ଲଳିତକୁମାର ପାତ୍ର : ଇତିହାସର କରାଳ ଗର୍ଭରେ ଅଗଣିତ ରାଷ୍ଟ୍ର ସୃଷ୍ଟି ଓ ବିଲୋପ ହୋଇ ଚାଲିଆସିଥିବା ଦେଖାଯାଏ । ରାଷ୍ଟ୍ରର ସ୍ଥିତି କ୍ଷେତ୍ରରେ ଧୃବୀକରଣ ଓ ବିଘଟନ ଏକ ଚିରନ୍ତନ ସତ୍ୟ ଭାବରେ ରହି ଆସିଛି । କୌଣସି ରାଷ୍ଟ୍ର ସୃଷ୍ଟି ଆରମ୍ଭରୁ ରହିନାହିଁ କି ରହିବ ବୋଲି ନିର୍ଦ୍ଦିଷ୍ଟତା ଭବିଷ୍ୟତ କେବଳ କହିପାରିବ । ରାଷ୍ଟ୍ର ସାର୍ବଭୌମ ଶାସନ ତନ୍ତ୍ରର ଏକ ଭୌଗୋଳିକ ଅଞ୍ଚଳ ହୋଇଥିବାରୁ ରାଷ୍ଟ୍ରର ବିଘଟନ ଓ ଧୃବୀକରଣ ସହିତ ଶାସନ ସଂସ୍କାର ମଧ୍ୟ ବିଲୋପ ଓ ସୃଷ୍ଟି ହେବା ଦେଖାଯାଏ । ଉଲ୍ଲେଖନୀୟ ଯେ ରାଷ୍ଟ୍ର ଶାସନର ଭୌଗୋଳିକ ରୂପରେଖ ହୋଇଥିଲେ ମଧ୍ୟ ଅନେକ ସମୟରେ ଶାସନର ବୈଷୟିକ ରୂପରେଖ ପରିବର୍ତ୍ତନଶୀଳ ହୋଇଥାଏ ଓ ସାର୍ବଭୌମତ୍ୱ ରହିଥିବା ଲଗ୍ନିକ ଶାସନ ସଂସ୍ଥାର ମିଶ୍ରିତ ସ୍ଥିତିକାଳ ସହିତ ରାଷ୍ଟ୍ରର ସ୍ଥିତିକାଳ ଜଡ଼ିତ ରହିଥାଏ । ଯାହା ଦର୍ଶାଏ ଯେ ରାଷ୍ଟ୍ର ହେଉଛି ମୁଖ୍ୟ ଓ ଶାସନ ହେଉଛି ଗୌଣ । କିନ୍ତୁ ପ୍ରକୃତରେ ଶାସନ ସଂସ୍ଥାର ଭୌଗୋଳିକ ସ୍ଥିତିଗତ ସଂକୋଚନ ପ୍ରସାରଣ ସହିତ ରାଷ୍ଟ୍ରର ସ୍ଥିତି ନିର୍ଭରଶୀଳ । ଏ ଦୁଇଟି କଥାକୁ ନିମ୍ନ ଉଦାହରଣୁ ବୁଝିହେବ । ଆମେ ନେହରୁଙ୍କ ଶାସନ କାଳ, ଇନ୍ଦିରାଙ୍କ ଶାସନ କାଳ ଓ ପିଭି ନରସିଂହରାଓଙ୍କ ଶାସନକାଳ ବୋଲି କହିଥାଉ । ଏଠି ଗୋଟିଏ ଶାସନ ସଂସ୍ଥାରେ ବିଭିନ୍ନ ଶାସକଙ୍କ ସ୍ୱ ସ୍ୱ ପ୍ରଣାଳୀର ଶାସନଗତ ଢାଞ୍ଚାର ସୂଚନା ମିଳୁଛି । ଏଣୁ ଏମାନଙ୍କ ଶାସନ ଢାଞ୍ଚାରେ ପାର୍ଥକ୍ୟ ରହିଥିଲେ ମଧ୍ୟ ଏକ ଶାସନ ସଂସ୍ଥା ବୋଲି ସ୍ୱତନ୍ତ୍ରତା ପ୍ରଦର୍ଶିତ ହୋଇଛି । ଏ ପ୍ରକାର ପାର୍ଥକ୍ୟ ମଧ୍ୟରେ ଏକତ୍ୱ ହେଉଛି ଲଗ୍ନିକ ଶାସନ । କିନ୍ତୁ ଇଂରେଜ ଶାସନ ଏମାନଙ୍କ ଶାସନର ଲଗ୍ନିକ ଶାସନ ନୁହେଁ । କାରଣ ଇଂରେଜ ଶାସନ ଏକ ଭିନ୍ନ ସାର୍ବଭୌମ ଶାସନ ସଂସ୍ଥା ବା ରାଷ୍ଟ୍ର । ଅନ୍ୟପକ୍ଷରେ ଏହି ସମସ୍ତ ଶାସକଙ୍କ ସମୟରେ ରାଷ୍ଟ୍ରର ଭୌଗୋଳିକ ରୂପରେଖ ଏକା ନୁହେଁ; ୧୯୬୨ ମସିହା ପୂର୍ବରୁ ଆକାଶୀ ଚାଇନା ଅଞ୍ଚଳରେ ଭାରତ ଶାସନ ରହିଥିବା କଥା ସେହି ଅଞ୍ଚଳ ସହିତ ସେ ସମୟରେ ସମ୍ପୃକ୍ତ ଥିବା ଲେଖକ ନିଶ୍ଚୟ ଉଲ୍ଲେଖ କରିଥିବେ ଓ ଏ ସମୟ ପରେ ଲେଖକ ଉକ୍ତ ଅଞ୍ଚଳରେ ଚୀନା ଶାସନର ସମ୍ମୁଖିନ ହେବା ଉଲ୍ଲେଖ କରିଥିବେ । ଯାହା ଇତିହାସରେ ରହିବ ଯେ ଉକ୍ତ ସମୟରେ ଆକାଶୀ ଚାଇନା ଅଞ୍ଚଳ ଚୀନର ଥିଲା । ଠିକ ସେମିତି ୧୯୧୮ ମସିହା ପୂର୍ବରୁ ଆଲାସ୍କା ଅଞ୍ଚଳ ରୁଷିଆର ଥିଲା ଓ ଏବେ ଯୁକ୍ତରାଷ୍ଟ୍ର ଆମେରିକାର ।
ଏ ସବୁ ଘଟିଥାଏ ଶାସକର ସାମର୍ଥ୍ୟ ଯୋଗୁଁ । ଯାହା ରାଜନୈତିକ ଚାପଦ୍ୱାରା ସ୍ଥିରୀକୃତ ହୋଇଥାଏ । ରାଜନୈତିକ ଚାପର ବିଭିନ୍ନ ଉପାଦାନ ମଧ୍ୟରୁ ମୁଖ୍ୟ ଭୂମିକାରେ ଥାଏ ଶାସନଗତ ଢାଞ୍ଚା ବା ଶାସନଗତ ବୈଷୟିକତା । ଶାସନ କିପରି ଠିକ ଭାବରେ ଚାଲିଲେ ଶାସନ ସହିତ ରାଷ୍ଟ୍ରର ସ୍ଥିତି ଠିକ ରହିବ, ସେଥିପାଇଁ ଶାସନ ଢାଞ୍ଚା ବା ବୈଷୟିକତାରେ ଏପଟ ସେପଟ ଘଟିଥାଏ; ୧୭୫୭ ମସିହା ପରେ ଇଂରେଜ ଶାସନ ତରଫରୁ ଦକ୍ଷିଣ ଏସିଆ ଅଞ୍ଚଳର ଅଧିକୃତ ଅଞ୍ଚଳକୁ ବ୍ରିଟିଶ ଇଣ୍ଡିଆ ବା ଭାରତ ନାମ ଦେଇ ଶାସନ କରିବା ପାଇଁ ଜଣେ ରାଜ୍ୟପାଳ ନିଯୁକ୍ତ ହୋଇଥିଲେ । ଅର୍ଥାତ ଅଧିକୃତ ଅଞ୍ଚଳଟି ଇଂଲଣ୍ଡର ଏକ ପ୍ରଦେଶ ଭାବେ ରହିଥିଲା । କିପରି ଉକ୍ତ ଅଞ୍ଚଳଟି ଇଂଲଣ୍ଡର ଅଞ୍ଚଳ ଭାବେ ଦୃଢ ହୋଇ ରହିବ ସେଥିପାଇଁ ବିିଭିନ୍ନ ବୈଷୟିକ ବ୍ୟବସ୍ଥା ହେଉଥିଲା । ଶେଷ ପର୍ଯ୍ୟନ୍ତ ଭାରତକୁ ଇଂଲଣ୍ଡରୁ ଅଲଗା ହୋଇ ନପାରିବା ପାଇଁ ଉଦ୍ୟମ ହେଉଥିଲା । ଇଂରେଜ ଶାସନକୁ ସର୍ବୋତ୍ତମ ହେବାକୁ ଉଦ୍ୟମ ହେଉଥିଲା । ଦେଖିବା କଥା ଯେ ୧୯୯୦ ମସିହା ବେଳକୁ ଇଂରେଜ ଶାସିତ ହଂକଂର ପ୍ରଗତି ସ୍ୱାଧିନ ଭାରତଠାରୁ ଅଧିକ ଥିଲା । ଏହା ପ୍ରମାଣିତ କରୁଛି ଯେ ଉନ୍ନତି ବା ଲୋକଙ୍କ ସୁଖ ସୁବିଧା ପାଇଁ ଶାସନ ଢାଞ୍ଚା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ।
ଉନବିଂଶ ଶତାବ୍ଦୀର ଲେଖକଙ୍କ ଲେଖାରୁ ଜଣାପଡ଼େ ଯେ ଓଡ଼ିଶାରେ ପୂର୍ବ ଶାସନ ଅପେକ୍ଷା ଇଂରେଜ ଶାସନ ଭଲ ଥିଲା । ଶାସନ ଭଲ ନହେଲେ ଲୋକଙ୍କ ପାଇଁ ତା’ର ଆବଶ୍ୟକତା ବା କ’ଣ? ଲୋକଙ୍କ ପାଇଁ କାର୍ଯ୍ୟ କରିପାରୁନଥିବା ଶାସନ ମୁଖ୍ୟଙ୍କୁ ଏକ ଷଷ୍ଠାଂଶର ଅପହର୍ତ୍ତା ବୋଲି ଏଇଥି ପାଇଁ ପ୍ରଚୀନ ଶାସ୍ତ୍ରମାନଙ୍କରେ କୁହାଯାଇଛି । ଅର୍ଥାତ ଏପରି ଶାସନ ସଂସ୍ଥା ଅବା‚ôତ ଅଟେ । କିନ୍ତୁ ଦେଖା ଯାଇଛି ମଣିଷ ଜୀବନରେ ଶାସନ ସଂସ୍ଥା ଏକ ନୈସର୍ଗୀକ ଆବଶ୍ୟକତାରୂପେ ରହି ଆସିଛି । କବିଙ୍କ ଲେଖନୀରେ ଜଳ ବିନେ ଯେହ୍ନେ ଝସ, ରାଜା ବିନେ ଗ୍ରାମ ଦେଶ’ । ରାଜନୈତିକ ଚାପ ମଧ୍ୟରେ ଗତି କରୁଥିଲେ ମଧ୍ୟ ଶାସନ ସଂସ୍ଥାର ଏ କର୍ତ୍ତବ୍ୟ ଓ କ୍ଷମତା ରହିଛି । ଏହାକୁ ବୁଝିପାରୁନଥିବା ଲୋକଙ୍କ ପାଇଁ କବି ଲେଖିଛନ୍ତି ‘ବିସ୍ମୟେ ଅନାଇ ଭାଳିଲେ ସଚିବ ଏ କି ବା ବିଚାର ରୀତି, ଦୋଷ କରି ପ୍ରଜା ପାଏ ନାହିଁ ଦଣ୍ଡ ଦୋଷୀ ହୁଏ ନରପତି’ ଏବଂ ବୁଝିବା ଲୋକଙ୍କ ପାଇଁ ଲେଖିଛନ୍ତି ‘ରକତ ଗାର ଏ ନୁହଁଇ ମାଆଲୋ ଏ ତ ମୋ ମଥାର ଟୀକା, ବୀର ରଣଜିତ କହିଲେ ଆବେଗେ ଦେଲୁ ମୋତେ ମହାଶିକ୍ଷା’; ଦେହେଦେହେ ଶକ୍ତି ସଞ୍ଚାର ପାଇଁକି ଧରିଛି ହାତେ ମୁଁ ଅସ୍ତ୍ର, ଦିଅ ଏ ନାରୀକୁ ଯେତେ ପାର ଧନ ଯେତେ ଯେତେ ଅନ୍ନବସ୍ତ୍ର’; ଏଠି କବି କି ଶିକ୍ଷା ସୂଚେଇଛନ୍ତି? କି ଅସ୍ତ୍ର ଧରିବା ର୍ଦାଶାଇଛନ୍ତି? ରାଷ୍ଟ୍ର ଏକ ବ୍ୟବସାୟିକ ଅନୁଷ୍ଠାନ ନୁହେଁ ବୋଲି ପ୍ରତିପାଦନ କରିଛନ୍ତି । ଚତୁର ଗାନ୍ଧୀ ଶାସନ ସଂସ୍ଥାର ଏପରି ଗୁରୁତ୍ୱ ଜାଣିଥିବାରୁ ଇଂରେଜମାନେ ଶାସନ କ୍ଷମତା ହସ୍ତାନ୍ତର କରିବା ପାଇଁ ଉଦ୍ୟମ କରିଥିଲେ । ଜାଣିବା ଉଚିତ ଯେ ଶାସନ ଏପରି ଏକ କ୍ଷମତା ଯାହାଦ୍ୱାରା ଗୋଟିଏ କେନ୍ଦ୍ରରୁ ରାଷ୍ଟ୍ର ସାରା ସମସ୍ତ ବିଷୟକୁ ନିୟନ୍ତ୍ରଣ କରିହୁଏ । ଯେପରି ଶାସନ କୌଣସି ମୁଦ୍ରାକୁ ଅଚଳ ଘୋଷଣା କଲେ ତାହା ଅକାମୀ ହୋଇଯାଏ ।
ରାଷ୍ଟ୍ରରେ ନ୍ୟାୟ ରହିଲେ ଠିକ ଶାସନ ଚାଲିବା ଜଣାପଡ଼େ; ଲୋକଙ୍କର ଅଧିକାର ଓ କର୍ତ୍ତବ୍ୟ ସାବ୍ୟସ୍ତ ହେଉଥିବା ହେଉଛି ନ୍ୟାୟ ରହିବାର ଚିହ୍ନ । ବଞ୍ଚô ରହିବାର ଅଧିକାର, ସ୍ୱାଧିନତାର ଅଧିକାର ଓ ଆର୍ଥିକ ଅଧିକାର ସୁରକ୍ଷିତ ରହିଲେ ଲୋକଙ୍କ ସ୍ଥିତି ଠିକ ରହିଥିବା ଅନୁମାନ ହୁଏ । ଯେଉଁଠି ଜୀବନ ପ୍ରତି ବିପଦର ସମ୍ଭାବନା ଥାଏ ସେଠାରେ ସ୍ୱାଧିନତା ପ୍ରତି ଆଶଙ୍କା ଓ ଅର୍ଥ ରୋଜଗାରର ସୁଯୋଗ ସହିତ ଉପାର୍ଜିତର ସୁରକ୍ଷା ନଥାଏ । ସେଠି ଜୀବନଯାପନ ଦୁର୍ବିସହ ହୁଏ । ଅନ୍ୟ ଅର୍ଥନୈତିକ ବ୍ୟବସ୍ଥା ଅପେକ୍ଷା ମୁକ୍ତ ବଜାର ନୀତି, ବଜାର ପ୍ରଚଳିତ ଶାସନରେ ଜୀବନ ଯାପନ ଅଧିକ ଦୁର୍ବିସହ ହେବା ଦେଖାଯାଏ । ମୁକ୍ତ ବଜାର ବ୍ୟବସ୍ଥାରେ ଅପପ୍ରତିଦ୍ୱନ୍ଦ୍ୱିତା ଅବସ୍ଥା ସୃଷ୍ଟି ହୋଇଥାଏ । ଏଥିରେ ଯିଏ ପାରିଲା ସିଏ ତିଷ୍ଠିବା ଦେଖାଯାଏ । ଫଳତଃ ଜୋର ଯାର ମୁଲକ ତାର ଅବସ୍ଥା ସୃଷ୍ଟି ହୁଏ । ଜବରଦଖଲ, ଜବରଦସ୍ତି, ଠକାମି ଓ ମୁଲଚାଲ ଖୋଲାଖୋଲି ହୁଏ ।
ଅପରାଧିଙ୍କୁ ସୁଯୋଗ, ପ୍ରୋତ୍ସାହନ ମିଳିବା ସହିତ ସମାଜ ବିଷବୃତ୍ତର ଚକ୍ର ମଧ୍ୟରେ ଗତି କରେ । ବିଚାର ପ୍ରକ୍ରିୟା ନିରପେକ୍ଷ ରହେ ନାହିଁ । ସରଳ ଦୁର୍ବଳ ବୟସ୍କ ବିବେକୀ ଲୋକେ ଉପେକ୍ଷିତ ଓ ନିଷ୍ପେସିତ ହୋଇଥାଏ । ମାଲିକମାନେ ଅନିଶ୍ଚିତ ଭବିଷ୍ୟତ ଆଶଙ୍କାରେ ସର୍ବାଧିକ ସମ୍ଭବ ଧନ ଠୁଳ ପାଇଁ ଉଦ୍ୟମ କରନ୍ତି । କର୍ମଚାରୀଙ୍କ କର୍ମ ସମୟ ଓ ମଜୁରୀ କ୍ଷେତ୍ରରେ ଟାଳଟୁଳ ନୀତି ଦେଖାନ୍ତି । ଅନେକ ମାଲିକ କହନ୍ତି କାମର କିଛି ସମୟ ସୀମା ନାହିଁ କି କିଛି ଚୁକ୍ତି ନାହିଁ ଓ ମନ ଇଛା କର୍ମଚାରୀଙ୍କୁ ବାହାର କରିଦିଅନ୍ତି । କର୍ମଚାରୀଟି ଦୁରାବସ୍ଥା ଦେଇ ଗତି କରିଥାଏ । ଏଥିରେ ବେକାରୀ ଏକ ସମସ୍ୟା ଭାବେ ରହିଥାଏ । ବେରୋଜଗାରୀ ଆଶଙ୍କାରେ ଯୁବକ ଯୁବତୀମାନେ ବିବାହ କରିପାରନ୍ତିନାହିଁ ବା ବିଳମ୍ବରେ ବିବାହ କରନ୍ତି । ଏ ଗୋଷ୍ଠୀ ଆଶଙ୍କା ଓ ଦୁଃଖରେ କାଳ କାଟନ୍ତି । ଏହି ବ୍ୟବସ୍ଥାରେ ଅତ୍ୟାଚାରର ଛବି କ୍ରୀତଦାସ ପ୍ରଥା ରହିଥିଲା । ଏବେ ମଧ୍ୟ ଛଦ୍ମରେ ରହିଛି କିନ୍ତୁ ସମୟ ବଦଳିଛି; ବର୍ତ୍ତମାନ ବିଜ୍ଞାନର ଉନ୍ନତି ଫଳରେ ବିଭିନ୍ନ କ୍ଷେତ୍ରରେ କୃତି୍ରମ ବୁଦ୍ଧିମତ୍ତା ବା ଏଆଇ ର ଉପଯୋଗ ହେଲାଣି । ଏହାକୁ ବ୍ୟବହାର ନକଲେ ପଛେଇ ଯିବା ଅବସ୍ଥା ହେବ । ବାଧ୍ୟ ହେଇ ଶାସନ ସଂସ୍ଥା ଏହାକୁ ଉପଯୋଗ କରିବ । ଫଳତଃ ବେକାରୀ ଉକ୍ରଟ ରୂପ ଧରି ସାମାଜିକ ବିପର୍ଯ୍ୟସ୍ତ ଅବସ୍ଥା ସୃଷ୍ଟି କରିବ ଓ ଅରାଜକତା ଅସମ୍ଭାଳଭାବରେ ବଢିଯିବ । ଶାସନ ତରଫରୁ ବାଧ୍ୟ ହେଇ ଜାତୀୟ ସମ୍ପଦର ସୁଷମ ବଣ୍ଟନ ହେବ । ଯାହା ବଜାର ଅର୍ଥନୀତିକୁ ନିଶ୍ଚିନ୍ନ କରିଦେବା ସହିତ ସାମ୍ୟବାଦୀ ବ୍ୟବସ୍ଥାକୁ ଜନ୍ମ ଦେବ । ଯେଉଁ ସାମ୍ୟବାଦୀ ବ୍ୟବସ୍ଥା କାର୍ଲମାକ୍ସଙ୍କ ମତବାଦଠାରୁ ଭିନ୍ନ ହୋଇ ଯୁବକ ଯୁବତୀ ଦରିଦ୍ର, ଅସହାୟ ଓ ସର୍ବହରାଙ୍କ ପାଇଁ ସୁନେଲୀ ସ୍ୱପ୍ନ ଆଣିବ । ଆଗାମୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଦି ଜାତୀୟ ଜରୁରୀ ପରିସ୍ଥିତି ଜାରି କରି ଅନୁପ୍ରବେଶକାରୀଙ୍କୁ ନିୟନ୍ତ୍ରଣ ନକରନ୍ତି ତେବେ ବର୍ଦ୍ଧିର୍ତ ଜନସଂଖ୍ୟା ମଧ୍ୟରେ ସୀମିତ ଜାତୀୟ ସମ୍ପଦକୁ ବଣ୍ଟନ କରିନପାରି ଭାରତକୁ ଅରାଜକତା ମଧ୍ୟକୁ ଠେଲିଦେବେ ।