ଭୁବନେଶ୍ୱର: ଲକ୍ଡାଉନ୍ ଚତୁର୍ଥ ପର୍ଯ୍ୟାୟ ଜାରି ରହିଥିବା ବେଳେ ବିମାନ ଓ ରେଳ ସେବା ଆଂଶିକ ଭାବେ ଆରମ୍ଭ କରାଯାଇଛି। ଏହି କ୍ରମରେ ବସ୍ ଯାତ୍ରୀଙ୍କ ପାଇଁ ବି ଖୁସି ଖବର ଆସିଛି। ଆସନ୍ତାକାଲି ଠାରୁ ରାଜଧାନୀ ଭୁବନେଶ୍ବରରେ ମୋ ବସ୍ ସେବା ଆରମ୍ଭ ହେବ । ସକାଳ ୭ରୁ ସଂଧ୍ୟା ୭ ପର୍ଯ୍ୟନ୍ତ ୭ଟି ରୁଟରେ ମୋ ବସ୍ ଗଡ଼ିବ ବୋଲି କ୍ୟାପିଟାଳ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ଟୁଇଟ୍ କରି ସୂଚନା ଦିଅାଯାଇଛି।
ଆସନ୍ତା ମଙ୍ଗଳବାର ଅର୍ଥାତ୍ ମଇ ୨୬ ତାରିଖରୁ ସକଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଯେଉଁ ଯାତ୍ରୀମାନେ ମୋ ବସ୍ରେ ଯାତ୍ରା କରିବାକୁ ଚାହିଁବେ ସୁବିଧାରେ ଯାତ୍ରା କରି ପାରିବେ। ତେବେ କେବଳ ୭ଟି ରୁଟ୍ରେ ବିନା ଶୀତତାପ ନିୟନ୍ତ୍ରିତ ମୋ ବସ୍ ଚାଲିବ। ଏଥିସହିତ ମୋ ବସ୍ ଯାତ୍ରୀଙ୍କୁ ବସ୍ରେ ଚଢ଼ିବା ପୂର୍ବରୁ କିଛିଟା ସର୍ତ୍ତ ମାନିବାକୁ ପଡ଼ିବ। ଯେପରି ଯାତ୍ରା ସମୟରେ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଯେଉଁ ଯାତ୍ରୀ ଏହି ନିୟମ ମାନିବେ ନାହିଁ ତାଙ୍କୁ ମୋ ବସ୍ରେ ଚଢ଼ିବାକୁ ଅନୁମତି ଦିଆଯିବ ନାହିଁ।
ସେହିପରି ବସ୍ରେ ଯେତିକି ସିଟ୍ ସେତିକି ହିଁ ଯାତ୍ରୀ ଯାତ୍ରା କରି ପାରିବେ। କୌଣସି ଯାତ୍ରୀ ବସ୍ରେ ଛିଡ଼ା ହୋଇ ଯାଇ ପାରିବେ ନାହିଁ। ଏଥିସହିତ ଭଡ଼ା ଯେତିକି ହେବ ଯାତ୍ରୀଙ୍କୁ ସେତିକି ଟଙ୍କା ଖୁୁଚୁରା ବସ୍ କଣ୍ଡେକ୍ଟରଙ୍କୁ ଦେବାକୁ ପଡ଼ିବ।
ଏହି ୭ଟି ରୁଟ୍ରେ ଯାତ୍ରୀଙ୍କୁ ପ୍ରତି ଅଧଘଣ୍ଟା ବ୍ୟବଧାନରେ ମିଳିବ ‘ମୋ ବସ୍’ ସେବା
୧- ବିମାନବନ୍ଦରରୁ ପଟିଆ ଦେଇ କଟକ ସିଡିଏକୁ ଚାଲିବ
୨-ନନ୍ଦନବିହାରରୁ ମାଷ୍ଟର କ୍ୟାଣ୍ଟିନ୍ ଦେଇ ଲିଙ୍ଗିପୁର ଯିବ
୩- ମାଷ୍ଟର କ୍ୟାଣ୍ଟିନରୁ ରସୁଲଗଡ଼ ଦେଇ କଟକ ଯିବ
୪-ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ଦେଇ ଖୋର୍ଦ୍ଧା ଯିବ ମୋ ବସ୍
୫- ମାଷ୍ଟର କ୍ୟାଣ୍ଟିନରୁ ଫାୟାର ଷ୍ଟେସନ ଦେଇ ସମ୍ ହସ୍ପିଟାଲ ଯିବ ବସ୍
୬- ଡୁମୁଡୁମାରୁ ମାଷ୍ଟର କ୍ୟାଣ୍ଟିନ୍ ଦେଇ ମଞ୍ଚେଶ୍ୱର ପର୍ଯ୍ୟନ୍ତ ଗଡ଼ିବ ମୋ ବସ୍
୭- ମାଷ୍ଟର କ୍ୟାଣ୍ଟିନରୁ ବରମୁଣ୍ଡା ଦେଇ ଏମ୍ସ ଯିବ ମୋ ବସ୍