ନୂଆଦିଲ୍ଲୀ: ପ୍ରଦର୍ଶନକାରୀ ଚାଷୀ ସଂଗଠନର ନେତାମାନେ ଘୋଷଣା କରିଛନ୍ତି ୧୦ ମାର୍ଚ୍ଚରେ ଦେଶବ୍ୟାପି ମଧ୍ୟାହ୍ନ ୧୨ଟାଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାରି ଘଣ୍ଟିଆ ରେଳ ରୋକୋ ଆନ୍ଦୋଳନ କରାଯିବ। ଏହା ପୂର୍ବରୁ ଚାଷୀ ସଂଗଠନ ମିଳିତ ଭାବେ ମାର୍ଚ୍ଚ ୬ରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଚାଷୀ ସଂଗଠନ ଏନେଇ ରଣ ହୁଙ୍କାର ଦେଇଛି।
ନୂଆ ରଣନୀତି ସମ୍ପର୍କରେ ସୂଚନା ପ୍ରଦାନ କରି ଚାଷୀ ସଂଗଠନର ନେତା ଜଗଜିତ ସିଂ ଡଲ୍ଲେୱାଲ କହିଛନ୍ତି ନିଷ୍ପତ୍ତି ଗ୍ରହଣ କରାଯାଇଛି ପ୍ରଦର୍ଶନକାରୀମାନେ ସୀମାରେ ସେମାନଙ୍କ ଶକ୍ତି ବୃଦ୍ଧି କରିବେ। ଦିଲ୍ଲୀ ଚଲୋ ଡାକରାରୁ ଆମେ ପଛକୁ ହଟିବୁ ନାହିଁ। ମାର୍ଚ୍ଚ ୬ରେ ବସ,ଟ୍ରେନ, ବିମାନରେ ଦେଶର ବିଭିନ୍ନ ଅଞ୍ଚଳରୁ ଚାଷୀମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।
ଚାଷୀ ନେତା ସରୱତ ସିଂ ପନ୍ଧେର କହିଛନ୍ତି ଆମେ ମାର୍ଚ୍ଚ ୬ରେ ଦିଲ୍ଲୀ ମୁହାଁ ହେବୁ ବୋଲି ନିଷ୍ପତ୍ତି ନେଇଛୁ। ଦୁଇଦିନ ଧରି ଚାଷୀ ସଂଗଠନର ପ୍ରଦର୍ଶନରେ ବାଧା ସୃଷ୍ଟି ହୋଇଥିଲା। କାରଣ ଚାଷୀଙ୍କ ହିଂସକ ପ୍ରଦର୍ଶନ ବିରୋଧରେ କରାଯାଇଥିବା ପୁଲିସ କାର୍ଯ୍ୟାନୁଷ୍ଠାନରେ ଜଣଙ୍କର ମୃତ୍ୟୁ ଘଟିଥିଲା।
ଖନୌରି ସୀମାରେ ହୋଇଥିବା ଏହି ଘଟଣାରେ ୧୨ରୁ ଅଧିକ ପୁଲିସକର୍ମୀ ଆହତ ହୋଇଥିଲେ। ହରିୟାଣା ପୁଲିସ କହିଛି ପ୍ରଦର୍ଶନକାରୀମାନେ ନଡ଼ାରେ ଲଙ୍କା ମିଶାଇ ଜଳାଇ ପୁଲିସଙ୍କୁ ଆକ୍ରମଣ କରିଥିଲେ। ଏହା ସହିତ ପୁଲିସଙ୍କ ଉପରେ ତୀକ୍ଷଣ ଅସ୍ତ୍ରଶସ୍ତ୍ରର ବ୍ୟବହାର କରାଯାଇଥିବାର ଅଭିଯୋଗ ହୋଇଛି। ହରିୟାଣା ଏବଂ ସିଙ୍ଘୁ ଟିକିରି ସୀମାରେ ପୁଲିସ ପକ୍ଷରୁ ସର୍ଭିସ୍ ଲେନ୍ ଖୋଳାଯାଇଥିଲା। ଚାଷୀ ସଂଗଠନର ଦିଲ୍ଲୀ ଚଲୋ ଡାକରା ଯୋଗୁ ଏଭଳି କରାଯାଇଥିଲା।