Odisha news

ବଢୁଛି ଧନୁଆ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା : ପାଣି ଘେରରେ ଶତାଧିକ ଗାଁ , ରିଲିଫ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲା ଦୁଇଟି ଡ଼ଙ୍ଗା

0

ଗୋପ : ଧନୁଆ ବନ୍ୟାର ସ୍ଥାୟୀ ପ୍ରତିକାର ହୋଇପାରିନଥିବାବେଳେ ଗୋପ ବ୍ଲକ୍ର ୧୦ରୁ ଉଦ୍ଧ୍ୱର୍ ପଞ୍ଚାୟତର ଜନସାଧାରଣମାନେ ପ୍ରଭାବିତ ହେଉଛନ୍ତି । ଧନୁଆ ବନ୍ୟାର ସ୍ଥାୟୀ ପ୍ରତିକାର ଲାଗି ତିନି ମୁହାଣି ଠାରେ ସ୍ଲୁଇସ୍ ଗେଟ୍ ନିର୍ମାଣ କରାଯାଇଥିଲେ ମଧ୍ୟ ଏହା କୌଣସି କାର୍ଯ୍ୟରେ ଲାଗୁନଥିବା ଜନସାଧାରଣମାନେ ଅଭିଯୋଗ କରିଛନ୍ତି ।

ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଗୋପ ବ୍ଲକ୍ର ନୂଆଖୋଲମରା ପଞ୍ଚାୟତର ବାଲିବସ୍ତ, ଗବଡ଼ିହ, ଭିତର ଦରିଗାଁ, ନୂଆଖୋଲମରା, ଓରତଣ୍ଡା, କାଳିଆପୋଖରୀ, ଡ଼ଭାର ପଞ୍ଚାୟତର ଆଇମା, ଇଟାକୁଦ, ଗୁନିଆଁ, ଓଲଣ୍ଡି, ରାହାଙ୍ଗଗୋରଡ଼ା ପଞ୍ଚାୟତର ଆଳିଚର, ରାହାଙ୍ଗଗୋରଡ଼ା, ରୁଙ୍କେଇ, ବିମାନ କୁଞ୍ଚôଆ, ଗଣେଶ୍ୱରପୁର ପଞ୍ଚାୟତର ଗଳଦରି, ଲୁଣହାର, ଶିଶୋ, ମାଞ୍ଚିଆ, କୋଶଳଦା, ତିଳିପଦାଗଡ଼, ନାଗପୁର ପଞ୍ଚାୟତର ଷୋଳପୁର, ଦଳଭା, ବାଙ୍କିପୁର, ବେଦପୁର ପଞ୍ଚାୟତର ଖଣ୍ଡିଆକୁଦ ସମେତ ଶତାଧିକ ଗାଁରେ ବନ୍ୟା ଜଳ ପଶିଥିବାବେଳେ ଜନସାଧାରଣମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ପ୍ରଶାସନ ପକ୍ଷରୁ ରିଲିଫ୍ ଉଦ୍ଧାର କାର୍ଯ୍ୟ କରିବା ଲାଗି ଦୁଇଟି ଡ଼ଙ୍ଗା ନିୟୋଜିତ କରାଯାଉଥିବାବେଳେ ଏଥିରେ ବ୍ୟାପକ ଅସୁବିଧା ହେଉଥିବା ମଧ୍ୟ ସାମ୍ନାକୁ ଆସିଛି । ଡ଼ଙ୍ଗା ନିୟୋଜିତ ଥିବାବେଳେ ଅନଭିଜ୍ଞ ଚାଳକଙ୍କ ଦ୍ୱାରା ଜଳଯାତ୍ରା କରାଯାଉଥିବାବେଳେ କୌଣସି ମୁହୂର୍ତ୍ତରେ ଅଘଟଣ ଆଶଙ୍କା ଉପୁଜିଛି । ଅନ୍ୟ ପକ୍ଷରେ ବନ୍ୟା ପାଣି ଘରେ ପଶିବା ଦ୍ୱାରା ଦୁଇ ଦିନ ହେଲାଣି ଜନସାଧାରଣମାନେ ଭୋକ ଉପାସରେ ଥିବାବେଳେ ପ୍ରଶାସନ ପକ୍ଷରୁ ଏଯାବତ୍ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇନଥିବାବେଳେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ଧନୁଆ ବନ୍ୟାରେ ପ୍ରଭାବିତ ହେଉଥିବା ଜନସାଧାରଣମାନଙ୍କୁ ଆହୁରି ୪ ରୁ ୫ ଦିନ ସମସ୍ୟା ଭୋଗିବ ବୋଲି ପୂର୍ବ ଅନୁମାନ କରାଯାଉଥିବାବେଳେ ପ୍ରଶାସନ ପକ୍ଷରୁ ଆଖିଦୃଷ୍ଟିଆ ପଦକ୍ଷେପ ନିଆଯାଇନାହିଁ । ବନ୍ୟାଞ୍ଚଳକୁ ଗୋପ ବିଡ଼ିଓ ଦୀପ୍ତିରାଣୀ ଦାସଙ୍କ ସମେତ ବରିଷ୍ଠ ପଦାଧିକାରୀ ଅନୁଧ୍ୟାନ କରିବାକୁ ଯାଇଥିବାବେଳେ ଜନସାଧାରଣଙ୍କ ନିକଟରେ ଖୁବ୍ ଶୀଘ୍ର ଅତ୍ୟାବଶ୍ୟକୀୟ ସେବା ପହଞ୍ଚାଇବା ଲାଗି ବ୍ୟବସ୍ଥା କରାଯାଇଥିବା ବିଡ଼ିଓ ଶ୍ରୀମତୀ ଦାସ କହିଛନ୍ତି ।

Leave A Reply