Odisha news

ପତନ ଅପେକ୍ଷାରେ ରାଜସ୍ଥାନ ସରକାର

0

ସୌଭାଗ୍ୟ ରଂଜନ ମହାନ୍ତି(ରାଜା) : ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଡ ଏବଂ ଉପ-ମୁଖ୍ୟମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ ସଭାପତି ସଚିନ୍ ପାଇଲଟଙ୍କ ମଧ୍ୟରେ ଖୋଲାଖୋଲି ଯୁଦ୍ଧ ଏବେ ରାଜ୍ୟରେ କଂଗ୍ରେସ ସରକାର ପ୍ରତି ଗୁରୁ ଧମକ ସୃଷ୍ଟି କରିଛି ବୋଲି କୁହାଯାଇପାରିବ । ରାଜ୍ୟ ସରକାର ତଥା ରାଜ୍ୟ କଂଗ୍ରେସର ଦୁଇ ପ୍ରମୁଖ ନେତା (ଜଣେ ପୌଢ ଏବଂ ଜଣେ ଯୁବକ)ଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦକୁ ଯଦି ଦଳର ହାଇକମାଣ୍ଡ ସମାଧାନ କରି ନପାରନ୍ତି, ତେବେ ଦଳ ହାତରୁ ଆଉ ଏକ ରାଜ୍ୟର କ୍ଷମତା ଚାଲିଯିବା ସମ୍ଭାବନାକୁ ଅସ୍ୱୀକାର କରାଯାଇନପାରେ । ଯଦି କଂଗ୍ରେସ କ୍ଷମତା ହରାଏ, ବର୍ଷକ ମଧ୍ୟରେ ମଧ୍ୟପ୍ରଦେଶ ପରେ ରାଜସ୍ଥାନ ହେବ ଦ୍ୱିତୀୟ ରାଜ୍ୟ । ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୧୭ ବିଧାନସଭା ନିର୍ବାଚନରେ ପ୍ରଦେଶ କଂଗ୍ରେସ ସଭାପତି ଭାବେ ପାଇଲଟଙ୍କ ନେତୃତ୍ୱରେ କଂଗ୍ରେସ ବିଜୟୀ ହୋଇଥିଲା । ଆଶା କରାଯାଉଥିଲା ଯେ, ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦିଆଯାଇ ପୁରଷ୍କୃତ କରାଯିବ ।

ମୁଖ୍ୟମନ୍ତ୍ରୀ ପଦ ପାଇଁ ପାଇଲଟ ମଧ୍ୟ ଆଶାୟୀ ଥିଲେ । ମାତ୍ର ପୁରୁଖାନେତା ତଥା ଦୁଇ ଦୁଇ ଥା ମୁଖ୍ୟମନ୍ତ୍ରୀ ହୋଇଥିବା ଗେହଲୋତଙ୍କର ଦଳର ସଂଗଠନକୁ କରାୟତ କରି ନେଇଥିବା ବେଳେ ହାଇକମାଣ୍ଡ ତାଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହିଁ ନଥିଲେ । ଫଳ ସ୍ୱରୁପ ଗେହଲୋତ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ପାଇଲଟଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉପ-ମୁଖ୍ୟମନ୍ତ୍ରୀ କରାଯାଇଥିଲା । କିନ୍ତୁ ସେହିଦିନ ଠାରୁ ସରକାରରେ କ୍ଷମତା ବଂଟନ, ବରିଷ୍ଠ ଅଫିସରଙ୍କୁ ନିଯୁକ୍ତି, ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ମନୋନୟନ ଏବଂ ସରକାରଙ୍କ ବିଭିନ୍ନ ନୀତି ନିର୍ଦ୍ଧାରଣକୁ ନେଇ ଗେହଲୋତ ପାଇଲଟଙ୍କ ମଧ୍ୟରେ ବଳକଷାକଷି ଲାଗି ରହିଥିଲା । ନିକଟରେ ସରକାରରେ ଅସ୍ଥିରତା ସୃଷ୍ଟି ସଂକ୍ରାନ୍ତ ଏକ ମାମଲାରେ ପାଇଲଟଙ୍କୁ ପୋଲିସର ସମନ ପରେ ବିବାଦ ଉଗ୍ରରୂପ ଧାରଣ କରିଛି ।

ତାଙ୍କ ପ୍ରତି ୩୪ ଜଣ ବିଧାୟକଙ୍କର ସମର୍ଥନ ରହିଥିବା ପାଇଲଟ ଦାବି କରିଛନ୍ତି । କହିବା ବାହୁଲ୍ୟ ଯେ, ୨୦୦ ଜଣିଆ ସଦସ୍ୟ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ୧୦୦ଟି ଆସନ ଅକ୍ତିଆର କରି କୁହୁକ ଅଙ୍କ ଠାରୁ ଗୋଟିଏ ଆସନ ଦୂରରେ ଥିବାବେଳେ ଅନ୍ୟ ଛୋଟ ଛୋଟ ଦଳ ଓ ସ୍ୱାଧୀନ ବିଧାୟକଙ୍କୁ ଏବେ ୧୧୭ ଜଣ ସଦସ୍ୟଙ୍କର ସମର୍ଥନ ସରକାର ପ୍ରତି ଥିବାବେଳେ ପାଇଲଟଙ୍କ ସହ ୩୪ ଜଣ ସଦସ୍ୟ ଥିବା ଦାବି କରିଛନ୍ତି । ଅନ୍ୟ ପକ୍ଷରେ ସରକାରଙ୍କ ପ୍ରତି ୧୦୭ ଜଣ ବିଧାୟକଙ୍କର ସମର୍ଥନ ଥିବା ଗେହଲୋତ ଦାବି କରିଛନ୍ତି । ସୂଚନାଯୋଗ୍ୟ ଯେ, ଗେହଲୋତଙ୍କ ବାସଭବନରେ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ୧୦୭ ଜଣ ବିଧାୟକ ଯୋଗଦେଇଥିବା ବେଳେ ପାଇଲଟଙ୍କ ଗୋଷ୍ଠୀ ଯୋଗ ଦେଇନଥିଲେ । ତେବେ ସରକାରଙ୍କ ପ୍ରତି ଯଦି ୧୦୭ ଜଣ ସଦସ୍ୟଙ୍କର ସମର୍ଥନ ଥାଏ, ତେବେ ନିକଟ ଭବିଷ୍ୟତରେ ସରକାର ପତନ ଘଟିବା ସଦ୍ଭାବନା ନାହିଁ । ବିବାଦର ସମାଧାନ ପାଇଁ କଂଗ୍ରେସ ହାଇକମାଣ୍ଡ ଯଦି ତ୍ୱରିତ ନିଷ୍ପତି ଗ୍ରହଣ କରିପାରନ୍ତି, ତେବେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।

ଏହା ସତ୍ୟ ଯେ, ଗେହଲତ କଂଗ୍ରେସ ହାଇକମାଣ୍ଡଙ୍କ ପ୍ରତି ଅନୁଗତ ଓ ବିଶ୍ୱସ୍ତ । ଯେଉଁଥିପାଇଁ କି ନିର୍ବାଚନ ଜତିବା ବା ଦଳକୁ ମଜଭୂତ କରିବା ଦକ୍ଷତା ନଥାଇ ମଧ୍ୟ ତିନି ତିନ ଥର ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି । ତରୁଣ ନେତୃତ୍ୱ କୋଣଠେସା କରିବା ପାଇଁ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ ଅପଦସ୍ତ କରିବା ପାଇଁ ତାଙ୍କ ନାମରେ ସରକାର ଭାଙ୍ଗିବା ଷଡଯନ୍ତ୍ର ଆଣି ପୋଲିସ ତଦନ୍ତ କରାଇବାକୁ କୁଣ୍ଠାବୋଧ କରିନାହାଁନ୍ତି, ଯାହାକି ଏକ ଅପରିଣାମଦର୍ଶୀ ପଦକ୍ଷେପ ବୋଲି କୁହାଯାଇପାରିବ । ମୁଖ୍ୟମନ୍ତ୍ରୀ ଦଳର ସ୍ୱାର୍ଥ ଏବଂ ସରକାରଙ୍କୁ ବଂଚାଇବା ଲାଗି ତରୁଣଙ୍କ ସହ ପରାମର୍ଶ କରିବା ଉଚିତ୍ । ସେହିପରି ପାଇଲଟ ନିଜର ବ୍ୟକ୍ତିଗତ ଅଭିଳାଷ ନେଇ ଧୈର୍ଯ୍ୟ ରଖିବା ଜରୁରୀ । ଅନ୍ୟପକ୍ଷରେ ରାଜସ୍ଥାନ ସରକାରରେ ଦୁଇନେତାଙ୍କ ମଧ୍ୟରେ ଲଢେଇ ଏବେ ବ୍ୟକ୍ତିତ୍ୱ ଲଢେଇରେ ପରିଣତ ନାହିଁ । ସରକାର ଭବିଷ୍ୟତ ଏବେ ଅନିଶ୍ଚିତ ହୋଇପଡ଼ିଛି । ଏପରି ସ୍ଥଳରେ କଂଗ୍ରେସ ହାଇକମାଣ୍ଡଙ୍କ ନୀରବତା ଦଳ ଓ ସରକାରଙ୍କୁ ଅନ୍ଧକାରକୁ ଠେଲି ଦେଇଛି ବୋଲି କୁହାଯାଇପାରେ । ଉଲ୍ଲେଖଯୋଗ୍ୟ ଯେ, ମଧ୍ୟପ୍ରଦେଶରେ ଯୁବ ନେତୃତ୍ୱକୁ ଅଣଦେଖା କରିବା ଯୋଗୁଁ କମଳନାଥ ସରକାରଙ୍କ ପତନ ଘଟିଥିଲା ।

ଏବେ ଗେହଲୋତ-ପାଇଲଟ ବିବାଦରେ ହାଇକମାଣ୍ଡଙ୍କ ନୀରବତା ମଧ୍ୟପ୍ରଦେଶ ଦୃଶ୍ୟପଟ୍ଟର ପୁନରାବୃତି କହିବାକୁ ଯାଉଛି ବୋଲି କୁହାଯାଇପାରେ । ଏହା ସତ୍ୟ ଯେ, ଦେଶର ସର୍ବପୁରାତନ ରାଜନୈତିକି ଦଳ ଏବେ ଗୁରୁତର ନେତୃତ୍ୱ ସଂକଟର ସମ୍ମୁଖୀନ ହୋଇଥିବା ବେଳେ ଅନୁଗତ, ତେଲିଆ ନେତାଙ୍କ କବଜାରେ ହାଇକମାଣ୍ଡ ଅଛନ୍ତି । ଯୁବ ପିଢୀକୁ କଂଗ୍ରେସ କେବେ, ପ୍ରଶୟ ଦେଇ ନଥିବା ବେଳେ ପୁରୁଣା, ବୃଦ୍ଧଙ୍କ କବଜାରେ ରହିଛି । ରାହୁଳ ଗାନ୍ଧୀ ସଭାପତି ପଦରୁ ଇସ୍ତଫା ଦେବା ପରେ ସୋନିଆ ପୁଣି କଂଗ୍ରେସର ଅଧ୍ୟକ୍ଷା ହୋଇଛନ୍ତି । ଗଣତାନ୍ତ୍ରିକ ପଦ୍ଧତିରେ ଦଳର ନେତୃତ୍ୱ ନିର୍ବାଚନ ପ୍ରତି ଦଳ ଗୁରୁତ୍ୱ ଦେଇନାହିଁ କିମ୍ବା କର୍ଣ୍ଣପାତ କରୁନାହିଁ । ଗାନ୍ଧୀ ପରିବାର ହାତରେ ନେତୃତ୍ୱ ବଜାୟ ରଖିବା ଉପରେ କୋଟରୀ ସବୁବେଳେ କାରସାଦି ଚଳାଇ ଆସିଛନ୍ତି । ଏହା ନିଶ୍ଚିତ ଯେ, କଂଗ୍ରେସର ଯୁବ ନେତୃତ୍ୱ ବା ନୂତନ ପିଢିର ପ୍ରତିଭା ଅଭାବ ନାହାଁନ୍ତି । ଯୁବ ନେତୃତ୍ୱକୁ ଦଳ ସୁଯୋଗ ଦେବାର ସମୟ ଏବେ ଆସିଛି ।

ଅନ୍ୟଥା ବୁଡିଗଲା ଗୋଡ ତଳକୁ ତଳ ପରି କଂଗ୍ରେସ ସଭା ହରାଇବା କିଛି ଅସମ୍ଭବ ନୁହେଁ । ଜ୍ୟୋତିରାଦିତ୍ୟ ବିଜେପିରେ ଯୋଗ ଦେବା ପରି ପାଇଲଟ ବିଜେପିରେ ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି । ସମସ୍ୟାର ସମାଧାନ ପାଇଁ ହାଇକମାଣ୍ଡଙ୍କୁ ଜଣାଇଛନ୍ତି । ମାତ୍ର ସୋନିଆ କିମ୍ବା ରାହୁଳ ତାଙ୍କୁ ସାକ୍ଷାତ ନଦେବା ଯୁବ ବା ତରୁଣ କିପରି କଂଗ୍ରେସରେ ଅବହେଳିତ ଏହା ତା’ର ଜ୍ୱଳନ୍ତ ଉଦାହରଣ ବୋଲି କହିଲେ ଭୁଲ ହୋଇନପାରେ । କାଳକ୍ଷେପଣ ନକରି କଂଗ୍ରେସ ହାଇକମାଣ୍ଡ ପରିସ୍ଥିତିର ସମାଧାନ କରନ୍ତୁ । ନଚେତ ଦଳ ପାଇଁ ଏହା ବିପର୍ଯ୍ୟାୟ ହେବ । ରାଜସ୍ଥାନରେ ସରକାରଙ୍କ ପତନ ଘଟିଲେ ବିଜେପିକୁ କେହି ଦୋଷ ଦେଇପାରିବେ ନକାହିଁ, ଏହା ନିଶ୍ଚିତ ।

Leave A Reply