍କ ଛିଣ୍ଡା ଗାମୁଛାରେ ବନ୍ଧା ଅଧଲା ପଇସା ଏବଂ ଚିରା ଖଦୀ ପିନ୍ଧିଥିବା ସ୍ତ୍ରୀଲୋକ ତାଙ୍କ କାନିରେ ବନ୍ଧା ଅଧଲା ପଇସା ଏବଂ କେତେକ ତାଙ୍କ ହାତରେ ରୂପା ଖଡ଼ୁ କାଢ଼ି ତାଙ୍କ ପାଦରୋ ମୁଣ୍ଡିଆ ମାରି ଥୋଇଦେଲେ ସେତେବେଳେ ଗାନ୍ଧିଜୀଙ୍କ ଆଖିରୁ ଲୁହଧାର ବୋହିଗଲା ।

ପୂଜ୍ୟ ବାପୁଜୀ ଓଡ଼ିଶାବାସୀଙ୍କ ଏପରି ଅଭାବବୋଧ ଓ ଦାରିଦ୍ର୍ୟ କଷ୍ଟ ଯନ୍ତ୍ରଣା ଭିତରେ ତାଙ୍କ ପ୍ରତି ଭଲପାଇବା ଓ ଶ୍ରଦ୍ଧା ଅର୍ଘ୍ୟ ଦେଖି ଗମ୍ଭୀର ହୋଇପଡ଼ିଥିଲେ । କାନ୍ଦି କାନ୍ଦି କହିଥିଲେ ଏଇ ସାମାନ୍ୟ ପଇସା ନୁହେଁ ଏହା ହେଉଛି ଏ ଗରିବ ଲୋକଙ୍କ ନିଜ ଦେହର ରକ୍ତ । ଯେଉଁ ରକ୍ତ ସେମାନେ ଉତ୍ସର୍ଗ କରୁଛନ୍ତି ସ୍ୱରାଜ୍ୟ ପାଇଁ ଆଉ ମୁଁ ନିଶ୍ଚିନ୍ତ ଆମେମାନେ ପାଇବା । ଏ ବିଶ୍ୱାସ ଦୃଢ଼ୀଭୂତ ହେଉଛି ଯେ ତ୍ୟାଗ, ସେବା ଓ ଶ୍ରମର ଅତ୍ୟନ୍ତ ମୂଲ୍ୟ ରହିଛି । ଏହାସହ ସେ ଆଉ ଏକ ଧାଡ଼ି ଯୋଡ଼ିଥିଲେ ତାହା ହେଉଛି ଲୋକେ ଶ୍ରମ କଲେ, ଘରେ ଘରେ ଅରଟ ଚଳେଇଲେ ଏ ଦୁଃଖ ରହିବ ନାହିଁ । ଉକ୍ରଳମଣି ଗୋପବନ୍ଧୁଙ୍କ ବିଷୟରେ ପୂଜ୍ୟ ବାପୁଜୀ ପୂର୍ବରୁ ଅନେକ କିଛି ଶୁଣିଥିଲେ ଓ ତାଙ୍କ ସଂସ୍ପର୍ଶ ପାଇବା ପରେ ସେ ସେଦିନ ସତ୍ୟବାଦୀର ସଭାମଞ୍ଚରେ ଭାବପୂର୍ଣ୍ଣ ଭାବେ ଲୋତକ ଚକ୍ଷୁରେ କହିଥିଲେ ବାସ୍ତବରେ ଗୋପବନ୍ଧୁ ଜଣେ ମଣି । ଏଭଳି ମହାତ୍ମା, ପୂଣ୍ୟାତ୍ମା, ତ୍ୟାଗୀ ଓ ଧର୍ମପ୍ରାଣ ବ୍ୟକ୍ତି ଅତ୍ୟନ୍ତ ବିରଳ । ତାଙ୍କୁ ପାଇଥିବାରୁ ଉକ୍ରଳ ଧନ୍ୟ । ତାଙ୍କ ଦୃଢ଼ ନେତୃତ୍ୱ ଓ ଦୂରଦୃଷ୍ଟି ସମ୍ପନ୍ନ ସେବା ମନୋଭାବ ନିଶ୍ଚିନ୍ତ ସ୍ୱରାଜ୍ୟ ସଂଗ୍ରାମରେ ବିଜୟ ପାଇବ ।

Comments are closed.