Odisha news

ଭୋଟ୍‌ ଗଣନା : ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ‘ବିଜେପି’ ଆଗୁଆ ଥିବାବେଳେ ତେଲେଙ୍ଗାନାରେ ‘ବିଆର୍‌ଏସ୍‌’ଠାରୁ କଂଗ୍ରେସ ଆଗରେ

ଛତିଶଗଡ଼ରେ କଂଗ୍ରେସ ଆଗୁଆ

0

ନୂଆଦିଲ୍ଲୀ: ଆଜି ତେଲେଙ୍ଗାନା, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଗଡ଼ରେ ବିଧାନସଭା ନିମନ୍ତେ ଗ୍ରହଣ କରାଯାଇଥିବା ଭୋଟ୍‌ ଗଣନାର ପ୍ରାରମ୍ଭିକ ଟ୍ରେଣ୍ଡ୍‌ରୁ ପ୍ରାପ୍ତ ସଦ୍ୟତମ ସୂଚନା ଅନୁସାରେ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ‘ବିଜେପି’ ଆଗୁଆ ଥିବାବେଳେ ତେଲେଙ୍ଗାନାରେ ‘ବିଆର୍‌ଏସ୍‌’ଠାରୁ କଂଗ୍ରେସ ଆଗରେ ରହିଛି। ସେହିପରି, ଛତିଶଗଡ଼ରେ ମଧ୍ୟ କଂଗ୍ରେସ ଆଗୁଆ ରହିଛି। ପ୍ରାପ୍ତ ସୂଚନା ଅନୁସାରେ, ସମ୍ପ୍ରତି ତେଲେଙ୍ଗାନାରେ କଂ‌ଗ୍ରେସ ୬୭ଟି, ‘ବିଆର୍‌ଏସ୍‌’ ୩୨ଟି ଓ ଅନ୍ୟାନ୍ୟ ୨୦ଟି ଆସନରେ ଅଗ୍ରଣୀ ଅଛନ୍ତି।

ଦୁଇଟି ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଗୋଟିଏ ଆସନରେ ଅଗ୍ରଣୀ ଥିବା ବେଳେ ଆର ଆସନରେ ପଛୁଆ ଅଛନ୍ତି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ରେ ସେ କାମରେଡ୍ଡୀଙ୍କଠାରୁ ପଛରେ ପଡ଼ିଛନ୍ତି କିନ୍ତୁ, ଗଜୱେଲ୍‌ ଆସନରେ ଅଗ୍ରଣୀ ଅଛନ୍ତି। ଜୁବିଲି ହିଲ୍‌ ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା କଂଗ୍ରେସ ପ୍ରାର୍ଥୀ ମହମ୍ମଦ ଆଝାରୁଦିନ୍‌ ଏବେ ପଛୁଆ ହୋଇଯାଇଛନ୍ତି।

ମଧ୍ୟପ୍ରଦେଶରେ ‘ବିଜେପି’ ୧୩୫ଟି, କଂଗ୍ରେସ ୯୪ଟି ଓ ଅନ୍ୟାନ୍ୟ ୧ଟି ଆସନରେ ଆଗୁଆ ରହିଛନ୍ତି।

ରାଜସ୍ଥାନରେ ‘ବିଜେପି’ ୧୦୨ଟି, କଂଗ୍ରେସ ୮୦ଟି ଓ ଅନ୍ୟାନ୍ୟ ୧୭ଟି ଆସନରେ ଆଗ୍ରଣୀ ଅଛନ୍ତି। ଏକଦା ‘ବିଜେପି’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଚର୍ଚ୍ଚା ଚାଲିଥିବା ଦୀୟା କୁମାର ଏବେ ବିଦ୍ୟାଧର ନଗର ଆସନରେ ଅଗ୍ରଣୀ ଅଛନ୍ତି।

ଛତିଶଗଡ଼ରେ କଂଗ୍ରେସ ୫୭ଟି, ‘ବିଜେପି’ ୩୧ଟି ଓ ଅନ୍ୟାନ୍ୟ ୨ଟି ଆସନରେ ଆଗେଇଛନ୍ତି। ସାମ୍ପ୍ରତିକ ଟ୍ରେଣ୍ଡ୍‌ ଅନୁସାରେ, ପଟନ ଆସନରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଆଗରେ ଥିବା ବ‌େଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ରାଜନନ୍ଦଗାଓଁ ଆସନରେ ଆଗୁଆ ଅଛନ୍ତି।

Leave A Reply